ଗାଁରେ ଜଣେ କମାର ଦିନ ରାତି ପରିଶ୍ରମ କରୁଥାଏ। ସକାଳୁ ସକାଳୁ ସେ ଘରୁ ବାହାରକୁ ବାହାରେ। ରାସ୍ତାରେ ଯାହା ଲୁହା ପାଏ ତାକୁ ଟେକି ଆଣେ ଘରକୁ। ସୁନ୍ଦର ସୁନ୍ଦର ଲୁହାରେ ଜିନିଷ ତିଆରି କରି ବଜାରରେ ବିକ୍ରି କରିଥାଏ। ସେହିପରି ଦିନେ ବୁଲୁ ବୁଲୁ ସେ ଦୁଇ ଖଣ୍ତ ଲୁହା ପାଇଲା। ତାକୁ ଘରକୁ ଆଣି ସେଥିରେ ଗୋଟିକରେ ଢାଲ ଓ ଆରଟାରେ ତଲୱାର୍‌ ତିଆରି କଲା।

Advertisment

କିଛିଦିନ ପରେ ଜଣେ ଯୋଦ୍ଧା ଆସି ସେହି ଢାଲ ଓ ତଲୱାର୍‌କୁ ଭଲ ମୂଲ୍ୟରେ କିଣି ନେଲେ। ତାକୁ ନେଇ ସେ ଯୁଦ୍ଧରେ ବ୍ୟବହାର କଲେ। ଏମିତି ଥରେ ଯୁଦ୍ଧ କରୁ କରୁ ତଲୱାର୍‌ଟି ଦୁଇ ଖଣ୍ଡ ହୋଇଗଲା କିନ୍ତୁ ଢାଲଟି ଯେମିତିକୁ ସେମିତି ରହିଥିଲା। ଯୁଦ୍ଧରେ ହାରିଗଲା ପରେ ଯୋଦ୍ଧାଙ୍କର ମନ ବି ଖରାପ ହେଲା। ସେ ସବୁକୁ ନେଇ ପୁଣି କମାରକୁ ଫେରେଇ ଦେଇ କହିଲେ ଭାଇ ତଲୱାର୍‌ଟିକୁ ଟିକେ ସଜାଡ଼ି ଦେବ? କିଛି ଦିନ ପରେ ଆସି ଏହାକୁ ନେଇଯିବି।

ରାତି ହେଲା। ସମସ୍ତେ ଶୋଇବାକୁ ଗଲେ। ତଲୱାର୍‌ ଓ ଢାଲର କଥାବାର୍ତ୍ତା ଆରମ୍ଭ ହେଲା। ତଲୱାର୍‌ କହିଲା, ଢାଲ ତୁ ତ ଯେମିତିକୁ ସେମିତି ଅଛୁ। କାଇଁ ତୋର କିଛି ହେଇନି? କିନ୍ତୁ ମୋ ସହ ଏମିତି କାହିଁକି ହେଲା? ମତେ ସେ ଯୋଦ୍ଧା ବହୁତ ଗାଳି କଲା ଆଉ ରାଗିକି ଫିଙ୍ଗିଦେଲା।

ଢାଲ କହିଲା ଦେଖ୍‌ ତଲୱାର୍‌ ଏଥିରେ ମନ ଖରାପ କରିବାର କିଛି ନାହିଁ। ଆମ ଦୁଇଜଣଙ୍କ ଭିତରେ କିଛିଟା ଫରକ ଅଛି। ତଲୱାର୍‌ କହିଲା, କ’ଣ? ଢାଲ କହିଲା, ବୁଝିଲୁ, ତୁ ସବୁବେଳେ ଅନ୍ୟର ଅନିଷ୍ଟ କଥା ଚିନ୍ତା କରିଥାଉ। ସମସ୍ତଙ୍କୁ ମାରିବାରେ ସାହଯ୍ୟ କରୁ। କିନ୍ତୁ ମୁଁ ଆକ୍ରମଣ ବେଳେ ବଞ୍ଚେଇବାକୁ ଚେଷ୍ଟା କରିଥାଏ। ସେଥିପାଇଁ ତୁ କଷ୍ଟ ପାଉ, ଭାଙ୍ଗିଯାଉ ଆଉ ମୁଁ ଯେମିତି କୁ ସେମିତି ରହିଥାଏ। ସେଥିପାଇଁ କେବେ କାହାର ଅନିଷ୍ଟ କରିବା ଖରାପ।

ନବମ ଶ୍ରେଣୀ, ନନ୍ଦପଡ଼ା, ସମ୍ବଲପୁର