ଭଲ ମଣି‌ଷ ହେବା

ତୁମ କାହାଣୀ - ତ୍ରିପର୍ଣ୍ଣା ମହାରଣା

ଜଣେ ସାଧୁ ମହାତ୍ମାଙ୍କର ବାର୍ଦ୍ଧକ୍ୟ ଆସି ପହଞ୍ଚିଲା। ସେ ନିଜ ଅନ୍ତରଙ୍ଗ ପଟ୍ଟଶିଷ୍ୟମାନଙ୍କୁ ନିକଟକୁ ଡାକିଲେ। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସେମାନଙ୍କୁୁ ଭଲ ମଣିଷ ହେବାକୁ ଉପଦେଶ ଦେଲେ। ଶିଷ୍ୟମାନେ କହିଲେ- ଗୁରୁଦେବ, ଆପଣ ସବୁବେଳେ ଆମମାନଙ୍କୁ ତ ଭଲ ମଣିଷ ହେବାକୁ ପରାମର୍ଶ ଓ ଉପଦେଶ ଦେଇ ଆସିଛନ୍ତି। ଆମ୍ଭେ ତାହା ଅକ୍ଷରେ ଅକ୍ଷରେ ପାଳନ କରିବାକୁ ଶପଥ ନେଉଛୁ। ହେଲେ ଗୁରୁଦେବ! ଭଲ ମଣିଷର ପ୍ରକୃତ ସଂଜ୍ଞା କ’ଣ? ଭଲ ମଣିଷ କାହାକୁ କହି ହେବ? ତାହା ଆମକୁ ଟିକେ ସରଳ ଭାବରେ ବୁଝାଇ କୁହନ୍ତୁ। କ’ଣ କଲେ ଜଣେ ଭଲ ମଣିଷ ଭାବରେ ଯଶ ଖ୍ୟାତି ଲାଭ କରିପାରିବ?

ଏଥର ସାଧୁ ମହାତ୍ମା ଟିକେ ହସିଲେ। କହିଲେ- ଶିଷ୍ୟଗଣ, ମଁୁ ତୁମକୁ ଗୋଟିଏ ପ୍ରଶ୍ନ ପଚାରୁଛି। ତା’ର ଠିକ୍‌ ଉତ୍ତର ଦିଅ। ତା’ପରେ ମଁୁ ବୁଝାଇ ଦେବି ଯେ, ପ୍ରକୃତରେ ଭଲ ମଣିଷର ସଂଜ୍ଞା କ’ଣ। ଏବେ କୁହ ମୋର ପାଟିରେ କେତୋଟି ଦାନ୍ତ ଅଛି? ଶିଷ୍ୟମାନେ ଆଶ୍ଚର୍ଯ୍ୟ ହୋଇ କହିଲେ ଗୁରୁଦେବ, ଆପଣଙ୍କ ପାଟିରେ ତ ଗୋଟିଏ ହେଲେ ଦାନ୍ତ ନାହିଁ।

ତା’ପରେ ସାଧୁ ମହାତ୍ମା ଶିଷ୍ୟମାନଙ୍କୁ ପଚାରିଲେ, ଆଚ୍ଛା ଠିକ୍‌ କହିଲ, ଏବେ କୁହ ମୋ ଦାନ୍ତଗୁଡ଼ିକ ଝଡ଼ି ଯାଇଛି ସିନା ଜିଭଟା ଅଛି କି ନାହିଁ? ପିଲାମାନେ ପଚାରିଲେ ଜିଭଟା କୁଆଡ଼େ ଯିବ କି? ଜିଭ ନ ଥିଲେ କ’ଣ କଥା ହୋଇପାରିବେ? ଏବେ ଗୁରୁଦେବ କହିଲେ ଜିଭ ଜନ୍ମ ବେଳୁ ଅଛି, ବରଂ ଦାନ୍ତଗୁଡ଼ିକ ପରେ ଉଠିଥିଲା। ଏହି ଦାନ୍ତ ଜିଭ ଉଦାହରଣରୁ ଜାଣିରଖ ଯେ, ଯେହେତୁ ଦାନ୍ତଗୁଡ଼ିକ କଠିନ, ସେଗୁଡ଼ିକ ପ୍ରଥମେ କ୍ଷୟ ପାଇଗଲେ। କିନ୍ତୁ ଜିଭଟି ସରଳ ଓ ନରମ ହୋଇଥିବାରୁ ମୃତ୍ୟୁ ପର୍ଯ୍ୟନ୍ତ ତା’ର କ୍ଷୟ ହୋଇ ନଥାଏ। ତେଣୁ ଯିଏ ଧୈର୍ଯ୍ୟର ସହ ସବୁ ସହିଯାଇ, ସରଳ ଓ ନରମ ସ୍ବଭାବର ହୋଇଥାଏ ସେ ହିଁ ଭଲ ମଣି‌ଷ। ସରଳ ହେବା ଦ୍ବାରା ସେହି ଲୋକର ବଚନ ମଧ୍ୟ ସ୍ବାଭାବିକ ଭାବେ ମଧୁର ହୋଇଥାଏ।

ଅମଲାପଡ଼ା, ଅନୁଗୁଳ

ସମ୍ବନ୍ଧିତ ଖବର