ଜଙ୍ଗଲରେ ଥରେ ସବୁ ପଶୁ ଓ ପକ୍ଷୀଙ୍କ ଭିତରେ ପ୍ରତିଯୋଗିତା ଚାଲିଲା। ବିଷୟ ହେଲା କିଏ ପରିବେଶ ସହିତ ମଣିଷଙ୍କ କାମରେ ଆସେ। ସେଥିରେ ହାତୀଠାରୁ ଆରମ୍ଭ କରି ଘୋଡ଼ା, ଠେକୁଆ, କାଉ, ବଗ, କୋଇଲି, ଶାଗୁଣା, ପେଚା ଆଦି ଯୋଗ ଦେଇଥାନ୍ତି। ଜଙ୍ଗଲରେ ଗୋଟିଏ ଦିନ ସଭା ବସିଲା। ବାଘ ଥିଲେ ରାଜା।
ସମସ୍ତଙ୍କୁ ସମସ୍ତଙ୍କର ପ୍ରକୃତି ଓ ସେମାନଙ୍କର ମନୋଭାବ ବିଷୟରେ ପଚରାଗଲା। ପ୍ରଥମେ ହାତୀ କହିଲା, ‘‘ମୁଁ ଆକାରରେ ବଡ଼ ଏବଂ ମଣିଷମାନେ ମତେ ସର୍କସରେ ରଖେଇ ପଇସା ରୋଜଗାର କରନ୍ତି।’’ ଗଧ କହିଲା,‘‘ ମୁଁ ମଣିଷଙ୍କ ଜିନିଷପତ୍ର ନେବା ଆଣିବା କରେ। ସାହୁକାରଙ୍କ ଠାରୁ ଆରମ୍ଭ କରି ଶ୍ରମିକମାନେ ମଧ୍ୟ ମତେ ସେମାନଙ୍କ କାମରେ ଲଗାଇଥାଆନ୍ତି।’’ କୁକୁର କହିଲା, ‘‘ମୁଁ ମଣିଷଙ୍କ ଘର ଜଗେ’’। ସେହିପରି ଶୁଆ କହିଲା, ‘‘ମଣିଷ ସିନା ମତେ ପଞ୍ଜୁରିରେ ରଖେ କିନ୍ତୁ ସେ ମତେ ଦେଖି ଖୁସି ହୁଏ।’’ ସେହିପରି କାଉ, କୋଇଲି, ଆଦି ସମସ୍ତେ ନିଜ ନିଜ ବକ୍ତବ୍ୟ ପ୍ରଦାନ କଲେ। ସଭାଟି ହୋ ହଲ୍ଲା କୋଳାହଳରେ ଭରିଗଲା।
କିଛି ସମୟ ପରେ ମହାରାଜା ବାଘ କହିଲେ ହଉ ହେଲା ସମସ୍ତଙ୍କ କଥାକୁ ଗୁରୁତ୍ବ ସହ ନିଆଗଲା ଓ ସେମାନଙ୍କ ଉପରେ ବିଚାର କରାଯିବ। କିନ୍ତୁ ଚୁପ୍ ବସିଥିବା ଶାଗୁଣାକୁ ଦେଖ। ଆଉ ତା’ ବିଷୟରେ ଟିକିଏ ଭାବ। ତାକୁ ସିନା ମଣିଷ ସେତେଟା ଭଲ ପାଏନି କି ପୋଷା କରି ରଖେନି କିନ୍ତୁ ମଣିଷ ସହିତ ପ୍ରକୃତିର ସେ କେତେ ଉପକାର କରେ ଟିକିଏ ଚିନ୍ତା କର? ମଲା ଜୀବଜନ୍ତୁ ହେଉ ଅବା ଅଳିଆ ଯେଉଁଠି ବି ପଡ଼ିଥିଲେ ସେମାନେ ଯାଇ ଖାଇ ସଫା କରିଦିଅନ୍ତି। ଯାହାଦ୍ବାରା ପରିବେଶ ଦୁର୍ଗନ୍ଧରୁ ମୁକ୍ତ ହୁଏ। ମଣିଷକୁ ରୋଗ ବୈରାଗରୁ ମୁକ୍ତ କରାଏ। ପରିବେଶ ସଫା ରହିଲେ ମଣିଷଙ୍କ ସହିତ ଆମେ ଜୀବଜନ୍ତୁ ମଧ୍ୟ ସୁସ୍ଥ ଓ ନିରୋଗ ଜୀବନ ଯାପନ କରିପାରିବା। ସେଥିପାଇଁ ଶାଗୁଣାର ସ୍ଥାନ ସବୁଠାରୁ ଉପରେ।
ନବମ ଶ୍ରେଣୀ, ଘଟଗାଁ, କେନ୍ଦୁଝର