ତୁମ କାହାଣୀ: ଦୋଷ କାହାର?

ସୁମିତ୍ରା କହଁର

ଦିନେ ହଂସଟିଏ ନଈରେ ପହଁରୁ ଥାଏ। ବାଳିଆ ମାଛଟିଏ ତାକୁ ଦେଖି ପଚାରିଲା, ‘‘ହଂସ, ମତେ କହିଲୁ ଏ ନଈର ପାଣି ହେମାଳ ହେଇଗଲେ ତୁ’ କୁଆଡ଼େ ଯାଉ।’’ ହଂସ କହିଲା, ‘‘ସେ କଥା ଜାଣି ତୋ’ର ଲାଭ କ’ଣ?’’ ବାଳିଆ କହିଲା, ‘‘ଶୀତ ଦିନେ ମୋର ବି ଇଚ୍ଛାହୁଏ କୁଆଡ଼େ ଉଡ଼ିଯିବାକୁ। ହେମାଳ ପାଣିରେ ନିଃଶ୍ବାସ ନେବା କି କଷ୍ଟ!’’ ହଂସ କହିଲା, ‘‘ମୁଁ ଉଷୁମ ପଡ଼ିଥିବା ଅଞ୍ଚଳକୁ ଉଡ଼ିଯାଏ।’’ ବାଳିଆ କହିଲା, ‘‘ମତେ ସାଙ୍ଗରେ ନିଅନ୍ତୁ ନି?’’ ହଂସ କହିଲା, ‘‘ଭଲ କଥା। ଏକାଠି ଗଲେ ଭାରି ମଜା ହେବ।’’ ହଂସ ଓ ବାଳିଆ କଥା ହେଉଥିବାବେଳେ କଙ୍କଡ଼ାଟିଏ ଏ କଥା ଶୁଣିଲା। ସେ କହିଲା, ‘‘ମତେ ବି ସାଙ୍ଗରେ ନିଅ!’’ ହଂସ କହିଲା, ‘‘କିଏ ମନା କରୁଚି। ଥଣ୍ଡା ପଡ଼ିଆସିଲେ ଆମେ ବାହାରି ପଡ଼ିବା। କୋଉଦିନ ଯିବା ମୁଁ ପରେ ଜଣାଇବି।’’ ବିଚରା ହଂସ ଭାବିଥାଏ ସେ ନିଜେ ଯେମିତି ପହଁରେ ଓ ଉଡ଼ିପାରେ, ବାଳିଆ ଓ କଙ୍କଡ଼ା ବି ସେମିତି ପାରୁଥିବେ।

କିଛି ଦିନ ପରେ ଥଣ୍ଡା ପଡ଼ି ଆସିଲା। ହଂସ ଆସି ବାଳିଆକୁ କହିଲା, ‘‘ଚାଲ କାଲି ବାହାରି ପଡ଼ିବା।’’ ବାଳିଆ ଯାଇ ଏ କଥା କଙ୍କଡ଼ାକୁ କହିଲା। କଙ୍କଡ଼ା ଟିକେ ଚିନ୍ତାକରି କହିଲା, ‘‘ଯିବା ଯେ, ବାଟରେ ଯଦି କିଛି ଖାଇବାକୁ ନ ମିଳେ କ’ଣ କରିବା? ଚାଲ୍‌ ସାଙ୍ଗରେ କିଛି ଆହାର ନେଇଯିବା। ଠିକଣା ଜାଗାରେ ପହଞ୍ଚିଲା ଯାଏ ଆମର ଆଉ ଖାଇବା ଚିନ୍ତା ନ ଥିବ।’’ ବାଳିଆ କହିଲା, ‘‘ଭଲ କଥା ଯେ ହେଲେ ଆମେ ଏହାକୁ ବୋହିକି କେମିତି ନେବା?’’ କଙ୍କଡ଼ା କହିଲା, ‘‘ଗୋଟିଏ ଛୋଟ ଗଣ୍ଠୁଲିରେ ଆହାର ବାନ୍ଧି ନେଇଯିବା। ଦଉଡ଼ିରେ ତାକୁ ବାନ୍ଧି ଆମ ଦେହରେ ବାନ୍ଧି ଦେବା।’’ ତିନିଟି ଲମ୍ବା ଦଉଡ଼ି ତିଆରି କରି ଖାଦ୍ୟ ବାନ୍ଧିଲେ। ତହିଁ ଆରଦିନ ହଂସ ପହଞ୍ଚି କହିଲା, ‘‘ ତୁମେ ଦି’ଜଣ ସଜବାଜ ହେଇଚ ତ! ଚାଲ ଯିବା। ମୁଁ ବାହାରିଲି।’’ ସମସ୍ତେ କହିଲେ ପ୍ରସ୍ତୁତ ଅଛୁ କିନ୍ତୁ ଏହି ଗଣ୍ଠିଲି ଗୁଡ଼ିକୁ ଆମ ସମସ୍ତଙ୍କ ଦେହରେ ବାନ୍ଧିବାକୁ ହେବ। ହଂସ କହିଲା, ଠିକ୍‌ ଅଛି ମୋ ଗୋଡ଼ରେ ଦଉଡ଼ିଟିଏ ବାନ୍ଧି ଦିଅ। କଙ୍କଡ଼ା ହଂସ ଗୋଡ଼ରେ ପ୍ରଥମ ଦଉଡ଼ିଟି ବାନ୍ଧି ଦେଲା। ଦ୍ବିତୀୟ ଦଉଡ଼ିଟିକୁ ନିଜ ଗୋଡ଼ରେ ଜାବୁଡ଼ି ଧରିିଲା। ଆଉ ତୃତୀୟ ଦଉଡ଼ିକୁ ବାଳିଆ ତା’ ଦାନ୍ତରେ କାମୁଡ଼ି ଧରିଲା। କଙ୍କଡ଼ା ବଡ଼ ପାଟିରେ କହିଲା- ଏଥର ଚାଲ…..।

ହଂସ ସାଏଁ କିନା ଉପରକୁ ଉଡ଼ିଗଲା। ହେଲେ ଘାସ ଦଉଡ଼ି ଛିଡ଼ିଗଲା। ବାଳିଆ ଓ କଙ୍କଡ଼ା ଗବ୍‌ଗାବ୍‌ ହୋଇ ପାଣିରେ ପଡ଼ିଲେ। ଖାଦ୍ୟ ବି ନଷ୍ଟ ହେଲା। ବାଳିଆ, କଙ୍କଡ଼ା ସେଇମିତି ଚାହିଁଥାଆନ୍ତି ଆକାଶକୁ।

ଅଷ୍ଟମ ଶ୍ରେଣୀ
ପୁରୁଣା ବାନ୍ଧଗୁଡ଼ା, କେଉଁଝର

ସମ୍ବନ୍ଧିତ ଖବର