ବ୍ରହ୍ମାଙ୍କ ବିଷାଦ

ତୁମ କାହାଣୀ - ମନସ୍ୱିନୀ ସାହୁ

ଏକଦା ସୃଷ୍ଟିକର୍ତ୍ତା ବ୍ରହ୍ମା ପଦ୍ମାସନରେ ବିରାଜମାନ ହୋଇ ନିଜ ସୃଷ୍ଟିକୁ ଅତି ଆଗ୍ରହର ସହ ଦେଖୁଥିଲେ। କିନ୍ତୁ ପୃଥିବୀପୃଷ୍ଠରେ ନଜର ପଡ଼ିବା ମାତ୍ରେ ଆଗ୍ରହର ସମାପ୍ତି ଘଟିଲା ଓ ସେ ଅତି ଚିନ୍ତିତ ହୋଇ ପଡ଼ିଲେ। ତେଣୁ ଅଧିକ ସମୟ ପୃଥିବୀକୁ ଦେଖି ପାରିଲେ ନାହିଁ। ତଥାପି ଅନିଚ୍ଛା ସେତ୍ତ୍ବ ପୃଥିବୀପୃଷ୍ଠକୁ ଆଉଥରେ ଦେଖିଲେ।

ଦ୍ୱିତୀୟଥର ମଧ୍ୟ ସେହି ଅବସ୍ଥା, ସେହି ବାଘ ଛେଳିର ସମ୍ପର୍କ ପରି ଭାଇଭାଇ ଓ ପଡ଼ୋଶୀ ଓ ପଡ଼ୋଶୀମାନଙ୍କର ସମ୍ପର୍କ। ମନେ ହେଲା ଯେପରି ପୃଥିବୀର ବିନାଶ ଆଉ ଅଧିକ ବିଳମ୍ବ ନୁହେଁ। ତେଣୁ ବ୍ରହ୍ମା ଅଧିକ ଚିନ୍ତିତ ହୋଇ ପଡ଼ିଲେ। ତତ୍‌କ୍ଷଣାତ୍‌ ଯମଙ୍କ ଦରବାରକୁ ଚାଲିଲେ। ସେଠାରେ ପହଞ୍ଚି ଯମଦେବତାଙ୍କୁ ଅନୁରୋଧ କଲେ ପୃଥିବୀ ସୃଷ୍ଟି ସମୟରେ ସହାୟକ ଦୁଇଜଣ ବ୍ୟକ୍ତିଙ୍କର ଜୀବନ। ପୃଥିବୀକୁ ଯିବାର ନିମନ୍ତ୍ରଣ ପାଇ ସେ ଦୁଇଜଣ ଆସି ଅନେକ ଖୁସି ହୋଇଗଲେ। ସଙ୍ଗେ ସଙ୍ଗେ ବ୍ରହ୍ମାଙ୍କ ସହ ବାହାରି ପଡ଼ିଲେ।

କୁରୁସିଙ୍ଗ୍‌ପୁର ନାମକ ଗ୍ରାମରେ ବେଶ ବଦଳାଇ ଆସି ପହଞ୍ଚିଲେ। ଯାଇ ଦେଖନ୍ତି ତ କିଛି ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଛି। ଏ ସବୁ ଦୃଶ୍ୟ ସହି ନ ପାରି ବ୍ରହ୍ମା କହିଲେ, ‘‘ଏ ଯୁବକମାନେ ଏମିତି କଳହ କାହିଁକି କରୁଛନ୍ତି?’’ ଗ୍ରାମବାସୀମାନେ କହିଲେ ଯେ, ‘‘ଇଏ ମଙ୍ଗୁ ଓ ରଙ୍ଗୁ ଦୁଇ ଭାଇ। ସେମାନେ ସମ୍ପତ୍ତି ପାଇଁ ମାଡ଼ପିଟ୍‌ ହେଉଛନ୍ତି।’’ ଗ୍ରାମବାସୀମାନଙ୍କଠାରୁ ସବୁ କଥା ଶୁଣି ସ୍ବର୍ଗଲୋକରୁ ଆସିଥିବା ଦୁଇଜଣଯାକ ମଣିଷ କହିଲେ, ‘‘ତୁମେମାନେ ସର୍ବଦା ଟଙ୍କା, ଜମିବାଡ଼ି ପାଇଁ ମାଡ଼୍‌ପିଟ୍‌ ହେଉଛ। ଏପରି କଲେ କଦାପି ଖୁସିରେ ରହିପାରିବ ନାହିଁ।

ଏହାପରେ ସେମାନେ ଆଗକୁ ବଢ଼ି ଚାଲିଲେ ଓ ଦେଖିଲେ ଯେ ଚାରିଜଣ ବ୍ୟକ୍ତି ଦୁଇଟି ହରିଣ ପଛରେ ଦୌଡ଼ୁଛନ୍ତି। ସେମାନଙ୍କୁ ଅଟକାଇ ପଚାରିଲେ ‘‘ତୁମେମାନେ ଏହି ନିଷ୍ପାପ ଜନ୍ତୁଙ୍କ ପଛରେ କାହିଁକି ଦୌଡ଼ୁଛ?’’ କିନ୍ତୁ ଏହାର ଉତ୍ତର ସେମାନେ ଦେଲେ ନାହିଁ। ବାରମ୍ବାର ପଚାରିବା ପରେ ଉତ୍ତରରେ କହିଲେ,‘‘ ଆମେ ଏହି ମୃଗଙ୍କର ଶିଙ୍ଘ ଓ ଚମଡ଼ା ବିଦେଶରେ ବିକି ଟଙ୍କା ରୋଜଗାର କରି ଧନୀ ହେବାକୁ ଚାହୁଁଛୁ।’’

ବ୍ରହ୍ମା ଆଉ କରିବେ କ’ଣ? ସ୍ବର୍ଗରୁ ଜୀବନପାଇ ଯାଇଥିବା ଲୋକ ଦୁଇଜଣ ବି ପୃଥିବୀବାସୀଙ୍କର ଲୋଭ ଓ ହିଂସା ଦେଖି କହିଲେ ‘‘ପ୍ରଭୁ, ଆମକୁ ଫେରାଇ ନିଅନ୍ତୁ।’’ ବ୍ରହ୍ମା ଜାଣିଲେ ପୃଥିବୀରେ ମନ୍ଦ ସମୟ ଉପସ୍ଥିତ। ନିଶ୍ଚୟ ଆଗକୁ ସେମାନେ ନିଜ ମୃତ୍ୟୁର କାରଣ ହେବେ।

ସେମାନେ ମନଦୁଃଖରେ ସ୍ବର୍ଗଲୋକକୁ ଫେରି ଆସିଲେ।

ଦଶମ ଶ୍ରେଣୀ
ଜବାହାର ନବୋଦୟ ବିଦ୍ୟାଳୟ,
ଚମ୍ପତିମୁଣ୍ଡା, ଅନୁଗୁଳ

ସମ୍ବନ୍ଧିତ ଖବର