ଭାରତୀୟ ପରମ୍ପରାରେ ତେଲର ବହୁଳ ବ୍ୟବହାର ରହିଛି। ଖାଇବା, ଦେହରେ ଲଗାଇବା, କଳକବ୍‌ଜାରେ ଉପଯୋଗ କରିବାଠାରୁ ଆରମ୍ଭ କରି ପ୍ରସାଧନ, ଜାଳେଣି ଆଦି କାର୍ଯ୍ୟରେ ବିଭିନ୍ନ ପ୍ରକାରର ତେଲ କେଉଁ ପୁରାତନ କାଳରୁ ନାନା ଦେଶରେ ମଧ୍ୟ ବ୍ୟବହୃତ ହୋଇଥାଏ। ଓଡ଼ିଶାରେ ରୋଷେଇ ଲାଗି ସୋରିଷ ଓ ବାଦାମ ତେଲ ଏବଂ ଦେହ ସକାଶେ ରାଶି ତଥା ନଡ଼ିଆ ତେଲ ଅଧିକ ଭାବରେ ଉପଯୋଗ ହୁଏ। ସେଥିରେ ପୁଣି କେଉଁ ତେଲ ବହଳିଆ ତ କେଉଁ ତେଲ ପତଳା। ନଡ଼ିଆ ତେଲ ପତଳା ହେଲେ ମଧ୍ୟ ଶୀତ ନିନେ ଥଣ୍ଡାର ପ୍ରଭାବ ଯୋଗୁଁ ତାହା ଘିଅ ଭଳି ବସିଯାଇଥାଏ। ଏ ସବୁ ଭିତରେ ଜଡ଼ା ତେଲର ଗୁଣ ନିଆରା। ଏହା କଳକବ୍‌ଜାରେ ଲାଗିବାଠାରୁ ଆରମ୍ଭ କରି ଔଷଧ ଓ ଜାଳେଣି ରୂପେ ବ୍ୟବହୃତ ହୁଏ। ଏହା ଏକ ବହଳ ତଥା ଅଠାଳିଆ ତେଲ। ଜଡ଼ାଗଛର ମଞ୍ଜିରୁ ଏ ତେଲ ସଂଗୃହୀତ ହୁଏ। ତେଣେ ଅନ୍ୟ ପଶୁଙ୍କ ତୁଳନାରେ ମେଣ୍ଢାର ବାଳ ମଧ୍ୟ ଖୁବ୍‌ ଗହଳ। ଅତଏବ ଗହଳିଆ ମେଣ୍ଢାବାଳରେ ବହଳିଆ ଜଡ଼ାତେଲ ଲାଗିଲେ ତାହା ସହଜରେ ଛାଡ଼େ ନାହିଁ। ଅତଏବ ଯେଉଁଠାରେ ଗାଢ଼ ବନ୍ଧୁତାର ଉଦାହରଣ ଦେବାକୁ ହୁଏ ସେଠାରେ ଉପମା ଦେବାକୁ ଯାଇ କହନ୍ତି- ସେ ଦୁଇଜଣଙ୍କର ବନ୍ଧୁତା ‘ଜଡ଼ାତେଲ ମେଣ୍ଡା ବାଳ’ ଭଳି।