ମହାମାରୀ

ତୁମ କାହାଣୀ - ସୁଧାଂଶୁ ଶେଖର ଦ୍ବିବେଦୀ

ଥରେ ଜଣେ ରାଜାଙ୍କ ରାଜ୍ୟରେ ଭୀଷଣ ମହାମାରୀ ବ୍ୟାପିଗଲା। ଚାରିଆଡ଼େ ଲୋକମାନେ ପୋକ ମାଛି ପରି ମରିବାକୁ ଲାଗିଲେ। ମହାମାରୀ ସଂକ୍ରମଣକୁ ରୋକିବାପାଇଁ ରାଜା ବହୁତ ପ୍ରକାର ଉପାୟ ପ୍ରୟୋଗ କଲେ।କିନ୍ତୁ ସେଥିରେ କୌଣସି ପ୍ରଭାବ ପଡ଼ିଲା ନାହିଁ। ପୂର୍ବପରି ଲୋକମାନେ ମରିବାକୁ ଲାଗିଲେ। ହଠାତ ଦିନେ ଆକାଶ ମାର୍ଗରୁ ଗୁରୁଗମ୍ଭୀର ଶବ୍ଦ ଶୁଭିଲା,”ହେ ରାଜା! ତୁମ ରାଜ୍ୟର ରାଜଧାନୀରେ ବହୁ ପୁରୁଣା କୂଅଟିଏ ଅଛି। ସେହି କୂଅ ମଧ୍ୟରେ ଅମାବାସ୍ୟା ରାତିରେ ରାଜ୍ୟର ପ୍ରତ୍ୟକ ଘରର ଲୋକ ବାଲ୍ଟିଏ ଲେଖାଏଁ କ୍ଷୀର ଢାଳିଲେ ମହାମାରୀ ଦୂରେଇ ଯିବ। ଲୋକମାନଙ୍କର ମରିବା ବନ୍ଦ ହୋଇଯିବ।”

ଆକାଶବାଣୀ ଶୁଣିବା ପରେ ରାଜା ତୁରନ୍ତ ସାରା ରାଜ୍ୟରେ ଏହି କଥା ଘୋଷଣା କରି ଜଣାଇଦେଲେ। ରାଜାଙ୍କ ଘୋଷଣାନାମା ଶୁଣି ରାଜ୍ୟବାସୀ କୂଅରେ କ୍ଷୀର ଢାଳିବା ପାଇଁ ପ୍ରସ୍ତୁତ ହୋଇଗଲେ। ସେମାନଙ୍କ ମଧ୍ୟରୁ ଜଣେ ବୁଢ଼ୀ ଭାବିଲା, ସବୁ ଲୋକ ତ କୂଅରେ କ୍ଷୀର ଢାଳିବେ, କେବଳ ମୁଁ ଯଦି କ୍ଷୀର ବଦଳରେ ଗୋଟେ ବାଲ୍ଟି ପାଣି ଢାଳିଦିଏ, ତା’ହେଲେ କାହାରିକୁ କିଛି ଜଣା ପଡିବନି। କଞ୍ଜୁସ୍ ବୁଢ଼ୀ ମନେ ମନେ ଏଇଭଳି ବିଚାର କରି ଅମାବାସ୍ୟା ରାତିରେ ଚୁପ୍‌ଚାପ୍‌ କୂଅରେ ଗୋଟେ ବାଲ୍‌ଟି ପାଣି ଢାଳିଦେଲା।

ତା’ ପରଦିନ ମହାମାରୀ ଯେମିତି ସେମିତି ରହିଲା। କିଛି ବଦଳିଲା ନାହିଁ। ରାଜାଙ୍କୁ ଚିନ୍ତା ଘାରିଲା। ବିପରୀତ ଘଟଣା ଦେଖି ତାହାର କାରଣ ଜାଣିବା ପାଇଁ ସ୍ୱୟଂ କୂଅ ମୂଳକୁ ଯାଇ ସେ ଆଶ୍ଚର୍ଯ୍ୟଚକିତ ହୋଇଗଲେ। କ୍ଷୀରର ଆଦୌ ଚିହ୍ନ ବର୍ଣ୍ଣ ନାହିଁ। କୂଅରେ କେବଳ ପାଣି ଚହଲୁ ଥାଏ। ରାଜା ଜାଣିଲେ ପ୍ରଜାମାନେ ତାଙ୍କ ଆଦେଶକୁ ଠିକ୍ ରୂପେ ପାଳନ କରି ନାହାନ୍ତି। ଯାହାଫଳରେ ମହାମାରୀ ଥମିବାର ନାଁ ନେଉନି। ବୁଢ଼ୀ ତା’ ମନ ମଧ୍ୟରେ ଯାହା ବିଚାର କରିଥିଲା ସେହି ବିଚାର ରାଜ୍ୟବାସୀଙ୍କ ମନ ମଧ୍ୟରେ ବି ଉଦ୍ରେକ ହେଲା। ଯାହାଫଳରେ ହାତ ଗଣତି କେତେଜଣଙ୍କୁ ଛାଡିଦେଲେ ଅବଶିଷ୍ଟ କୂଅରେ ପାଣି ଢାଳିଥିଲେ।

ପ୍ରକୃତ ଜୀବନରେ ମଧ୍ୟ ଏହିପରି ଘଟିଥାଏ। ଯେବେ କୌଣସି ବିପତ୍ତି ଦେଶକୁ ପଡ଼େ ସମସ୍ତଙ୍କୁ ମିଳିମିଶି ତାହାର ମୁକାବିଲା କରିବାକୁ ହୋଇଥାଏ। ସେତିକିବେଳେ ଅଧିକାଂଶ ନିଜ କର୍ତ୍ତବ୍ୟକୁ ଭୁଲି ପଛଘୁଞ୍ଚା ଦେଇଥାନ୍ତି। ସେମାନେ ଭାବନ୍ତି କେହି ନା କେହି ତ କରିଦେବ। ଏହିଭଳି ଭାବନା ପାଇଁ ସ୍ଥିତି ଆହୁରି ଅଧିକ ବିଗିଡ଼ି ଯାଏ।

ବିସି-୭୪, ସଲ୍‌ଟ ଲେକ,
କଲିକତା-୬୪

ସମ୍ବନ୍ଧିତ ଖବର