ଡାମରା କୁଆ ଆଉ ପାଣିକୁଆ

କଥା କାହାଣୀ

ପାଣିକୁଆ, ଡାମରାକୁଆ ଦୁଇ ସାଙ୍ଗ। ଦୁହିଁଙ୍କ ଭିତରେ ପାଣି ଗଳେ ନାହିଁ। ପାଣିକୁଆ ବେଳେବେଳେ ଆସି ଡାମରାକୁଆ ଘରେ ରହେ। ଡାମରା କୁଆ ବି ପାଣିକୁଆ ଘରେ କୁଣିଆ ହୁଏ। ଡାମରାକୁଆ ଟିକିଏ ଖଳ ପ୍ରକୃତିର, ସେ ଯେତେ ଉପକାର ପାଇଲେ ବି ଅନ୍ୟର ଦୋଷ ଖୋଜୁଥାଏ। ଦୋଷ ନ ଥିଲେ କୁଆଡ଼ୁ ହେଲେ ଗୋଟାଏ ଦୋଷ ବାହାର କରେ। ତିଳ ପ୍ରମାଣ ଦୋଷକୁ ତାଳ କରି ଥୁଏ। କିଛି ଦୋଷ ବାହାର କରି ନ ପାରିଲେ ମନ ତା’ର ଖରାପ ହୁଏ।

ଦିନେ ଡାମରାକୁଆ ପାଣିକୁଆ ଘରେ କୁଣିଆ ହେଲା। ପାଣିକୁଆ ଭାବିଲା, ଯା’ ହଉ କେତେ ଦିନର ସାଙ୍ଗ, ଘରକୁ ଆସିଛନ୍ତି। ଡାମରାକୁଆକୁ ବଡ଼ ଆଦର ସନମାନ କଲା। ବେଙ୍ଗ, ଚେଙ୍ଗ, ଗେଣ୍ଡା, କଙ୍କଡ଼ା, କୋଚିଆ କେତେ କ’ଣ ଯୋଗାଡ଼ କରି ଖାଇବାକୁ ଦେଲା। ଡାମରାକୁଆ ସେଠି ରହୁ ରହୁ ଗୁଡ଼ାଏ ଦିନ ରହିଗଲା। ମଜା ମଉଜରେ ଥାଏ ସିନା ହେଲେ କିଛି ଗୋଟେ ଦୋଷ ଖୋଜି ବୁଲୁଥାଏ। ଜୀରାରୁ ଶିରା, ଛେନା ଚୋପା ଛଡ଼େଇବା ତା’ ପ୍ରକୃତି!

ଡାମରାକୁଆର ଶେଷକୁ ବିଦା ହେବା ବେଳ ଆସିଲା। ଯାଉ ଯାଉ କହିଲା, ‘‘ଖିଆପିଆ, ଆଦର ସନମାନରେ ତୁମର ଊଣା ନାହିଁ। ତମମାନଙ୍କର ସବୁ ଭଲ, ହେଲେ ଗୋଟିଏ ଦୋଷ! ତମେ ସମସ୍ତେ ପାଣିରୁ ମାଛ ଖାଇଲାବେଳେ ଲାଞ୍ଜଟାକୁ ଉପରକୁ ଟେକି ଖାଉଛ।’’

ପାଣିକୁଆମାନେ ଆଉ କ’ଣ କହିବେ?

ପିଲାମାନେ ପରେ ଗାଇଲେ-
ପାଣିକୁଆ ରାଇଜକୁ
ଡାଳିକୁଆ ଆଇଲା,
ଗଲା ଆଇଲା ବେଳକୁ
ଦୋଷ ଖୋଜି କହିଲା।

-ଓଡ଼ିଆ ଲୋକକଥା

ସମ୍ବନ୍ଧିତ ଖବର