ନଣ୍ଡା ପାହାଡ଼ ତଳେ ଗୋଟେ ଅଶୋକ ଗଛରେ ଦଳେ ଜୁଳୁଜୁଳିଆ ପୋକ ଏକାଠି ବାସ କରୁଥିଲେ। ସେମାନେ ଦିନସାରା ଗଛରେ ଶୋଇ ରହି ବିଶ୍ରାମ କରନ୍ତି। ସନ୍ଧ୍ୟାହେଲେ ଗଛରୁ ବାହାରି ନୀଳ ଆକାଶରେ ଉଡ଼ି ବୁଲନ୍ତି। ଛୋଟ ଜୀବ ହେଲେ ମଧ୍ୟ ସେମାନେ ପୃଥିବୀକୁ ଆଲୋକିତ କରିଥାନ୍ତି।
ତାଙ୍କ ଭିତରୁ ଗୋଟେ ଜୁଳୁଜୁଳିଆର ନାଁ ଟମ୍। ସେ ଭାରି ଚାଲାକ୍ ଆଉ ଚତୁର। ସମସ୍ତେ ଏକାଠି ଉଡ଼ି ବୁଲିଲାବେଳେ ସେ ଅଲଗା ହୋଇ ଗାଁ ଭିତରକୁ ବେଳେ ବେଳେ ଚାଲିଆସେ। ସବୁବେଳେ କହେ, ଅନ୍ୟର ଉପକାର କର, ଭଗବାନ ତମର ମଙ୍ଗଳ କରିବେ।
ଟମ୍ ଦିନେ ଉଡ଼ି ଉଡ଼ି ଯାଇ ଜଙ୍ଗଲ ମଝିରେ ଗୋଟେ ଗଛରେ ତା’ର ମିଞ୍ଜିମିଞ୍ଜି ଆଲୋକ ଦେଇ ବସିଥାଏ। ଏତିକିବେଳେ ଦଳେ ଲୋକ ସେଇବାଟ ଦେଇ ଗାଁ ଆଡ଼କୁ ଯାଉଥା’ନ୍ତି। କାହାରି ହାତରେ ଟର୍ଚ୍ଚ ଲାଇଟ୍ ମଧ୍ୟ ନ ଥାଏ। ତାଙ୍କ ଭିତରୁ ଜଣେ କହିଲା, ଭାଇମାନେ ଏଡ଼େ ଅନ୍ଧାର ରାତି। ଯଦି କୋଉଠୁ ଭାଲୁ ବାହାରେ ତା’ ହେଲେ ସରିଗଲା କଥା। ନାଇଁ ଭାଇ ଏଇ ଗଛ ମୂଳେ ଟିକେ ସମୟ ଅପେକ୍ଷା କରିବା, ଯଦି ଟ୍ରକ୍ କି ଟେମ୍ପୁ ଦେଖିବା ସେଥିରେ ଚଢ଼ି ପଳାଇବା। ଜୁଳୁଜୁଳିଆ ଟମ୍ ଏକଥା ଶୁଣୁଥିଲା। ତା’ ମନରେ ଦୟା ଆସିଲା। ସେ ତ, ଏକୁଟିଆ ଏତେ ଲାଇଟ୍ ଦେଖେଇ ପାରିବ ନାହିଁ। ତେଣୁ, ସଙ୍ଗେ ସଙ୍ଗେ ଯାଇ ତା’ ସାଙ୍ଗ ସାଥୀ ସମସ୍ତଙ୍କୁ ଡାକି କହିଲା, ଚାଲ- ଭାଇମାନେ ଟିକେ ସମସ୍ତେ ଆଲୋକ ଦେଲେ ହୁଏତ, ସେଇ ଲୋକମାନେ ଗାଁ ପର୍ଯ୍ୟନ୍ତ ଯାଇପାରିବେ। ଟିକେ ଦୟା କର। ଏହା କହି ସମସ୍ତଙ୍କୁ ସେଇଗଛ ନିକଟକୁ ନେଇଗଲା।
ଜୁଳୁଜୁଳୁଆ ପୋକମାନଙ୍କର ଲାଇଟ୍ ଦେଖି ଗାଁ ଲୋକେ ଖୁସି ହୋଇଗଲେ। ସେମାନେ ପାଟି କରି କହିଲେ ପୋକମାନେ ଯଦି ଗାଁ ପର୍ଯ୍ୟନ୍ତ ଉଡ଼ି ଯାଆନ୍ତେ ଆମେ ଆରାମରେ ଘରେ ପହଞ୍ଚିଯାଇ ପାରନ୍ତୁ। ସବୁ ଜୁଳୁଜୁଳିଆ ଏକଥା ଶୁଣି ଆଗକୁ ଆଗକୁ ଉଡ଼ିବାକୁ ଲାଗିଲେ। ଟମ୍ ଓ ତା’ ସାଥୀମାନେ ଗାଁ ପର୍ଯ୍ୟନ୍ତ ଉଡ଼ି ଉଡ଼ି ଲୋକଙ୍କୁ ଆଲୋକ ଦେଖାଇ ନେଇଗଲେ। ଟମ୍ର ଉପକାରୀ ଗୁଣ ଦେଖି ସାଙ୍ଗମାନେ ତାକୁ ଧନ୍ୟବାଦ ଜଣାଇଲେ।
ବଇଣ୍ଡା ହାଇସ୍କୁଲ ରୋଡ୍, ଅନୁଗୁଳ