ପୁଗୁଡ଼ୁ ବୁଢ଼ା ଦେଲା ପାନେ

ତୁମ କାହାଣୀ - ସୌଦାମିନୀ ମୁର୍ମୁ

ପାହାଡ଼ ତଳି ଏକ ଗାଁ ମୁଣ୍ଡରେ ଥାଏ ଗୋଟିଏ ବୁଢ଼ା। ନାଁ ତା’ର ପୁଗୁଡ଼ୁ। ପୁଅ ନାଇଁ କି ଝିଅ ନାଇଁ। ବୁଢ଼ୀ ବି କେଉଁ ଦିନୁ ତାକୁ ଛାଡ଼ି ଚାଲିଗଲାଣି ଆରପାରିକୁ। ବୁଢ଼ା କିନ୍ତୁ ଏକୁଟିଆ ନ ଥିଲା। ତା’ ଘରେ ଥାଆନ୍ତି ପଲେ ଛେଳି, କୁକୁଡ଼ା ଓ ବତକ। ଦିନରାତି ଏମାନଙ୍କ ସେବାରେ ସେ ଲାଗିଥାଏ। ଠେଙ୍ଗୁଣି ଖଣ୍ଡିଏ ଧରି ଏକଡ଼ ସେକଡ଼ ହେଉଥାଏ। ବିଲୁଆ କି କୋକିଶିଆଳି ଦେଖିଲେ ମାରି ଗୋଡ଼ାଏ। ଠେଙ୍ଗୁଣିକୁ କାହାର ଭୟ ନାହିଁ? ବୁଢ଼ାର ଘର ଭିତର ପରିଷ୍କାର ସିନା ଘର ପଛଟା କିନ୍ତୁ ଅରମା ବଣ। ସେଇଠି ଘର କରିଥାଆନ୍ତି ଗୋଟେ ଶିଆଳ ପରିବାର। ଥରେ ଶିଆଳମାନେ ବିଚାରିଲେ ବୁଢ଼ା ଘରେ ରାତିରେ ପଶି ଛେଳିଛୁଆଟିଏ ଟେକି ଆଣିବେ। ତା’ପରେ ହେବ ରାତି ଅଧିଆ ଭୋଜି। ଏକଥା ପୁଗୁଡ଼ୁ ବୁଢ଼ା ଶୁଣିପାରିଲା। କହିଲା, ‘‘ହଉରେ ହଉ…ଦଉଚି ପାନେ ଆଜି’’।

ରାତି ଦେଲା। ବୁଢ଼ା ଶିଆଳ ଥିରି ଥିରି ଆସି କାନ୍ଥରେ ଗାତ ଖୋଳିଲା। ଯେମିତି ମୁହଁ ଗଳେଇଚି, ପୁଗୁଡ଼ୁ ବୁଢ଼ା ଦେଲା ଠେଙ୍ଗୁଣିରେ ଗୋଟେ ପାହାର। ଶିଆଳ କି ଆଉ ରହେ? କ୍ୟାଁ….କ୍ୟାଁ…ହେଇ ପଳେଇଲା। ତା’ ମୁଣ୍ଡରେ ଗୋଟେ ଆବୁ ହେଇ ରହିଲା। ପୁଣି କେତେ ଦିନ ଗଲା। ଟୋକା ଶିଆଳ କହିଲା, ‘‘ଆଜି ରାତିରେ ମୁଁ କୁକୁଡ଼ା ଭାଡ଼ିରେ ପଶି ବଡ଼ ଗଞ୍ଜାଟିକୁ ଟେକି ଆଣିବି’’। ଏକଥାଟା ବି ବୁଢ଼ା ଶୁଣି ନେଲା। କହିଲା ହଉ ହେଲା ତୋ’ର ଦିନେ କୁ ମୋର ଦିନେ। ଗୋଡ଼ ଟିପି ଟିପି ଭାଡ଼ି‌େର ପଶିଲା ଟୋକା ଶିଆଳ। ବୁଢ଼ା ଦାଆ ଧରି ବସିଥାଏ। ଯେମିତି ଟୋକା ମୁହଁ ଗଳେଇଚି ବୁଢ଼ା ଦେଲା ଫାଳେ ‌ଛାଞ୍ଚି। ହୁକେ ହୋ ….ହୁକେ ହୋ… କରି ପଳାଇଲା ଶିଆଳ।

ଆହୁରି କେତେ ଦିନ ଗଲା। ବତକ ମାଉଁସ ଖାଇବ ବୋଲି ବୁଢ଼ା ଶିଆଳ ଯୋଜନା କଲା। କହିଲା, ‘‘ଏଥର କାନ୍ଥ ଫାନ୍ଥ ନୁହେଁ, ମୁଁ ନଳା ବାଟେ ପଛୁଆ ପଛୁଆ ପୁଗୁଡ଼ୁ ବୁଢ଼ା ଘରେ ପଶିଯିବି।’’ ଭୋଜି ନିଶ୍ଚିତ। ପୁଗୁଡ଼ୁ ଏକଥା ଶୁଣି ରାଗରେ ପଞ୍ଚମ। ରାତି ହେଲାରୁ ଶିଆଳ ଆସିଲା। ପଛୁଆ ପଛୁଆ ଆସୁଥିବା ଦେଖି ବୁଢ଼ା ଦେଲା ତା’ ଲାଞ୍ଜକୁ ହାଣି। ପ୍ରାଣ ବିକଳରେ ରକେଟ୍‌ ପରି ସେ ସେଠାରୁ ଦଉଡ଼ି ପଳେଇଲା। ତା’କୁ ଦେଖି ତା’ ପୂରା ପରିବାର ବି ଧାଇଁବାକୁ ଲାଗିଲେ। ସକାଳ ହେଲାରୁ ପୁଗୁଡ଼ୁ ବୁଢ଼ା ଦେଖେ ତ ଶିଆଳ ପରିବାର ଯାଇ ପାହାଡ଼ ଆରପଟେ।

ନବମ ଶ୍ରେଣୀ
ଅମଲାପଡ଼ା, ଅନୁଗୁଳ

ସମ୍ବନ୍ଧିତ ଖବର