ସେବକ କିଏ?

ତୁମ କାହାଣୀ - ତ୍ରିନାଥ ନନ୍ଦୀ

‌ମିଲୁ ଓ ପିଲୁ ଗପ କରୁଥିଲେ। ମିଲୁ ପଚାରିଲା ଆଛା କହିଲୁ ସେବକ କିଏ?

ସେଇଠୁ ପିଲୁ କହିଲା- ଆମେ ସମସ୍ତେ ସୁଖଶାନ୍ତିରେ ଜୀବନ ବିତାଇବାକୁ ଇଛା କରିଥାଉ। ତାହା କେବଳ ସମାଜ ସେବାରେ ନିୟୋଜିତ କର୍ମୀମାନଙ୍କ ପାଇଁ ସମ୍ଭବ ହୋଇପାରିଥାଏ।

ଯେଉଁମାନେ ଅଞ୍ଚଳ, ସହର, ଜିଲ୍ଲା, ରାଜ୍ୟ ଓ ଦେଶକୁ ପରିଷ୍କାର ପରିଚ୍ଛନ୍ନ କରି ଆମକୁ ବିଭିନ୍ନ ରୋଗ ଦାଉରୁ ଦୂରେଇ ରଖନ୍ତି। ସେମାନଙ୍କ ସେବା ଅତି ଗୁରୁତ୍ବପୂର୍ଣ୍ଣ। ତାଙ୍କ ବିନା ସ୍ବଚ୍ଛ ଭାରତର କଳ୍ପନା କରିହେବ ନାହିଁ। ଏମାନେ ସେବକ।

ସେହିପରି ଦିନରାତି ଏକ କରି ଦେଶର ସୀମାକୁ ଜଗି ରହୁଛନ୍ତି, ଆମ ଦେଶର ସୈନିକ। ସେମାନେ ଅନେକ ସମୟରେ ଶତ୍ରୁ ସହ ଲଢ଼ି କେତେବେଳେ ଗୁଳି ଓ ବୋମା ମାଡ଼ରେ ଶହୀଦ ହୋଇ ଯାଉଛନ୍ତି। ସେହି ବୀର ଯବାନ୍‌ମାନେ ଆମର ଜୀବନ ରକ୍ଷକ। ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଦେଶ ଓ ରାଜ୍ୟରେ ପୋଲିସ ବାହିନୀ ନିୟୋଜିତ ଅଛନ୍ତି। ଏମାନେ ମଧ୍ୟ ଅନ୍ୟକୁ ସୁରକ୍ଷା ଦେବା ପାଇଁ ନିଜ ଜୀବନକୁ ବାଜି ଲଗାଇ ଶହୀଦ ହୋଇଯାଉଛନ୍ତି। କିନ୍ତୁ ସେମାନେ ଏସବୁକୁ ଖାତିର ନକରି ନିଜର କର୍ତ୍ତବ୍ୟ ପାଳନ ସହିତ ଆମ୍ଭମାନଙ୍କୁ ସୁରକ୍ଷା ଦେଉଛନ୍ତି। ତେଣୁ ଏମାନେ ବି ସେବକ।

ସେହିଭଳି ପ୍ରତି ମୁହୂର୍ତ୍ତରେ ଆମ ସମସ୍ତଙ୍କୁ ଦୁର୍ଲ୍ଳଭ ଓ ମୂଲ୍ୟବାନ ଚିକିତ୍ସା ପ୍ରଦାନ କରିଥାନ୍ତି ଆମ ଦେଶର ଡାକ୍ତରମାନେ। ଡାକ୍ତରଙ୍କୁ ଭଗବାନଙ୍କର ଦ୍ବିତୀୟ ଅବତାର ବୋଲି କୁହାଯାଏ। କାରଣ ଭଗବାନ ମଣିଷକୁ ଜନ୍ମ ଦିଅନ୍ତି। ଏମାନେ ମଣିଷକୁ ମୃତ୍ୟୁମୁଖରୁ ବଞ୍ଚାନ୍ତି ଓ ନୂଆ ଜୀବନ ପ୍ରଦାନ କରନ୍ତି। ଅତଏବ ପ୍ରତ୍ୟେକ ଚିକିତ୍ସକ ବି ସେବକ।

ଆମେ ସମସ୍ତେ ପ୍ରତ୍ୟେକ ଦିନ ତଟକା ପନିପରିବା, ତଟକା ଫଳ ଖାଇଥାଉ। ଏଥି ପାଇଁ ଚାଷୀ ଭାଇମାନେ ଖରା, ବର୍ଷା ଓ ଶୀତକୁ ନ ମାନି ଚାଷକରି ତଟକା ତଟକା ପରିବା ଉତ୍ପାଦନ କରି ଆମ ସମସ୍ତଙ୍କୁ ଯୋଗାଇ ଦେଉଛନ୍ତି। ଚାଷୀ ବା କୃଷକ ଆମ ହିତକାରୀ ବନ୍ଧୁ। କୃଷକ ବିନା ଆମେ ସମସ୍ତେ ଜୀବନଧାରଣ କରିବା କଷ୍ଟକର।

ଏମାନଙ୍କ ଯୋଗୁଁ ଦେଶ ସୁସ୍ଥ ଓ ସୁରକ୍ଷିତ ରହିବା ସାଙ୍ଗକୁ ପ୍ରଗତି ପଥରେ ଆଗେଇଥାଏ। ଏମାନେ ସମସ୍ତେ ସେବକ। ସେଥିପାଇଁ ସେବକ ଧର୍ମ ଶ୍ରେଷ୍ଠ ବୋଲି କୁହାଯାଇଛି।

ମିଲୁୁ ଆଉ କ’ଣ କହିବ? ମୁଣ୍ଡ ହଲାଇ କହିଲା, ହଁ ଭାଇ ସତ କଥା।

ନବମ ଶ୍ରେଣୀ
ସରକାରୀ ଉଚ୍ଚ ବିଦ୍ୟାଳୟ
ଜଳେଶ୍ବର, ବାଲେଶ୍ବର

ସମ୍ବନ୍ଧିତ ଖବର