ଏକ ପୋଖରୀ କୂଳରେ ଜଣେ ବ୍ରାହ୍ମଣ ବାସ କରୁଥିଲେ। ବ୍ରାହ୍ମଣ ରହୁଥିବା ବିପରୀତ ପାର୍ଶ୍ବରେ ଜଣେ ଚୋର ବାସ କରୁଥିଲା। ବ୍ରାହ୍ମଣ ସବୁବେଳେ ପୂଜା କାର୍ଯ୍ୟରେ ଲିପ୍ତ ରହୁଥିଲେ। କିନ୍ତୁ ଚୋର ଦିନବେଳେ ଘରେ ଶୋଇଥାଏ। ରାତିରେ ଚୋରି କରି ପାହାନ୍ତିଆ ସମୟରେ ଘରେ ପହଞ୍ଚେ। ଯେତେବେଳେ ସେ ଶୋଇବାକୁ ଯାଏ ଭଗବାନଙ୍କୁ ପ୍ରାର୍ଥନା କରେ, ହେ ଭଗବାନ! ମୋ ପିଲାଙ୍କ ପାଇଁ ଏହି ଚୋରିବିଦ୍ୟା କରୁଛି, ଏହା ଏକ ଭୁଲ କାମ, ମୋତେ କ୍ଷମା କର। ଏହିପରି ଭାବେ ଦିନ ପରେ ଦିନ ବିତିଗଲା। ମାତ୍ର ପାହାନ୍ତିଆ ସମୟରେ ବ୍ରାହ୍ମଣ ପୋଖରୀରେ ଗାଧୋଉଥିବାରୁ ଚୋରର କାରବାର ସେ ସବୁ ଜାଣନ୍ତି। ଯେଉଁଦିନ ଚୋରିଧନ ଦେଖନ୍ତି ସେଦିନ ବ୍ରାହ୍ମଣ ଗୋଟିଏ କୁଶକୁ ସଜେଇ ରଖନ୍ତି। ଦିନ ଗଡ଼ିଚାଲେ। ତାଙ୍କର କୁଶ ପରିମାଣ ବଢ଼ି ବଢ଼ି ଏକ ଛୋଟ ବିଡ଼ାରେ ପରିଣତ ହେଲା।
କାଳର ସଂଯୋଗକୁ ବ୍ରାହ୍ମଣ ଓ ଚୋରର ଏକାସାଙ୍ଗରେ ମୃତ୍ୟୁ ଘଟିଲା। ଚୋରର ସ୍ବର୍ଗପ୍ରାପ୍ତି ହେଲା। ମାତ୍ର ଯମଦୂତ ବ୍ରାହ୍ମଣଙ୍କୁ ନେବାକୁ ଆସିଲେ। ସେ କହିଲେ, ‘‘ଆପଣ ବୋଧହୁଏ ଭୁଲ୍ରେ ମୋ ପାଖକୁ ଆସିଛନ୍ତି। କାରଣ ମୁଁ ତ ସବୁବେଳେ ଜପ, ତପ, କୀର୍ତ୍ତନ ଓ ଭଗବାନଙ୍କ ନାମ ଉଚ୍ଚାରଣ କରୁଛି, ମୋର କେଉଁଠି ଭୁଲ୍ ରହିଲା ଯେ ନର୍କକୁ ଯିବି।’’ ଯମଦୂତ ଉତ୍ତର ଦେଲେ, ଏହା ସତ୍ୟ ଯେ ତୁମେ ଜପ ଓ ତପ କରୁଛ, ମାତ୍ର ଯେଉଁ କୁଶ ବିଡ଼ାଟି ରଖିଛ ତାହା ହିଁ ତୁମର ପାପର ପଙ୍କ। କୁଶ ବିଡ଼ା ପାଇଁ ତୁମେ ନର୍କକୁ ଯିବ। ତୁମେ ଭଗବାନଙ୍କୁ ପ୍ରାର୍ଥନା କରୁଥିଲ ମାତ୍ର ତୁମର ମନ ଥିଲା ଚୋର ଉପରେ। ସେ କେତେ ସମ୍ପତ୍ତି ଚୋରି କରି ଆଣିଛି, କିପରି ରାତାରାତି ବଡ଼ଲୋକ ହୋଇଯାଉଛି।
ମାତ୍ର ଚୋରଟି ଶୋଇଲାବେଳେ ଭଗବାନଙ୍କୁ ପ୍ରାର୍ଥନା କରିଛି, ଭୁଲ୍ ପାଇଁ କ୍ଷମା ମାଗିଛି। ତେଣୁ ସେ ନିଜର କର୍ତ୍ତବ୍ୟକୁ ଈଶ୍ବରଙ୍କ କାର୍ଯ୍ୟ ଭଳି ମାନେ। ଯେତେବେଳେ ସମୟ ପାଏ ଭୁଲ୍ ପାଇଁ ଅନୁତାପ କରେ। ଆବଶ୍ୟକ େବଳେ ପରର ଉପକାର କରେ। ମାତ୍ର ତୁମେ କେବେ ବି କାହାର ଉପକାର କରିନ ବରଂ ଅନ୍ୟକୁ ସମାଲୋଚନା କରିଛ। ଏହା ହିଁ ତୁମର ଦୁଃଖ ଓ ନରକ ଗତିର କାରଣ। ବ୍ରାହ୍ମଣ ଦୋଷ ସ୍ବୀକାର କରି ନର୍କଗାମୀ ହେଲେ।
ଶୁଆକାଟି, ମୟୂରଭଞ୍ଜ