ଅନେକ ବର୍ଷ ତଳର କଥା। କୁକୁର, ବିରାଡ଼ି, ମୂଷା ଥିଲେ ତିନି ବନ୍ଧୁ। ହଠାତ ସେମାନଙ୍କ ରାଜ୍ୟରେ ଦୁର୍ଭିକ୍ଷ ପଡ଼ିଲା। ଏମାନେ ସମସ୍ତେ ଥିଲେ ବନ୍ୟ ପ୍ରାଣୀ। ଜଙ୍ଗଲର ସମସ୍ତ ପଶୁପକ୍ଷୀ ସେ ଜାଗା ଛାଡ଼ି ଅନ୍ୟତ୍ର ପଳାଇଲେ। ମୂଷା କହିଲା ବନ୍ଧୁୁ ସମସ୍ତ ପଶୁପକ୍ଷୀ ଜଙ୍ଗଲ ଛାଡ଼ି ଅନ୍ୟତ୍ର ଗଲେଣି। ତେଣୁ ଆମେ କାହିଁକି ରହିବା? ବିରାଡ଼ି ମଧ୍ୟ ଏ କଥାକୁ ସମର୍ଥନ ଜଣାଇଲା।
କୁକୁର କହିଲା ବନ୍ଧୁ, ତୁମେ ତ ଦେଖୁଛ ଏଇ ମାତ୍ର ଦଶଦିନ ହେଲା ମୁଁ ଛୁଆ ଜନ୍ମ ଦେଇଛି। ସେମାନଙ୍କୁ ନେଇ ଅନ୍ୟଆଡ଼େ ଯିବା ମୋ ପକ୍ଷେ ସମ୍ଭବ ନୁହେଁ। ତୁମେମାନେ କାହିଁକି ମୋ ପାଇଁ ଜୀବନ ଦେବ। ବରଂ ମତେ ଛାଡ଼ି ତମେମାନେ ଏଠାରୁ ଚାଲିଯାଅ। ବିରାଡ଼ି କହିଲା- ତୁମକୁ ଛାଡ଼ି ଆମେ ଚାଲିଗଲେ ପାପରେ ଭାଗିଦାର ହେବାକୁ ପଡ଼ିବ। ମୂଷା କହିଲା, ବନ୍ଧୁ ଏଇଠି ରହିବା ଓ ବଞ୍ଚିବାର ରାସ୍ତା ଖୋଜିବା।
ବିରାଡ଼ି କିଛି ସମୟ ଚିନ୍ତା କଲା। ତା’ପରେ କହିଲା- ଆମେ ନିଶ୍ଚୟ ବଞ୍ଚି ପାରିବା। ମୂଷା ଓ କୁକୁର ମିଶି ପଚାରିଲେ କିପରି? ବିରାଡ଼ି କହିଲା, ‘ନିଧି ଜମିଦାର ଘରେ ଏତେ ଖାଦ୍ୟ ଶସ୍ୟ ଅଛି ଯେ ବାରବର୍ଷ ଦୁର୍ଭିକ୍ଷ ପଡ଼ିଲେ ବି ସେ ପଚାଶ ପ୍ରାଣୀ କୁଟୁମ୍ବଙ୍କୁ ଚଳେଇ ପାରିେବ। ତମେ ଯଦି ତା’ ଘରକୁ ଯାଇ ଖାଦ୍ୟ ପଦାର୍ଥ ଆଣନ୍ତ ତା’ହେଲେ ଆମେ ଦୁର୍ଭିକ୍ଷ ମୁହଁରୁ ରକ୍ଷା ପାଆନ୍ତେ।
ମୂଷା ଯେତେେବଳେ ନିଧି ଜମିଦାରଙ୍କ ଘରକୁ ଗଲା ସେଠାରେ ସେ ବିଭିନ୍ନ ରକମର ଖାଦ୍ୟଶସ୍ୟ ଦେଖିଲା। ଲୋଭରେ ପଡ଼ି ସେ ସେହିଠାରେ ହିଁ ରହିଗଲା।
ଦୁଇ ତିନି ଦିନ ଗଲାପରେ କୁକୁର ବିରାଡ଼ିକୁ ପଠାଇଲା ମୂଷାକୁ ଖୋଜିବା ପାଇଁ। ବିରାଡ଼ି ଜମିଦାର ଘରେ ଜାଇ ଦେଖିଲା ମୂଷା ଜମିଦାରଙ୍କ ଆଟୁ ଉପରେ ଆରମରେ ବସିଛି। ଏହି ସମୟରେ ଜମିଦାରଙ୍କ ସ୍ତ୍ରୀ କ୍ଷୀର ଜାଗାଟିକୁ ଟେବୁଲ ଉପରେ ରଖି କ’ଣ କାମରେ ଅନ୍ୟଆଡ଼େ ଚାଲିଗଲେ। ବିରାଡ଼ି ଏଇ ମଉକା ଦେଖି ସେଥିରୁ ପେଟେ କ୍ଷୀର ପିଇଦେଲା। ପରେ ଭାବିଲା, ଆରେ ‘ଏଠି ତ ପୂରା ଆରାମ୍’। ଏହା କହି ସେ ସେଠାରେ ରହିଗଲା।
କୁକୁର ଏଣେ ଅପେକ୍ଷା କରି କରି ଜମିଦାରଙ୍କ ଘରକୁ ଆସିଲା। ସାଙ୍ଗରେ ତା’ର ଛୁଆମାନେ ଦୌଡ଼ିଥାଆନ୍ତି। ଏତିକିବେଳେ କିଛି ଲୋକ ଜମିଦାରଙ୍କ କାନ୍ଥ କଣା କରି ଘର ଭିତରକୁ ପଶୁଥିବାର ସେ ଦେଖିଲା। ହଠାତ୍ କ’ଣ ମନହେଲା ସେ ଭୋ’ ଭା’ କରି ରଡ଼ି ପକାଇଲା। ଚୋରମାନେ ଡରିଗଲେ। ଜମିଦାର ଆସି ଦେଖନ୍ତି ତ ଚୋରମାନେ ଦୌଡ଼ି ପଳାଉଛନ୍ତି। ସେ ଜାଣିଲେ ଏ ଜନ୍ତୁଟି ଗୋଟିଏ ଉପକାରୀ ଜନ୍ତୁ। ସେହିଦିନୁ ନିଜେ ଜମିଦାର କୁକୁର ଓ ତା’ର ଛୁଆମାନଙ୍କୁ ଆଦରକରି ପାଳିବାରେ ଲାଗିଲେ।
ଫଳରେ ସେତେବେଳେ ଜଙ୍ଗଲରେ ରହୁଥିବା ମୂଷା, ବିରାଡ଼ି ଓ କୁକୁର ଆଉ ଜଙ୍ଗଲକୁ ନ ଫେରି ମଣିଷଙ୍କ ମେଳରେ ରହିଗଲେ।
ପାପସରା, କିଶୋର ନଗର
ଅନୁଗୁଳ