ବହୁତ ଦିନ ତଳର କଥା। ଜଣେ ଲୋକ ବତକଟିଏ ପାଳିଥାଏ। ଛୋଟବେଳୁ ତା’କୁ ଆଣି ନିଜର ସବୁ ସମୟ ସେ ବତକଟିକୁ ଦେଉଥିଲା। ‌ଏପଟେ ବତକଟି ବଡ଼ ଅଦ୍‌ଭୁତ ଥିଲା। ବଡ଼ହେଲା ପରେ ସେ ସବୁଦିନ ଗୋଟିଏ ମାତ୍ର ଅଣ୍ଡା ଦିଏ। କିଛି ସମୟ ପରେ ଅଣ୍ଡାଟି ସଙ୍ଗେ ସଙ୍ଗେ ସୁନା ପାଲଟିଯାଏ। ଲୋକଟି ଏହା ଦେଖି ଅଣ୍ଡାଗୁଡ଼ିକୁ ବିକିବାକୁ ନିଏ ନାହିଁ। ସବୁଦିନ ଗୋଟିଏ ଟାଣୁଆ ବାକ୍ସରେ ଅଣ୍ଡାକୁ ରଖେ। ଦିନକୁ ଦିନ ତା’ର ଲୋଭ ବଢ଼ିବାରେ ଲାଗିଲା। ସୁନା ଦେଖି ତା’ର ମୋହ ବଢ଼ିବାକୁ ଲାଗିଥିବାବେଳେ ତା’ର ବତକ ପ୍ରତି ଥିବା ସ୍ନେହ ଓ ମମତା କମିବା‌େର ଲାଗିଲା।

Advertisment

ଏମିତି ସୁନା ଅଣ୍ଡା ରଖି ରଖି ପୃଥିବୀରେ ସେ ସବୁଠାରୁ ବଡ଼ ଧନୀ ହେବାକୁ ଚେଷ୍ଟା କଲା। ବାକ୍ସଟି କିପରି ସୁନାଅଣ୍ଡାରେ ପୂରିଯିବ ତା’ର କେବଳ ସେଇ ଚିନ୍ତା ରହିଲା। ଲୋଭର ସୀମା ଟପିଗଲା। ସବୁଦିନ ଏମିତି ଗୋଟିଏ ଗୋଟିଏ ଅଣ୍ଡାକୁ କେତେ ଅପେକ୍ଷା କରିବ ଭାବିଲା। ଗୋଟିଏ ଦିନରେ ସବୁ ସୁନା ଅଣ୍ଡା ବାହାର କରିଦେବ ବୋଲି ଚିନ୍ତା କଲା। ତା’ ମନକୁ ଆସିଲା ଯେ, ବତକଟିର ଦେହ ଭିତର ନିଶ୍ଚେ ସୁନା ହୋଇଥିବ। ତା’ ନ ହେଲେ ସେ ସୁନା ଅଣ୍ଡା ଦିଅନ୍ତା କିପରି! ଏକଥା ଭାବି ସେ ବତକଟିକୁ ମାରିଦେଲା। ତା’ ଦେହ ଭିତର କାଟି ଦେଖିଲା, କିନ୍ତୁ ସୁନା ନାହିଁ? ଲୋକଟିର ମୁଣ୍ଡ ଘୂରିଗଲା। ସେ ଚମକି ପଡ଼ିଲା। ଧନୀ ହେବାର ନିଶାରେ ନିଜର ସୁନାଅଣ୍ଡା ଦେଉଥିବା ବତକଟିକୁ ସେ ମାରିଦେଲା ବୋଲି ବହୁତ ଦୁଃଖ ପ୍ରକାଶ କଲା। କିନ୍ତୁ ସେତେବେଳକୁ ଲେଡ଼ିଗୁଡ଼ କହୁଣୀକୁ ବୋହି ଯାଇଥିଲା।

ନିତାର ନିବାସ, ବଡ଼ଦାଣ୍ଡ, ପୁରୀ