ପ୍ରକୃତିର ବନ୍ଧୁ

ତୁମ କାହାଣୀ

ରାମୁ ବାରିଆଡ଼େ ଠେଙ୍ଗାଟିଏ ଧରି କ’ଣ ସବୁ ଖୋଜି ବୁଲୁଥାଏ। ଏଇ ସମୟରେ ଆଈ ଆସିଲେ ବାହାରେ ଥିବା ଚୁଲିରେ ମୁଢ଼ି ଭାଜିବା ପାଇଁ। ପଚାରିଲେ କିରେ ଏଠି କ’ଣ କରୁଛୁ? ରାମୁ କହିଲା ଦେଖଲୋ ଆଈ ଏଇ ‌ଜିଆ ପୋକଗୁଡ଼ା କେମିତି ସାଲୁବାଲୁ ହେଇଗଲେଣି। ସେଥିପାଇଁ ସେମାନଙ୍କୁ ଧରିକି ମାରୁଛି।

ଆଈ କହିଲେ ଆରେ ଏଇଟା ବର୍ଷା ଦିନ, ଏଣୁ ସବୁଆ‌େଡ଼ ଓଦା ସନ୍ତସନ୍ତିଆ। ପୋକଜୋକ ହେବେ। ତା’ବୋଲି କ’ଣ ଏମାନଙ୍କୁ ମାରିବା? ରାମୁ କହିଲା, ଆଉ ନୁହେଁ ତ କ’ଣ? ସେମାନେ ଖାଇବାରେ ମିଶିଯିବେ, ଘରେ ପଶିଗଲେ ବହୁତ ଅସନା ଲାଗିବ। ଛି…ବହୁତ ଅସନା। ସେଥିପାଇଁ ସେମାନଙ୍କୁ ମାରିଦେବି।

ଆଈ କହିଲେ, ଆରେ ନାତିଆ ଏଇ ଛୋଟ ଛୋଟ ଜୀବଙ୍କୁ ମାରିଲେ ଆମର ହିଁ କ୍ଷତି। ଏମାନେ ପ୍ରକୃତିର ବନ୍ଧୁ! ଏମାନେ ନଥିଲେ ପ୍ରକୃତି କ’ଣ ସବୁଜ ସୁନ୍ଦର ହୋଇ ରହିପାରିବ? ରାମୁ କହିଲା, କେମିତି? ଏମାନେ ତ ଏତେ ଛୋଟ, ଏମାନଙ୍କର କି ବଳ ଯେ ପ୍ରକୃତି ପାଇଁ କାମ କରୁଛନ୍ତି? ତାହାହେଲେ ବନ୍ଧୁ ହେଲେ କେମିତି?

ଉତ୍ତରରେ ଆଈ କହିଲେ, ଶୁଣ୍‌। ଛୋଟବଡ଼ ଭେଦଭାବ କେବେ ମନରେ ଆଣିବୁନି। ଏମାନେ ଯେଉଁ କାମ କରୁଛନ୍ତି ଆମେ ଦେଖିପାରୁନେ। ଏ ସବୁ ଜୀବ ମୁଖ୍ୟତଃ ମାଟି ଭିତରେ ରୁହନ୍ତି। ମାଟିକୁ ହାଲୁକା ସହିତ ଊର୍ବର କରିଥାଆନ୍ତି। ଯାହାଫଳରେ ମାଟି ଫସଫସିଆ ହୁଏ ଓ ଗଛକୁ ବଢ଼ିବାରେ ସାହାଯ୍ୟ କରିଥାଏ। ମାଟି ଯେତେ ଊର୍ବର ହେବ ଗଛର ଫଳ, ପତ୍ର ସେତେ ଭଲ ହେବ। କାରଣ ମାଟିକୁ ପାଣି ସହିତ ପବନ ବି ଜରୁରି। ସେମିତି ଗୋବରିଆ ପୋକ, ରେଶମ ପୋକ ଆହୁରି କେତେ କୀଟ ଅଛନ୍ତିି ଯେଉଁମାନେ ଆକାରରେ ଛୋଟ କିନ୍ତୁ ଏମାନଙ୍କ କାମ ବିରଳ। ସେଥିପାଇଁ କେବେ ଏମାନଙ୍କୁ କଷ୍ଟ ଦେବା ଉଚିତ୍‌ ନୁହେଁ।

ସମ୍ବନ୍ଧିତ ଖବର