ଆସୁଛି ବଡ଼ଦିନ

ତୁମ କାହାଣୀ - ଚିନ୍ମୟୀ ପଣ୍ଡା

ସବୁ ବର୍ଷ ଓମ୍ ବଡ଼ଦିନର ମାସେ ଆଗରୁ ଯୋଜନା କରେ।

ବାପାଙ୍କୁ ରଖେଇ ଥୋଇ ଦିଏନି । କେବେ ସାନ୍ତାକ୍ଲଜ୍ ବେଶ ପାଇଁ ପୋଷାକ କିଣା ହେବ! କି କି ମିଠାଇ ଆସିବ… ତା’ର କେଉଁ କେଉଁ ସାଙ୍ଗଙ୍କୁ ମିଠାଇ ବାଣ୍ଟିବ ….। ସବୁବେଳେ ଏଇ ଆଲୋଚନା କରୁଥାଏ । କିନ୍ତୁ ଏଥର ବଡ଼ଦିନ ପାଇଁ ଆଉ ମାତ୍ର ଦଶ ଦିନ ଅଛି। ତଥାପି ସେ ଏ ପର୍ଯ୍ୟନ୍ତ ସେ କଥା କିଛି ଉଠାଉନାହିଁ। ସବୁବେଳେ ଚୁପ୍ ଚାପ୍ ମନ ମାରି ବସୁଛି । ତା’ର ମୁହଁ ଶୁଖା ଦେଖି ମା’ ବାପାଙ୍କ ମନ ଭାରି ଦୁଃଖ।

ସେଦିନ ଅଫିସରୁ ଫେରି ଓମ୍‌ ର ବାପା ତାକୁ ପାଖକୁ ଡାକିଲେ। ପିଠି ଆଉଁସି ପଚାରିଲେ, ତୋର କ’ଣ ହୋଇଛି କିରେ ଏମିତି ମୁହଁ ମାରି ଚୁପ୍ ଚାପ୍ ରହୁଛୁ। ଏଥର ବଡ଼ଦିନ ପାଳିବୁ ନାହିଁ କି ? ଚାଲ୍ ଆଜି ସଂଧ୍ୟାରେ ଯାଇ ତୋ’ର ସାନ୍ତାକ୍ଲଜ୍ ଡ୍ରେସ୍ କିଣି ଆଣିବା । ଆଉ ସେଦିନ କ’ଣ କ’ଣ ମିଠା ଆଣିବୁ ସେ କଥା ମିଠା ଦୋକାନରେ କହି ବରାଦ ଦେଇ ଆସିବା। ନହେଲେ ସେଦିନ କିଛି ବି ପାଇବା ନାହିଁ।

ବାପାଙ୍କ କଥା ଶୁଣି ଓମ୍ ଆଖି ଛଳ ଛଳ କରି କହିଲା, ନା ବାପା ଥାଉ ସେସବୁ କିଛି ଦରକାର ନାହିଁ।” ବାପା ଆଶ୍ଚର୍ଯ୍ୟ ହେଲେ! କହିଲେ, କିରେ କାହିଁକି ତୁ କ’ଣ ଏଥର ବଡଦିନ ପାଳିବୁ ନାହିଁ କି? ଓମ୍ କହିଲା ବାପା କରୋନା ପାଇଁ ମୋ ସାଙ୍ଗ ମାନେ ତ କେହି ଆସିବେନି, କାହା ସଙ୍ଗେ ବଡ଼ଦିନ ପାଳିବି। ବାପା କହିଲେ, ଓଃ ଏଇ କଥା , ସେମାନେ ନ ଆସିଲେ ଆମେ ଯିବା । ଓମ୍ କହିଲା , ନା ବାପା ! ମୁଁ କୁଆଡ଼େ ଯିବିନି। ମୁଁ ଏଥର ଅଲଗା ଭାବରେ ବଡ଼ଦିନ ପାଳିବି? ତୁମେ ଯେତିକି ଟଙ୍କା ଖର୍ଚ୍ଚ କରି ମୋ ପାଇଁ ଡ୍ରେସ୍‌ ଆଉ ମିଠାଇ କିଣିକି ଆଣିଥାନ୍ତ ସେତିକି ପଇସାରେ କିଛି ସୂତା କପଡ଼ା କିଣିକି ଆଣିଦିଅ। ଆଉ ମା’କୁ କୁହ ସେଥିରେ ମାସ୍କ୍‌ ସିଲେଇ କରିଦେବ। ମୁଁ ଏଥର ପାଖ ବସ୍ତିର ପିଲାମାନଙ୍କୁ ମାସ୍କ୍‌ ବାଣ୍ଟିବି। କାହିଁକି ନା ବର୍ତ୍ତମାନ ସମୟରେ ମାସ୍କ୍‌ ହିଁ ଜୀବନ ପାଇଁ ବରଦାନ।

ବାପା ଓମ୍ ର ଗରିବ ଦୁଃଖୀଙ୍କ ପ୍ରତି ସହାନୁଭୂତିପୂର୍ଣ୍ଣ ମନୋଭାବ ଦେଖି ଭାରି ଖୁସି ହୋଇଗଲେ। ବଜାରକୁ ଯାଇ କପଡ଼ା କିଣି ଆଣିଲେ। ଓମ୍ ର ମା’ ଅନେକ ଗୁଡ଼ିଏ ମାସ୍କ୍‌ ତିଆରି କଲେ। ଓମ୍ ସେ ସବୁକୁ ଯତ୍ନରେ ସଜାଡ଼ି ରଖି ବଡ଼ଦିନ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରି ରହିଲା।

ଫକୀରପୁର, କେନ୍ଦୁଝର

ସମ୍ବନ୍ଧିତ ଖବର