ସେତେବେଳେ ଜଙ୍ଗଲର ରାଜା ଥିଲା ସିଂହ। ଏପରିକି ନିଜର କ୍ଷତି ହେଲେ ସୁଦ୍ଧା ସେ ଯେ କୌଣସି କଥାକୁ ଆଖିବୁଜି ବିଶ୍ବାସ କରୁଥିଲା। ଦିନେ ହଠାତ୍‌ ରାଜାଙ୍କ ପାଖରେ ଶିଆଳଟିଏ ପହଞ୍ଚିଲା। ସେ ପାଞ୍ଚ ଦିନ ହେବ କିଛି ଖାଇବାକୁ ପାଇ ନାହିଁ। ଭାରି ଭୋକ ହେଉଥିଲେ ମଧ୍ୟ ସେ ଏକଥା କିଛି କହିଲା ନାହିଁ। ସହଜେ ସେ ଥିଲା ଜଙ୍ଗଲରେ ସବୁଠୁ ଚାଲାକ୍‌। ହାଠାତ୍‌ କଇଁ କଇଁ କାନ୍ଦିବାକୁ ଲାଗିଲା। ଲୁହ ପୋଛୁ ପୋଛୁ କହିଲା ମହାରାଜ, ବଡ଼ ଜରୁରୀ କଥାଟିଏ ଅଛି।

Advertisment

କି କଥା? ସିଂହ ଖୁବ୍‌ ଆଶ୍ଚର୍ଯ୍ୟ ହୋଇ ପଚାରିଲା। ଶିଆଳ କହିଲା, ନା ସେ କଥା କହି ହେବନି ମହାରାଜ। ଏଥର ଶିଆଳ ନିଜର ପୂର୍ବ ଯୋଜନା ମୁତାବକ ଆରମ୍ଭ କଲା, ମହାରାଜ ବାଘ ଭାଇ ଆପଣଙ୍କୁ ଗାଦିରୁ ହଟାଇ ଏ ଜଙ୍ଗଲର ରାଜା ହେବାକୁ ଯୋଜନା ଚଳାଇଛି। ବାସ୍‌ ଏତିକି କହିଛି କି ନାହିଁ ସିଂହର ରାଗ ଚରମ ସୀମାରେ ପହଞ୍ଚିଲା। ସଙ୍ଗେ ସଙ୍ଗେ ଯୁଦ୍ଧର ଆହ୍ବାନ ଦେଲା।

କିଛି ସମୟ ପରେ ଶିଆଳ ବାଘ ଭାଇ ପାଖରେ ପହଞ୍ଚି ଧଇଁସଇଁ ହୋଇ କହିଲା, ବାଘ ଭାଇ, କଥା କ’ଣ କି, ରାଜା ସିଂହ ତା’ର ସୈନ୍ୟମାନଙ୍କୁ ଧରି ଆପଣଙ୍କ ସହିତ ଯୁଦ୍ଧ କରିବାକୁ ଆସୁଛି। ମୋତେ ଡର ଲାଗୁଛି, ଏଇ ଜଙ୍ଗଲରେ ଆଉ ରହି ହେବନି। ଯାଉଛି ପଳାଇବି। ସେଠୁ ବାଘ ଜୋର୍‌ରେ ଗର୍ଜନ ଛାଡ଼ିଲାବେଳକୁ ସବୁ ବାଘମାନେ ଏକାଠି ହୋଇ ଯୁଦ୍ଧ ପାଇଁ ପ୍ରସ୍ତୁତ ହୋଇଗଲେ।

ଯୁଦ୍ଧ ପାଇଁ ଦୁଇଆଡ଼ୁ ପ୍ରସ୍ତୁତି ଜୋର୍‌ ସୋର୍‌ ଚାଲିଲା। ଉଭୟେ ପରଷ୍ପରକୁ ଦେଖିବା କ୍ଷଣି କେହି କାହାକୁ କିଛି ନ ପଚାରି ଆକ୍ରମଣ କରିବାରେ ଲାଗି ପଡ଼ିଲେ। ଦୁଇପକ୍ଷର ସେନାମମାନଙ୍କ ଭିତରେ ଆରମ୍ଭ ହୋଇଗଲା ତୁମୁଳ ଯୁଦ୍ଧ। କିଛି ସମୟ ଏପରି ଚାଲିଲା ପରେ ଉଭୟ ପକ୍ଷରୁ ସୈନ୍ୟମାନେ ମରିପଡ଼ିଥିଲା ବେଳେ କିଛି ଗୁରୁତର ଆହତ ହୋଇ ପଡ଼ିଥିଲେ। ଏପରିକି ସ୍ବୟଂ ବାଘ ଓ ସିଂହ ବି ଟଳିପଡ଼ିଥିଲେ।

ପାଖ ବୁଦାମୂଳେ ଶିଆଳ ଥାଇ ଏ ସବୁ ଲକ୍ଷ୍ୟ କରୁଥିଲା। ତା’ର ଯୋଜନା ସଫଳ ହେବାର ଦେଖି ସେ ମନେ ମନେ ଖୁସି ହେଲା। ମନଭରି ନିଜର ଖାଦ୍ୟ ଖାଇଲା ଓ କିଛି ଦିନ ପାଇଁ ଖାଦ୍ୟ ଯୋଗାଡ଼ କରି ରଖିଲା।

ହନୁମାନ ବଜାର, ବ୍ରହ୍ମପୁର