ବାଲ୍‌କୋନିରେ କିଛି ସମୟ

ତୁମ କାହାଣୀ - ଅଂଶୀକ ପ୍ରିୟଦର୍ଶୀ ପଣ୍ଡା

ରୋହିତ୍‌ ବା‌ଲ୍‌କୋନିରୁ ତଳକୁ ଚାହିଁଲା। ସେ ଏକା ‌ଘର ଭିତରେ ଥିଲା। ଲକ୍‌ଡାଉନ୍‌ ପାଇଁ ଭୟ ଓ ବିରକ୍ତି ଥିଲା ତା ମନରେ। କେମିତି କଟିବ ସମୟ? ବାପା ମା ଦୁଇଜଣ ଡକ୍ଟର। ହସ୍‌ପିଟାଲ୍‌ରେ ରୋଗୀସେବାରେ ବ୍ୟସ୍ତ। ରୋହିତକୁ ଏକା ଘରେ ଛାଡ଼ି ଯିବାକୁ ବାଧ୍ୟ ହେଉଥିଲେ। ସେ ଅଷ୍ଟମ ଶ୍ରେଣୀ‌େର ପାଠ ପଢ଼େ। ନିଜର ସବୁ କାମ ସାରି ସେ ଆସେ ବାଲକୋନିକୁ। କେମିତି ରଙ୍ଗହୀନ ଲାଗୁଛି ସହରଟା। ଚଳଚଞ୍ଚଳ ନାହିଁ। ଲୋକମାନଙ୍କ ଯିବା ଆସିବା ଅଛି କିନ୍ତୁ ଆବେଗ ଉତ୍ସାହ ସେମାନଙ୍କ ଭିତରେ ନାହିଁ। ତାକୁ ଲାଗିଲା ଖରାରେ ଯେମିତି ଝାଉଁଳି ପଡ଼ିଛନ୍ତି ଗଛଗୁଡ଼ାକ।

ମା’ ଭିଡିଓ କଲ୍‌ କରିଥିଲେ। ପଚାରୁଥିଲେ ଆଜି କ’ଣ ପଢ଼ିଲୁ? ଖାଇବା ଥାଳି ଡାଇନିଙ୍ଗ୍‌ ଟେବୁଲ ଉପରୁ ନେଇ ଟେବୁଲ ସଫା କରି ଦେଇଛୁ ତ? ମାଆଙ୍କ ତାଗିଦ ଭିଡିଓଗେମ୍‌ ଖେଳିବୁନି। ତା’ ଦ୍ବାରା ମନ ଓ ଶରୀର ଉପରେ ପ୍ରଭାବ ପଡ଼େ। ବାପାଙ୍କ ନିର୍ଦ୍ଦେଶ ଟି.ଭି ବେଶି ଦେଖିବୁନି। ଆଖି ଖରାପ ହେବ। କଣ କରିବ ସେ! ସାଙ୍ଗସାଥୀଙ୍କୁ ଘରକୁ ଖେଳିବାକୁ ମଧ୍ୟ ଡାକିପାରିବ ନାହିଁ। ରୋହିତ ବହୁତ ବ୍ୟସ୍ତ ହେଲା। ସ୍କୁଲ ଟିଚର୍‌ କିଛି ହୋମ୍‌ୱାର୍କ ପଠେଇଛନ୍ତି। କାଲି କଲେ ଚଳିବ। ରୋହିତ ହାତରେ ଥିଲା ପୁରୁଣା ଡ୍ରଇଁ ବୁକ୍‌। ସେଥିରେ ଗୋଟିଏ ବି ଚିତ୍ର କରିନଥିଲା। ଆଜି ଠିକ୍‌ କାମ ଦେବ। ହଠାତ୍‌ ରୋହିତ ଦେଖିଲା କିଛି ଲୋକ ମାସ୍କ ନ ପିନ୍ଧି ଚାଲିଛନ୍ତି। ସେମାନଙ୍କ ଉଦ୍ଦେଶ୍ୟରେ ସେ ସେଥିରେ ବଡ଼ ବଡ଼ ଅକ୍ଷରରେ ଲେଖିଲା-
‘‘ଆଜ୍ଞା ନମସ୍କାର; ମାସ୍କ ପିନ୍ଧିବା ଦରକାର।’’

