ଶକ୍ତିମାନ

ତୁମ କାହାଣୀ - ଶ୍ରୁତକୀର୍ତ୍ତି ତ୍ରିପାଠୀ

ଚିଣ୍ଟୁ ଟିଭି ଦେଖୁଥିବା ଦେଖି ମାଆ ପାଠ ପଢ଼ିବାକୁ ଡାକିଲେ। ଚିଣ୍ଟୁ ଏଇ ସିରିଏଲ୍‌ ଟା ଦେଖିଲା ପରେ ପାଠ ପଢ଼ିବାକୁ ଯିବ ବୋଲି କହିଲା, କାରଣ ସେଇଟା ଥିଲା ତାର ସବୁଠାରୁ ପସନ୍ଦର ସିରିଏଲ୍‌। ମାଆ ବି ଉତ୍ସାହର ସହିତ ଜାଣିବାକୁ ଚାହିଁଲେ ଯେ କାହିଁକି ସିରିଏଲ୍‌ଟା ଚିଣ୍ଟୁର ଏତେ ପସନ୍ଦ ! ଚିଣ୍ଟୁ ଦେଖୁଥାଏ ଦୂରଦର୍ଶନରେ ପ୍ରସାରିତ “ଶକ୍ତିମାନ’’।

ସିରିଏଲ୍‌ ସରିଲା ପରେ ମାଆ ପଚାରିଲେ, ‘ ମୁଁ ଜାଣେ ଚିଣ୍ଟୁ, ତୋତେ କାହିଁକି ଏତେ ପସନ୍ଦ ଏହି ସିରିଏଲ୍‌ ! ଶକ୍ତିମାନ ଯେତେବେଳେ ଇଚ୍ଛା ଯେଉଁଠିକୁ ଯାଇ ଆସି ପାରୁଛି, ପିଲାମାନଙ୍କୁ ଭଲ ଭଲ କଥା ସବୁ ଶିଖାଉଛି। ଆଉ ସବୁଠାରୁ ବଡ଼ କଥା, କାହାର କୌଣସି ଅସୁବିଧା ହେଲେ ତାର ସମାଧାନ ବାହାର କରିଦେଉଛି। ତୋ ଭଳିଆ ଛୋଟ ପିଲାମାନଙ୍କୁ ଭାରି ଭଲ ଲାଗୁଛି ଏସବୁ, ନୁହେଁ?’

‘ହେଲେ ବାପା ଜାଣିଛୁ, ଏସବୁ ସତରେ କେବେ ବି ସମ୍ଭବ ହୋଇପାରେ ନାହିଁ। ଟିଭିରେ ଯାହା ଦେଖାଉଛି ସବୁ ସତ ନୁହେଁ?’

ଚିଣ୍ଟୁ ମୁହଁ ଶୁଖେଇ କହିଲା, ‘ ସତ ନୁହେଁ, କେମିତି? ସେ ପରା ଶକ୍ତିମାନ! ସମସ୍ତଙ୍କୁ, ବିଶେଷ କରି ଛୋଟ ପିଲାଙ୍କୁ ସାହାଯ୍ୟ କରିବା ପାଇଁ ସେ ଏତେ ଶକ୍ତି ପାଇଛି। ଯେତେ କଷ୍ଟ ହଉ ପଛକେ, ଦିନ ହଉ କି ରାତି ସେ ତାର ବୁଦ୍ଧି ଓ ଶକ୍ତି ଲଗେଇ ସବୁ ଅସୁବିଧା କୁ ଦୂରେଇବାରେ ନିଶ୍ଚୟ ସଫଳ ହୁଏ।’

ମାଆ ହସି ହସି କହିଲେ, ‘ ଆଚ୍ଛା, ତେବେ ଏଇ ଶକ୍ତିମାନ ଯଦି ଆସି ଆମ ଘରେ ରହନ୍ତା, କେତେ ଭଲ ହୁଅନ୍ତା, ନୁହେଁ? ତୋର ସବୁ ଛୋଟ ବଡ଼ ସମସ୍ୟାର ସମାଧାନ ବହୁତ ଆରାମରେ କରିଦିଅନ୍ତା?’

ମୁଚୁକୁନ୍ଦୀ ହସ ମୁହଁରେ ଖେଳେଇ ଚିଣ୍ଟୁ କହିଲା, ‘ ମାମା, ଆମ ଘରେ ତ ଶକ୍ତିମାନ ଆଗରୁ ହିଁ ଅଛି !’

ଆଶ୍ଚର୍ଯ୍ୟ ହୋଇ ମାଆ କହିଲେ, “କେମିତି… କିଏ, କହିଲୁ !!”

“କାଇଁ ମୋ ପାପା, ସେ କଣ ମୋ ପାଇଁ ଶକ୍ତିମାନ ଠାରୁ କମ୍‌ କି? ଯେତେବେଳେ ମୁଁ ଯାହା କହେ ସେ ମନା କରନ୍ତି ନାହିଁ। ମୋ ସହିତ ଖେଳନ୍ତି, ବୁଲେଇବାକୁ ନିଅନ୍ତି, ମଜା ମଜା କଥା କହି ମୋତେ ଖୁବ ହସାନ୍ତି। ମୁଁ ୟାଡୁ ସ୍ୟାଡୁ ଯେତେ ପ୍ରଶ୍ନ ପଚାରିଲେ ସୁଦ୍ଧା ନ ରାଗି ମୋ ସବୁ ପ୍ରଶ୍ନର ଉତ୍ତର ଉଦାହରଣ ସହ ବୁଝେଇଦିଅନ୍ତି। ଆଉ ହଁ ବେଳେବେଳେ ମୁଁ ଅମାନିଆ ହେଲେ ରାଗନ୍ତି, ଗାଳି ବି କରନ୍ତି, ହେଲେ ପରମୁହୂର୍ତ୍ତରେ ବହୁତ ଗେଲ କରି ଆଉ ସେମିତି ଭୁଲ ନ କରିବାକୁ ବୁଝେଇ ଦିଅନ୍ତି l ଏବେ ତମେ କହିଲ, ମୋ ପାପା କଣ ଏଇ ଟିଭିର ଶକ୍ତିମାନ ଠାରୁ କମ୍‌?

ମାଆ ଭାବୁଥିଲେ ଚିଣ୍ଟୁ ସତରେ ଶକ୍ତିମାନ ସିରିଏଲ୍‌ର ଠିକ୍‌ ମହତ୍ତ୍ୱ ବୁଝିପାରିଛି।

ବିବେକାନନ୍ଦ ମାର୍ଗ
ଭୁବନେଶ୍ୱର-୨

ସମ୍ବନ୍ଧିତ ଖବର