ସାଙ୍ଗମାନଙ୍କ ଜନ୍ମଦିନ ପାଳନ ଦେଖି ଦିନେ ବିଲୁଆର ଛୁଆ ତା’ ମାଆ ପାଖରେ ସେମିତି ଜନ୍ମଦିନ ପାଳନ କରିବା ପାଇଁ ଅଳି କଲା। ପ୍ରଥମେ ବିଲୁଆ ନାହିଁ କଲା। ପରେ ଛୁଆର ମନଖରାପ ଦେଖି ରାଜି ହୋଇଗଲା। ଏହା ଶୁଣି ବିଲୁଆ ଛୁଆର ଖୁସି କହିଲେ ନ ସରେ। ସେ ସକାଳୁ ଉଠି ସାଙ୍ଗମାନଙ୍କୁ ନିମନ୍ତ୍ରଣ କରିବାକୁ ବାହାରିଲା। ଏହା ଦେଖି ମା’ ବିଲୁଆ ତା’କୁ କହିଲା- ଦେଖ୍ ସାଙ୍ଗମାନଙ୍କୁ କହିବୁ କେବଳ ଆସିବେ, କୌଣସି ଉପହାର ଆଣିବେନି। ଏଥିରେ ଛୁଆଟି ସାମାନ୍ୟ ମନଦୁଃଖ କଲା। ତାହା ଦେଖି ପୁଣି ମା’ କହିଲା- ହଉ ତୁ ଚାହୁଁଛୁ ଯଦି ଉପହାର ଆଣିବା ପାଇଁ ତେବେ ଗଛ ଉପହାର ଆଣନ୍ତୁ। ଏଥର ଛୁଆଟି ଖୁସି ହୋଇଗଲା। ତା’ର ସାଙ୍ଗମାନଙ୍କୁ ସେହି ଅନୁସାରେ କହିଲା।
ମା’ ଲାଗିପଡ଼ିଲା ରୋଷେଇ ବାସରେ। ସନ୍ଧ୍ୟାବେଳକୁ ଛୁଆର ସାଙ୍ଗମାନେ ଆସିଲେ। ପ୍ରତ୍ୟେକଙ୍କ ହାତରେ ଗୋଟିଏ ଲେଖାଏଁ ଚାରା। ତାହା ଦେଖି ବିଲୁଆ ଭାରି ଖୁସି ହୋଇଗଲା। ସେ ଛୁଆର ସାଙ୍ଗମାନଙ୍କୁ ଭଲଭାବରେ ଖୁଆଇ ବିଦାକଲା। ସମସ୍ତେ ଖୁସିରେ ନିଜ ନିଜ ଘରକୁ ଫେରିଲେ।
ସକାଳ ହେଲା। ଗଛଗୁଡ଼ିକୁ ଦେଖି ବିଲୁଆ ଛୁଆର ମନ ଭାରି ଦୁଃଖ। କାରଣ ସେ ଚାହୁଁଥିଲା ସାଙ୍ଗମାନଙ୍କଠାରୁ ଅନ୍ୟ ଉପହାର। ମାଆ ବିଲୁଆ କିନ୍ତୁ ସେଗୁଡ଼ିକୁ ନେଇ ବଣର ଖାଲି ଜାଗାଗୁଡ଼ିକରେ ଲଗାଇବାରେ ବ୍ୟସ୍ତ। ଏକଥା ଜଙ୍ଗଲର ରାଜାଙ୍କ କାନକୁ ଗଲା। ରାଜା ବାପା ବିଲୁଆକୁ ଡକାଇ ଗଛ ଲଗାଇବାର କାରଣ ପଚାରିଲେ। ବିଲୁଆ କହିଲା- ଆମ ପୂର୍ବପୁରୁଷମାନେ ଏ ଜଙ୍ଗଲ ସୃଷ୍ଟି କରିଥିବାରୁ ଆଜି ଆମେ ଏଠି ରହୁଛୁ। ଜଙ୍ଗଲ କ୍ଷୟ ହେଲେ ଆମ ବଂଶଧର ତ ଯିବେ, ତା’ ସହିତ ସବୁ ପ୍ରାଣୀ ବି ଯିବେ। ଏହା କହିବା ସହିତ ଗଛଗୁଡ଼ିକ ସଂଗ୍ରହ କରିବାର ଉପାୟ ରାଜାଙ୍କ ଆଗରେ ସେ କହିଲା। ରାଜା ସବୁ ଶୁଣିବା ପରେ ବିଲୁଆର ଛୁଆକୁ ଡକାଇ ପଠାଇଲେ। ତା’ ପାଇଁ ଏତେ ଗଛ ଯୋଗାଡ଼ ହୋଇପାରିଥିବାରୁ ତାକୁ ବହୁତ ପୁରସ୍କାର ଦେଲେ।
ମା’ ବିଲୁଆ ତା’ ଛୁଆର ଖୁସି ଦେଖି କହିଲା- ତ୍ୟାଗର ମୂଲ୍ୟ ସବୁଠାରେ ଅଧିକ। ତୋର ସାଙ୍ଗମାନେ ଗଛ ବ୍ୟତୀତ ଅନ୍ୟ ପୁରସ୍କାର ଦେଇଥିଲେ ତୁ ଆଜି ରାଜାଙ୍କଠାରୁ ଏ ପୁରସ୍କାର ପାଇପାରି ନ ଥାନ୍ତୁ। ତେଣୁ ମନେରଖ ଭଲ ଚିନ୍ତାରେ ଫଳ ସବୁବେଳେ ମିଠା।
କୁଞ୍ଜକାନ୍ତ, ଢ଼େଙ୍କାନାଳ