ଅଳ୍ପ ବିଦ୍ୟା ଭୟଙ୍କର

ତୁମ କାହାଣୀ - ରାଧେଶ ବିଶ୍ବାଳ

ଖରା ଛୁଟି ରେ ସିମୁଲ୍‌ ସହରରୁ ଅଜା ଘର ଗାଁ କୁ ବୁଲିବାକୁ ଯାଏ। ପ୍ରତି ବର୍ଷ ଭଳି ଏ ବର୍ଷ ମଧ୍ୟ ଗଲା। ଅଜା ଘର ପାଖରେ ଛୋଟ ନଦୀଟିଏ ଅଛି। ସାଙ୍ଗମାନଙ୍କ ସହିତ ସିମୁଲ୍‌ ସେଇଠି ଗାଧୁଆ ପାଧୁଆ କରେ। ଅନ୍ୟ ସାଙ୍ଗମାନେ ପହଁରିବାରେ ଓସ୍ତାଦ , କାରଣ ସେମାନେ ବର୍ଷ ସାରା ସେଇଠି ଗାଧୁଆ ପାଧୁଆ କରନ୍ତି। ହେଲେ ସିମୁଲ୍‌ ଅଳ୍ପ ଦିନ ପାଇଁ ଆସେ , ସହରରେ ତ ନଦୀ ପୋଖରୀ ରେ ଗାଧେଇବାର ବ୍ୟବସ୍ଥା ନାହିଁ, ତେଣୁ ତାକୁ ଏ ଯାଏ ପହଁରା ଆସି ନାହିଁ। ଏଥର ମନେ ମନେ ସ୍ଥିର କରିଥିଲା ଯେମିତି ହଉ ପହଁରା ଶିଖିବ। ନିଜ ସାଙ୍ଗମାନଙ୍କୁ ମନ କଥା ଖୋଲି କହିଲା। ସେମାନେ ରାଜି ହେଇଗଲେ।

ପ୍ରଥମ ଦିନ ନଦୀ ତୁଠ ପାଖା ପାଖି ଅଳ୍ପ ପାଣି ରେ ପହଁରା ଆରମ୍ଭ ହେଲା। ସିମୁଲ୍‌ କୁ ପ୍ରଥମେ ପ୍ରଥମେ ଭାରି ମଜା ଲାଗିଲା। ଆଉ ଧୀରେ ଧୀରେ ଅଳ୍ପ ବହୁତ ପହଁରା ଶିଖି ଗଲା। ଖରା ଛୁଟି ଭିତରେ ହୋଲି ପଡ଼ିଲା। ସାଙ୍ଗ ମାନଙ୍କ ସହିତ ସିମୁଲ୍‌ ଖୁବ ରଙ୍ଗ ଖେଳିଲା। ଗାଧେଇବା ପାଇଁ ପିଲେ ନଦୀ କୁ ଗଲେ। ଗାଧୁଆ ସାଙ୍ଗରେ ପହଁରା ବି ଚାଲିଲା। ଅଜାଣତ ରେ ସିମୁଲ୍‌ କେତେବେଳେ ଗହୀର ପାଣି କୁ ଚାଲି ଯାଇଥିଲା ଜାଣି ପାରିଲାନି। ଖଣ୍ଡି-ପହଁରା କାମ ଦେଲାନି, ତେଣୁ ଚିତ୍କାର କଲା – ବଞ୍ଚାଅ, ବଞ୍ଚାଅ। ପାଖରେ ଗାଧୋଉଥିବା ସାଙ୍ଗ ମାନେ ତା ପାଖକୁ ଯାଇ କୂଳକୁ ଟାଣି ଆଣିଲେ। ସିମୁଲ୍‌ ର ଅଜା ବି ପାଟି ତୁଣ୍ଡ ଶୁଣି ଦୌଡ଼ି ଆସିଲେ। ସିମୁଲ୍‌ ସେତେ ବେଳକୁ ପେଟେ ନଦୀ ପାଣି ପିଇ ସାରିଥାଏ। ତା’ ପେଟ କୁ ଜାକି ସାଙ୍ଗ ମାନେ ପାଣି ବାହାର କଲା ପରେ ସିମୁଲ୍‌ କୁ ଧୀରେ ଧୀରେ ସୁସ୍ଥ ଲାଗିଲା।

ଘରକୁ ଆସିଲା ପରେ ଆଈଙ୍କ ସେବା ଯତ୍ନ ପରେ ପୂରା ଠିକ ହେଇ ଗଲା। ସଞ୍ଜ ବେଳକୁ ଅଜା ପାଖକୁ ଡାକି କହିଲେ – ତୁ ଜାଣିନୁ କି , ଅଳ୍ପ ବିଦ୍ୟା ଭୟଙ୍କର ବୋଲି। ତୁ ଏଯାଏ ଭଲକି ପହଁରା ଶିଖିନୁ, ଗହୀର ପାଣି କୁ କାହିଁକି ଯାଉଥିଲୁ? ସିମୁଲ୍‌ କହିଲା – ମୁଁ ଭାବିଲି ବୋଧେ ପହଁରା ଶିଖି ଗଲିଣି, ତେଣୁ ଯେତେ ପାଣି କୁ ଗଲେ ବି ପହଁରି ପାରିବି। ସେଥି ପାଇଁ ବେଶି ପାଣି କୁ ଚାଲି ଗଲି। ହେଲେ ଏବେ ମୋ ଭୁଲ ବୁଝି ପାରିଲି। କୌଣସି ବିଷୟରେ ଭଲ କି ନ ଜାଣି, ନ ଶିଖି ସେ ବିଷୟରେ ବେଶି ଦୂର ଆଗେଇଯିବା ଭୁଲ। ଗଲେ, ଅସୁବିଧା ରେ ପଡିବା ନିଶ୍ଚିତ।

ଅଜା ଖୁସି ହେଲେ କି ନାତିଆ ନିଜ ଭୁଲ ବୁଝି ପାରିଛି।

ତୃତୀୟ ଶ୍ରେଣୀ
ସାଉଥ ପଏଣ୍ଟ୍‌ ସ୍କୁଲ, କୋଲକାତା-୧୯

ସମ୍ବନ୍ଧିତ ଖବର