ଲକ୍ଡାଉନ୍ ହୋଇଛି। କରୋନା ପାଇଁ ସବୁ ବନ୍ଦ ହୋଇ ରହିଛି। ରାସ୍ତାଘାଟଠାରୁ ଆରମ୍ଭ କରି ଦୋକାନ ବଜାର, ମନ୍ଦିର, ମଠ ସବୁ ବନ୍ଦ। ଚଗଲା ବି କରୋନାକୁ ଡରି ବାହାରକୁ ବାହାରୁନି। ପାଠପଢ଼ା ଘରେ କରୁଛି। ମାଆକୁ ବରାଦ କରି ଭଲ ମନ୍ଦ ଖାଉଛି। ବାହାରକୁ ଖେଳିବାକୁ ଯାଇପାରୁ ନଥିବାରୁ ଭିଡିଓ, ଅନ୍ଲାଇନ୍ ଗେମ୍ ଖେଳୁଛି।
ସେଦିନ ସକାଳେ ୬ଟା କୁକୁର ଆସି ଚଗଲା ଘର ବାରଣ୍ଡାରେ ବସିଥିଲେ। ହଠାତ୍ ସେମାନଙ୍କୁ ଚଗଲା ଦେଖି ଡରିଗଲା। ଆଉ ପାଟି କରି କହିଲା ମାଆ ମାଆ...କେତେଗୁଡ଼ାଏ କୁକୁର ଆମ ଘର ବାହାରେ ବସିଛନ୍ତି। କାମୁଡ଼ିଦେବେ। ଯାଉଛି ସେମାନଙ୍କୁ ଟେକା ପକାଇବି ସେମାନେ ପଳାଇବେ।
ପୁଅର ଚିତ୍କାର ଶୁଣି ମାଆ ବାହାରକୁ ଆସିଲେ। ଦେଖିଲେ କେତେଟା କୁକୁର ଜିଭ କାଢ଼ି ହେ...ହେ..ହେଉଛନ୍ତି। ପାଟିରୁ ନାଳ ବାହାରି ଯାଉଥାଏ। ଆଖି ଗୁଡ଼ାକ ପଡ଼ିଯାଉଥାଏ। ଦେହରେ ଯେମିତି ଉଠିବାର ବଳ ନଥାଏ। ଏହା ଦେଖି ମାଆଙ୍କୁ ଭାରି ବିକଳ ଲାଗିଲା। ଏତିକିବେଳେ ଚଗଲା ହୁସ୍ ହୁସ୍ କରି ଘଉଡ଼େଇବାକୁ ଲାଗିଲା। ମାଆ ତା’ ହାତ ଧରିଦେଇ କହିଲେ ନା ଚଗଲା...ଏମିତି କରନ୍ତିନି। ସେମାନଙ୍କୁ ଠିକ୍ରେ ଦେଖେ ସେମାନେ କେତେ ଦୁର୍ବଳ ହୋଇ ପଡ଼ିଛନ୍ତି। ଦେହ ଭଲ ନାହିଁ ସେମାନଙ୍କର।
ପୁଅ ଟିକେ ପରେ କହିଲା, ହଁ ମାଆ ତମେ ସତ କହୁଛ। ସେମାନେ ଏମିତି କାହିଁକି ହେଉଛନ୍ତି? କ’ଣ କରିବା? ମାଆ କହିଲେ, ବିପଦରେ ପଡ଼ିଥିବା ପ୍ରାଣୀମାନଙ୍କର ସେବା କରିବା ଆମ ଧର୍ମ। ଗରିବ ଲୋକ ହେଉ ବା ପଶୁ ପକ୍ଷୀ ଯିଏ ବି ବିପଦରେ ପଡ଼ିଥିବେ ସେମାନଙ୍କ କଥା ବୁଝିବା ହେଉଛି ଆମ ଦାୟିତ୍ବ। ତାହାହେଲେ ଯାଇ ଭଗବାନ ଖୁସି ହେବେ। ସେମାନେ ଏଇ ଲକ୍ଡାଉନ୍ ଯୋଗୁ କେଉଁଠାରେ ଖାଇବାକୁ ପାଉନାହାନ୍ତି। ସବୁ ହୋଟେଲ୍, ଢାବା ବନ୍ଦ। ବିଚରା ଖାଇବାକୁ ପାଉନାହାନ୍ତି ବୋଲି ଏମିତି ରୋଗିଣା ହେଇଗଲେଣି। ଏଇ ସମୟରେ ଆମେ ଯଦି ଘଉଡ଼ାଇବା ଆମକୁ ପାପ ଲାଗିବ। ଘରେ ଭାତ, ଡାଲି, ବାସି ରୁଟି ଅଛି । ସେ ସବୁ ଦେଉଛି ଯାଇ ତାଙ୍କୁ ଦେଇଦେବୁ।
ମାଆ ଗୋଟେ ଖଲିରେ ଖାଇବା ଆଣିଲେ। ଚଗଲା ସେ ସବୁକୁ ଥୋଇଦେଲା କୁକୁରଙ୍କ ଆଗରେ। ସେମାନେ ଖାଇବାପରେ ଆନନ୍ଦରେ ଲାଞ୍ଜ ହଲାଇ ସେଠାରୁ ଚାଲିଗଲେ। ଘର ଦାଣ୍ଡରେ ଚଗଲା ଠିଆ ହୋଇ ଏ ସବୁ ଦେଖିଲା। ଆଉ ମନେ ମନେ ବହୁତ ଖୁସି ହେଲା। ହଠାତ୍ ତା’ ପାଟିରୁ ବାହାରିଗଲା ପୁଣି କାଲି ଆସିବ... ମାଆ ତୁମକୁ ଖାଇବାକୁ ଦେବ।
ସେଇଦିନଠାରୁ ସେ କୌଣସି ପଶୁ ପକ୍ଷୀଙ୍କୁ ସେ ଆଉ ମାରେନି। ସେମାନଙ୍କୁ ଖାଇବାକୁ ଦିଏ। ତାଙ୍କର ସେବା କରେ।
ଅଷ୍ଟମ ଶ୍ରେଣୀ, ମଠକରଗୋଳା, ଭୁବନ