ଉଚିତ୍‌ ଶିକ୍ଷା

ତୁମ କାହାଣୀ : ସରୋଜ ମୁଦୁଲି

ଗୋଟିଏ ଗାଁରେ ଜଣେ ଗରିବ ଲୋକ ରହୁଥାଏ। ଯେତେ ଖଟିଲେ ମଧ୍ୟ ଘରେ ସବୁବେଳେ ଅଭାବ। ପିଲାଙ୍କ ପାଠପଢ଼ା, ଖାଇବା, ପିଇବା, ଲୁଗାପଟା, ଦେହପା’ରେ ଖର୍ଚ୍ଚ ଅନେକ। ରୋଜଗାରଠାରୁ ଅଭାବ ବଳିପଡ଼ୁଥାଏ। କ’ଣ କରିବ? ଗୋଟିଏ ମାତ୍ର ଆୟପନ୍ଥାରେ ପରିବାର ଚଳାଇବା ଢେର କଷ୍ଟ। ଖୁବ୍‌ ଚିନ୍ତାରେ ଲୋକଟି ଭାଙ୍ଗିପଡ଼ୁଥାଏ। ଆଉ ଧୈର୍ଯ୍ୟ ନାହିଁ। ଏତେ ଦୁଃଖକଷ୍ଟ, ଅଭାବ ଅନଟନ ଭିତରେ ଚଳିବ କେମିତି? ମନେ ମନେ ଚିନ୍ତା କଲା, ଏ ଜୀବନ ରଖିବି ନାହିଁ। କି ହତଭାଗ୍ୟ ମଣିଷଟିଏ ମୁଁ, ଯେତେ ଖଟିଲେ ବି ଗଣ୍ଡେ ଭଲକରି ଖାଇପାରୁନି କି ପିନ୍ଧିପାରୁନି। ଏହା ଭାବି ଘରୁ ବାହାରି ଯାଇ ଏକ ନିରୋଳା ଗଛମୂଳରେ ବସି ଚିନ୍ତା କରୁଥାଏ। ଆଜି ଘରକୁ ଫେରିବି ନାହିଁ। ସେହି ଗଛ ମୂଳରେ ବସି ଖାଲି ଆଖିରୁ ଲୁହ ଝରାଉଥାଏ।

ଠିକ୍‌ ଏହି ସମୟରେ ଜଣେ ସାଧୁ ସେହି ବାଟ ଦେଇ ଯାଉଥାଆନ୍ତି। ଦେଖିଲେ ଗାଉଁଲି ଲୋକଟି ଏକୁଟିଆ ବସି କାନ୍ଦୁଛି। ସାଧୁ ସେଠାରେ ଅଟକିଯାଇ ତାକୁ ସବୁ କଥା ପଚାରିଲେ। ଲୋକଟି ଭାଗ୍ୟକୁ ନିନ୍ଦା କରିବା ସହ ନିଜର ଗରିବ ଅବସ୍ଥା ଓ ଅସହାୟତା ପ୍ରକାଶ କରି ସବୁକଥା ସାଧୁଙ୍କୁ ଜଣାଇଲା।

ପରେ ସାଧୁ ଲୋକଟିକୁ କହିଲେ, ‘ଦେଖ! ମୁଁ ତୁମକୁ ଏକ ହଜାର ଟଙ୍କା ଦେଉଛି, ତୁମେ ତୁମର ଆଙ୍ଗୁଠିଟି କାଟି ମୋତେ ଦେଇପାରିବ?’ ଲୋକଟି କହିଲା, ନା! ନା! ମୋର ଆଙ୍ଗୁଠି ଅଧିକ ମୂଲ୍ୟବାନ। ମୁଁ ଆଙ୍ଗୁଠିଟିକୁ କାଟି ଦେଇପାରିବି ନାହିଁ। ତେବେ ତୁମକୁ ମୁଁ ଦଶହଜାର ଟଙ୍କା ଦେଉଛି, ତୁମେ ତୁମର ହାତ କାଟିଦେଇ ପାରିବ? ଲୋକଟି ସଙ୍ଗେ ସଙ୍ଗେ କହିଲା ନା! ନା! ଦଶହଜାର ଟଙ୍କାଠାରୁ ମୋ ହାତ ବେଶି ମୂଲ୍ୟବାନ, ମୁଁ କେବେ ମୋର ହାତ କାଟିପାରିବି ନାହିଁ। ପୁଣିଥରେ ସାଧୁ କହିଲେ ‘ଠିକ୍‌ ଅଛି ମୁଁ ତୁମକୁ ଲକ୍ଷେ ଟଙ୍କା ଦେଉଛି, ତୁମେ ତୁମର ଗୋଟିଏ ଆଖି ଦେଇପାରିବ? ଲୋକଟି ଶେଷରେ ରାଗିଗଲା। ମୁଁଆଖି ବିନା ଆଦୌ ବଞ୍ଚିପାରିବି ନାହିଁ।

ସାଧୁ କହିଲେ, ସତରେ ତୁମେ ଜଣେ କୋଟିପତି। ତୁମର ଦାମ୍‌ କୋଟିଏ ଟଙ୍କାଠାରୁ ବି ଅଧିକ ମୂଲ୍ୟବାନ। ତୁମେ ଏ ଜୀବନଟାକୁ ହାରିଦେବ ବୋଲି କହୁଥିଲ? ଏ ଜୀବନ ଚାଲିଗଲେ ଶରୀରର ମାନେ କିଛି ରହିବନି। ଏହି ଶରୀର ମ‌ାଧ୍ୟମରେ ମଣିଷ ପାଖରେ ଶ୍ରଦ୍ଧା, ଧୈର୍ଯ୍ୟ, ବିଶ୍ବାସ ଓ ସମର୍ପଣ ଭାବ ରହିଛି। ପରିସ୍ଥିତି ଦେଖି ସମୟ ସହିତ ଚାଲିବା ଦରକାର। ତାହାହେଲେ ଜୀବନରେ ସଫଳତା ନିଶ୍ଚିତ ପାଇହେବ।

ସାଧୁଙ୍କର ଏହି ନୀତିବାଣୀ ଶୁଣିବାପରେ ଲୋକଟି ନିଜ ଘରକୁ ଫେରି ଆସିଲା।

ଅଷ୍ଟମ ଶ୍ରେଣୀ
ଖଣ୍ଡଗିରି, ଭୁବନେଶ୍ବର

ସମ୍ବନ୍ଧିତ ଖବର