ବାଲକୋନିରେ ଏହି କାଗଜଟିକୁ ହଲାଇ ହଲାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲା। କିଛି ସମୟ ପରେ ରୋହିତ ଦେଖିଲା କେତେ ଲୋକ ହାତ ଧରାଧରି ହୋଇ ଚାଲୁଥଲେ। ସେମାନଙ୍କ ଉଦ୍ଦେଶ୍ୟରେ ଲେଖିଲା- ‘‘ହାତଯୋଡ଼ି ନମସ୍ତେ କହିବା ଚାଲ, ଏ ନୂଆ ଅଭ୍ୟାସ ସମସ୍ତଙ୍କ ପାଇଁ ଭଲ।’’ ତା’ପରେ କାଗଜଟିକୁ ଭାଙ୍ଗି ସେମାନଙ୍କ ପାଖକୁ ପକେଇ ଦେଲା। ଏମିତି ଯାହା ଯାହା ପାଇଁ ଲେଖୁଥିଲା ତାଙ୍କ ଉପରେ ପେପର ଭାଙ୍ଗି ପକାଉଥିଲା। ସେମାନେ ଉଠାଇ ପଢ଼ିବେ ବୋଲି। କିଛି ସମୟ ପରେ ସେ ଦେଖିଲା କିଛି ଲୋକ ପନିପରିବା ଏବଂ ତେଜରାତି ସାମାନ ବହୁତ ଦିନପାଇଁ ନେଉଛନ୍ତି। ରୋହିତକୁ ଏହା ଭଲ ଲାଗିଲାନି। ସେ ଲେଖିଲା- ‘‘ଆରାମରେ ପରିବା ସଉଦା ମିଳିବ, ବ୍ୟସ୍ତ ନ ହୋଇ ଆଜିକ ପାଇଁ ନେଲେ ଚଳିବ।’’ ସେହିପରି ନିରାଶ ଲୋକମାନଙ୍କ ପାଇଁ ଲେଖିଲା- ‘‘ନିରାଶ ହୁଅନି ଭାଇ, ଜିତିବା ଆମେ, କରୋନାକୁ ଦିନେ ଦେବା ହରାଇ।’’ ବାଲକୋନି ଉପରେ ଠିଆହୋଇ ସେ ବହୁତ କିଛି ଦୃଶ୍ୟ ଦେଖି ପାରୁଥିଲା। ପୁଣି କେତେ ଲୋକ ଜିନିଷ କିଣିବା ପାଇଁ ଦୋକାନୀ ଆଗରେ ଜମା ହେଲେ। ସେମାନଙ୍କୁ ଦେଖି ରୋହିତ ଲେଖିଲା-
‘‘ସାମାଜିକ ଦୂରତା ହିଁ, ସମାଜର ନୂଆ ନିୟମ
ମାନିବା ଆମେ, ଚଳିବା ଆମେ,
ପାଳନ କରି ସଂଯମ।’’

ହଠାତ୍‌ ରୋହିତର ଖିଆଲ ଆସିଲା ଡ୍ରଇଁବୁକ୍‌ର ପେପର୍‌ ସରିଗଲାଣି। ଗୁଡ଼ାଏ ସମୟ ବି ବିତିଗଲାଣି। ମନେ ପଡ଼ିଲା ହୋମ୍‌ୱାର୍କ କଥା। ଘରଭିତରକୁ ଆସି ହୋମୱାର୍କ କରିବାରେ ଲାଗିପଡ଼ିଲା ସେ।

ଅଷ୍ଟମ ଶ୍ରେଣୀ
ସେଣ୍ଟ୍‌ ଭିନ୍‌ସେଣ୍ଟ୍‌ କନ୍‌ଭେଣ୍ଟ୍‌ ସ୍କୁଲ, ବ୍ରହ୍ମପୁର

ସମ୍ବନ୍ଧିତ ଖବର