ମୋହରୁ ମୁକ୍ତି

ତୁମ କାହାଣୀ - ମନୋଜ କୁମାର ବେହେରା

ଏକଦା ଗୋଟିଏ ଘଞ୍ଚ ବୃକ୍ଷ ତଳେ ବିଶ୍ରାମ କରୁଥିଲେ ଦେବର୍ଷି ନାରଦ। ସେହି ଗଛଟି ଥିଲା ସିମିଳି ଗଛ। ନାରଦ ବୃକ୍ଷକୁ କହିଲେ, ‘ତୁମର ଶାଖା ପ୍ରଶାଖା ବହୁତ ଘଞ୍ଚ’। ତୁମକୁ କ’ଣ ଡର ଲାଗେନି କାଳେ କେଉଁ ଦିନ ତୁମେ ଏଇ ବୈଭବକୁ ହରେଇ ଦେବ?’

ବୃକ୍ଷ ନାରଦଙ୍କ କଥା ଶୁଣି ଟିକିଏ ହସି ଦେଇ କହିଲା, ଦେବର୍ଷି.. ମୁଁ ଯଥା ସମ୍ଭବ ଚେଷ୍ଟା କରେ ମୋ ଶରଣକୁ ଆସୁଥିବା ଲୋକଙ୍କୁ ଛାୟା ପ୍ରଦ‌ାନ କରିବାକୁ। ମୋର କାହା ସହିତ କୌଣସି ଶତ୍ରୁତା ନାହିଁ। ତା’ହେଲେ କୁହନ୍ତୁ ତ କିଏ କାହିଁକି ମୋତେ କ୍ଷତି ପହଞ୍ଚାଇବ?

ତା’ର କିଛି ଦିନ ପରେ ନାରଦ ପହଞ୍ଚିଲେ ସ୍ବର୍ଗପୁରରେ। ସେଠି ତାଙ୍କର ଭେଟ ହେଲା ପବନ ଦେବତାଙ୍କ ସହିତ। ସେ ପବନ ଦେବତାଙ୍କୁ ଦେଖି ପଚାରିଲେ, ମୋର ବଣରେ ଗୋଟିଏ ସିମିଳି ଗଛ ସହିତ ଭେଟ ହେଇଥିଲା। କଥାବାର୍ତ୍ତାରୁ ଲାଗିଲା ତା’ର ବହୁତ ଗର୍ବ ହେଇଯାଇଛି। ସେ ଗର୍ବରେ ଏମିତି ମାତିଛି ଯେ ଆପଣଙ୍କୁ ଆଦୌ ଭୟ କରେନି।

ଏହା ଶୁଣି ପବନ ଦେବତାଙ୍କ ସର୍ବାଙ୍ଗ ଜଳିଗଲା କ୍ରୋଧରେ। ସେ ସେହି ବୃକ୍ଷକୁ ଉଚିତ ଶିକ୍ଷା ଦେବା ପାଇଁ ବାହାରି ପଡ଼ିଲେ। ଏପଟେ ସେହି ବୃକ୍ଷଟି ଆସୁଥିବା ବିପତ୍ତିକୁ ଜାଣିଗଲା। ସେ ନିଜର ସବୁ ପତ୍ରକୁ ଝଡ଼େଇ ଦେଇ ଗୋଟିଏ ଥୁଣ୍ଟା ଗଛ ହୋଇ ଛିଡ଼ା ହେଇଗଲା। ଯେତେବେଳେ ତୀବ୍ର ପବନ ବୋହିଲା, ସେତେବେଳେ ତା’ର କିଛି କ୍ଷତି ହେଲା ନାହିଁ। ଏହି ଘଟଣାର କିଛି ଦିନ ପରେ ସଂଯୋଗବଶତଃ ନାରଦ ସେହି ବଣ ଭିତର ଦେଇ ଯାଉଥିଲେ। ସେ ଦେଖିଲେ ସେହି ସିମିଳି ଗଛଟି ପୂର୍ଣ୍ଣ ବୈଭବ ସହିତ ମୁଣ୍ଡ ଟେକି ଛିଡ଼ା ହେଇଛି। ଏହା ଦେଖି ନାରଦ ତାକୁ କହିଲେ, ଏତେ ବଡ଼ ଝଡ଼ ପରେ ମଧ୍ୟ ତୁମେ ପୂର୍ବ ଭଳି ଛିଡ଼ା ହୋଇଛ? ଏହାର ପ୍ରକୃତ ରହସ୍ୟ କ’ଣ?

ବୃକ୍ଷଟି ଏହା ଶୁଣି ହସି ହସି କହିଲା, ‘ମୁଁ ମୋ ପାଖରେ ଥିବା ବୈଭବର ମୋହରେ ଆଉ ବାନ୍ଧି ହେଇନାହିଁ ଦେବର୍ଷି, ଯେଉଁଥି ପାଇଁ ମୋତେ ଦୁଃଖ ହେବ’।

ବୃକ୍ଷଟିର କଥା ଶୁଣି ନାରଦ ହୃଦୟଙ୍ଗମ କରିପାରିଲେ ତା’ କଥାରେ ଥିବା ଗୂଢ଼ ରହସ୍ୟ। ଆମକୁ ନା’ କେବେ ନିଜ ରୂପ, ବୈଭବ ଉପରେ ଅଭିମାନ କରିବା କଥା ନା’ କେବେ ବି ସଂଗ୍ରହ କରିଥିବା ଧନ ଉପରେ ଗର୍ବ କରିବା କଥା।

ୟୁନିଟ୍‌-୯, ବାୟାବାବା ମଠ ଲେନ୍
ଭୁବନେଶ୍ବର

ସମ୍ବନ୍ଧିତ ଖବର