ତୁମ କାହାଣୀ : ଠକ ଗଧିଆ

ସସ୍ମିିତା ସାମନ୍ତରାୟ

ମେଣ୍ଢାମାନଙ୍କ ପଛରେ ମା’ ଗଧିଆମାନେ ବହୁତ ଦିନ ହେଲା ଲାଗି ରହିଥିଲେ। କିନ୍ତୁ ମେଣ୍ଢାମାନଙ୍କ ସହିତ କୌଣସି ପ୍ରକାର ଶତ୍ରୁତା ପ୍ରକାଶ କରୁ ନଥିଲେ। ତଥାପି ମେଣ୍ଢାମାନେ ତାଙ୍କୁ ଦୁଷ୍ଟ ତଥା ଶତ୍ରୁ ବୋଲି ଭାବୁଥିଲେ ଓ ତାଙ୍କ ଉପରେ ତୀକ୍ଷ୍ଣ ନଜର ରଖୁଥିଲେ।

ଏହିଭଳି ବହୁତ ଦିନ ବିତିଲା। ମେଣ୍ଢାମାନେ ଦେଖିଲେ ଗଧିଆମାନେ ତାଙ୍କର କୌଣସି ଅନିଷ୍ଟ କରୁନାହାନ୍ତି, କି ଶତ୍ରୁତା ଆଚରଣ କରୁନାହାନ୍ତି। ଫଳରେ ସେମାନଙ୍କ ଉପରେ ମେଣ୍ଢାମାନେ ବିଶ୍ବାସ କରିବାକୁ ଲାଗିଲେ ଓ ମା’ ଗଧିଆ‌ମାନଙ୍କୁ ମିତ୍ର ବୋଲି ମନେ କରୁଥିଲେ। ମେଣ୍ଢାମାନେ ଏଇଠି ରହନ୍ତୁ କି ନାହିଁ ଗଧିଆମାନେ ତାଙ୍କର ଛୁଆମାନଙ୍କର କୌଣସି ଅନିଷ୍ଟ କରିବେ ନାହିଁ।

ଦିନେ ମେଣ୍ଢାମାନଙ୍କୁ ଘାସ ଚରିବାକୁ ଦୂରକୁ ଯିବାକୁ ପଡ଼ିଲା। ତେଣୁ ସେ ମା’ ଗଧିଆମାନଙ୍କୁ ଡାକି କହିଲେ- ସଙ୍ଗାତମାନେ! ଆମେ ଘାସ ଚରିବାକୁ ଦୂରରେ ଥିବା ଘାସ କିଆରିକୁ ଯାଉଛୁ। ଫେରୁ ଫେରୁ ସପ୍ତାହେ ଡେରି ହୋଇପାରେ। ସେତେବେଳ ପର୍ଯ୍ୟନ୍ତ ତୁମମାନଙ୍କୁ ଆମର ଛୁଆମାନଙ୍କର ଦେଖାଶୁଣା କରିବାକୁ ପଡ଼ିବ।

ଏହା କହି ମେଣ୍ଢାମାନେ ଚାଲିଗଲେ। ଗଧିଆମାନେ ଭାବିଲେ- ଧୈର୍ଯ୍ୟର ଫଳ ସର୍ବଦା ମିଠା। ତେଣୁ ଗଧିଆମାନେ ମେଣ୍ଢାମାନଙ୍କ ମନରେ ବିଶ୍ବାସ ଜଗାଇ ଆଜି ଏଭଳି ମଉକା ପାଇଛନ୍ତି। ସେମାନେ ପ୍ରତିଦିନ ଗୋଟିଏ ଗୋଟିଏ ମେଣ୍ଢାଛୁଆକୁ ଖାଇବାରେ ଲାଗିଲେ। ଏହା ଭିତରେ ସପ୍ତାହେ ପୂରିଗଲା। ମେଣ୍ଢାମାନଙ୍କର ଆସିବା ସମୟ ହୋଇଗଲା କିନ୍ତୁ ତା’ ପୂର୍ବରୁ ଗଧିଆମାନେ କେଉଁଆଡ଼େ ଚାଲିଗଲେ।

ମେଣ୍ଢାମାନେ ଆସିବାପରେ ଦେଖିଲେ ଯେ ସେଠାରେ ଆଉ ସେମାନଙ୍କର ଛୁଆମାନେ ନାହାନ୍ତି। ସେଠାରେ ଛୁଆମାନଙ୍କ ହାଡ଼ ଗଦା ହୋଇ ରହିଛି। ଆଉ ଗଧିଆମାନଙ୍କୁ ଖୋଜିଲାବେଳକୁ ଗଧିଆମାନେ ସେଠାରୁ ଫେରାର୍‌ ହୋଇ ଯାଇଥିଲେ। ଏହା ସବୁଦେଖି ମେଣ୍ଢାମାନେ କାନ୍ଦି କାନ୍ଦି ସେମାନଙ୍କର ଛୁଆମାନଙ୍କୁ ଖୋଜିଲେ। କିନ୍ତୁ ସେମାନଙ୍କୁ ଆଉ ପାଇଲେ ନାହିଁ। ଶେ‌ଷରେ ନିରାଶ ହେଲେ। ମନମାରି ରହିଲେ।

ବ୍ରିଟ୍‌ କଲୋନି, ବଡ଼ଗଡ଼,
ଭୁବନେଶ୍ବର

ସମ୍ବନ୍ଧିତ ଖବର