ନିଜ ବୁଦ୍ଧିରେ କାମ କରିବ

ତୁମ କାହାଣୀ - ସୋନାଲିନ୍‌ ମହାନ୍ତି

ପର୍ବତ ପାଦଦେଶରେ ଥିବା ଏକ ଜଙ୍ଗଲରେ ସିଂହଟିଏ ବାସ କରୁଥିଲା। ଦିନେ ସେ ତା’ର ଗୁମ୍ଫାରେ ଗାଢ଼ ନିଦରେ ଶୋଇଥାଏ। ହାଠାତ୍‌ ଗୋଟିଏ ମୂଷା କେଉଁଆଡ଼ୁ ଆସି ସିଂହର ଶରୀର ଉପରେ ଚଢ଼ି ଡିଆଁ ଡେଇଁ କରୁଥାଏ। ମୂଷାର ଚଗଲାମୀରେ ସିଂହର ନିଦ ଭାଙ୍ଗିଗଲା। ସେ ଦେଖିଲା ମୂଷାଟି ତା’ର କେଶର ଗୁଡ଼ିକୁ କାମୁଡ଼ି କେତେ ଜାଗାରେ ଛୋଟ ଛୋଟ କରିଦେଇଛି। ‌ସେ ମୂଷାଟିକୁ ଧରିବାପାଇଁ ଚେଷ୍ଟା କଲା। ତାକୁ ଗୋଡ଼ାଇବାରୁ ମୂଷା ସଙ୍ଗେ ସଙ୍ଗେ ପର୍ବତ ନିକଟରେ ଥିବା ଗାତରେ ପଶିଗଲା।

ମୂଷା ଗାତରେ ପଶିଯିବାର ଦେଖି ସିଂହ ସଙ୍ଗେ ସଙ୍ଗେ ଏକ ବିରାଡ଼ି ନିକଟକୁ ସାହାଯ୍ୟ ପାଇଁ ଗଲା। କିଛି ବାଟ ଯିବାପରେ ବିରାଡ଼ି ସହିତ ତା’ର ସାକ୍ଷାତ ହେଲା। ସିଂହ ମହାରାଜଙ୍କଠାରୁ ସବୁ କଥା ଶୁଣିସାରିବାପରେ ମୂଷାକୁ ମାରିବାପାଇଁ ସେ ରାଜି ହେଲା। ବିରାଡ଼ିକୁ ସାଙ୍ଗରେ ଧରି ସିଂହ ତା’ର ଗୁମ୍ଫା ନିକଟକୁ ଆସିଲା। ଖାଇବାକୁ ପିଇବାକୁ ଦେଇ ବିରାଡ଼ିକୁ ପାଖରେ ରଖିଲା। ସିଂହ ସହିତ ଏକ ବିରାଡ଼ିକୁ ଦେଖି ମୂଷା କିଛିଦିନ ପାଇଁ ଗାତରୁ ବାହାରିଲା ନାହିଁ। ମୂଷା ଗାତରୁ ନ ବାହାରିବାରୁ ସିଂହ ମଧ୍ୟ କିଛି ଦିନ ତା’ର ଚଗଲାମିରୁ ରକ୍ଷା ପାଇ ଶାନ୍ତିରେ ଶୋଇପାରିଲା।

କିନ୍ତୁ କେତେଦିନ ଗାତ ଭିତରେ ରହିପାରିବ ଯେ? ଗାତରେ ରହିଲେ ଖାଦ୍ୟ ସଂଗ୍ରହ କରିବ କେମିତି? ଏପଟେ ବାହାରକୁ ବାହାରିଲେ ବିରାଡ଼ି ମାରିଦେବ। ସେଥିପାଇଁ କ’ଣ କରିବ ବୋଲି ମୂଷା ଚିନ୍ତାରେ ପଡ଼ିଲା। କିଛିଦିନପରେ ଭୋକ ସହି ନପାରି ଶେ‌ଷରେ ଗାତରୁ ବାହାରିଲା। ସାଙ୍ଗେ ସାଙ୍ଗେ ବାହାରକୁ ଆସିବା ମାତ୍ରକେ ବିରାଡ଼ିଟି ତା’କୁ ମାରିଦେଲା। ଯେମିତି ମୂଷାଟି ମରିଯାଇଛି ସିଂହର ଉଦ୍ଦେଶ୍ୟ ମଧ୍ୟ ପୂରଣ ହେଲା। ଏହାପରେ ସିଂହ ଆଉ ବିରାଡ଼ିକୁ ଖାଇବା ଦେଲା ନାହିଁ। ସିଂହର ସବୁ ଉଦ୍ଦେଶ୍ୟ ବୁଝିପାରି ବିରାଡ଼ିଟି ବାଟେ ବାଟେ ନିଜ ଘରକୁ ଫେରିଗଲା।

ନବମ ଶ୍ରେଣୀ
ଲକ୍ଷ୍ମୀବିହାର, ଢ଼େଙ୍କାନାଳ

ସମ୍ବନ୍ଧିତ ଖବର