ଗୋଟିଏ ଗାଁରେ ବାପଟିଏ ପୁଅଟିଏ ରହୁଥିଲେ। ବାପ ଜଣେ ମୂର୍ତ୍ତି କାରିଗର। ବାପ ପୁଅକୁ ମୂର୍ତ୍ତି ତିଆରି କରିବାର କଳା ଶିଖାଇଲେ। ପୁଅ ବି ମୂର୍ତ୍ତି କରିବା କାମ ଶିଖିଗଲା। ଉଭୟ ହାଟକୁ ଯାଉଥିଲେ ଓ ନିଜ ନିଜର ମୂର୍ତ୍ତି ବିକ୍ରି କରି ଫେରୁଥିଲେ। ପିତାଙ୍କ ଦ୍ବାରା ତିଆରି ହୋଇଥିବା ମୂର୍ତ୍ତିଗୁଡ଼ିକ ଭଲ ବିକ୍ରି ହେଉଥିବା ବେଳେ ପୁଅ ତିଆରି କରିଥିବା ମୂର୍ତ୍ତିଗୁଡ଼ିକରୁ ଜମା ଭଲ ପଇସା ମିଳୁନଥିଲା। ହାଟରୁ ଫେରିବା ପରେ ପୁଅକୁ ପାଖରେ ବସାଇ ବାପା ମୂର୍ତ୍ତିରେ ରହି ଯାଇଥିବା ଭୁଲ ଗୁଡ଼ିକ ବୁଝାଇ ଦେଉଥିଲେ। ଏକ ବର୍ଷ ପର୍ଯ୍ୟନ୍ତ ଏଭଳି ଚାଲୁ ରହିଲା। ପୁଅର ବୁଝିବାର ଶକ୍ତି ଥିଲା। ସେ ବାପାଙ୍କ କଥାକୁ ଧ୍ୟାନ ଦେଇ ଶୁଣୁଥିଲା। ଏବଂ ନିଜର କଳାକୃତିରେ ସୁଧାର ଆଣିବାକୁ ଚେଷ୍ଟା ମଧ୍ୟ କରୁଥିଲା। କିଛି ଦିନ ପରେ ପୁଅର ମୂର୍ତ୍ତିଗୁଡ଼ିକ ଭଲ ବିକ୍ରି ହେଲା।
ବାପା ତଥାପି ପୁଅକୁ ପୂର୍ବପରି ବୁଝାଇ ଚାଲିଥିଲେ। ମୂର୍ତ୍ତିରେ ରହିଥିବା ତ୍ରୁଟି ଆାଡ଼କୁ ପୁଅର ଧ୍ୟାନ ଆକର୍ଷଣ କରୁଥିଲେ। ପୁଅଟି ପିତାଙ୍କ ଉପଦେଶ ଉପରେ ଅଧିକ ଧ୍ୟାନ ଦେବାରୁ ତା’ କଳା ଓ କାରୁକାର୍ଯ୍ୟରେ ଆହୁରି ସୁନ୍ଦରତା ଭରିଗଲା। ଏଣିକି ହାଟକୁ ଗଲାରୁ ତା’ର ମୂର୍ତ୍ତିଗୁଡ଼ିକ ଅଧିକ ଟଙ୍କାରେ ବିକ୍ରି ହେବାକୁ ଲାଗିଲା। ତଥାପି ବାପା ପୁଅକୁ ବୁଝାଇ ଦୋଷ ଦେଖାଇ ଦେଉଥାନ୍ତି। ବାରମ୍ବାର ବୁଝାଇ ବିରକ୍ତ କରୁଥିବାରୁ ଦିନେ ରାଗିଯାଇ ପୁଅ କହିଲା- ଆପଣ ତ ଦୋଷ ବାହାର କରିବା କଥା ବନ୍ଦ କରୁ ନାହାନ୍ତି। ମୋ ମୂର୍ତ୍ତି ଏବେ ଆପଣଙ୍କଠାରୁ ବହୁତ ଭଲ ହେଉଛି। ମତେ ଅଧିକ ଟଙ୍କା ମିଳୁଥିବା ବେଳେ ଆପଣଙ୍କୁ ଅଳପ ମିଳୁଛି।
ପୁଅର କଥା ଶୁଣି ବାପା କହିଲେ- ପୁଅରେ! ମୁଁ ଯେତେବେଳେ ତୋ’ ବୟସର ଥିଲି ସେତେବେଳେ ମୋ କଳାକୃତିର ସଫଳତାରେ ମୋର ଅହଂକାର ଆସି ଯାଇଥିଲା। ମୁଁ ମୋ କଳାର ସୁଧାର ଆଣିବା ପାଇଁ ମନ ଦେଲି ନାହିଁ। ସେହିଦିନଠାରୁ ମୋର ପ୍ରଗତି ଅଟକି ଗଲା। ମୁଁ ଏବେ ଚାହେଁ ଯେ ମୋ ପରି ସେହି ଭୁଲ୍ ତୁ ଯେପରି ନ କରୁ। ନିଜର ତ୍ରୁଟି ବୁଝିପାରି ତାକୁ ସୁଧାରିବାକୁ ସର୍ବଦା ଚେଷ୍ଟା ଜାରି ରଖ। ତା’ ହେଲେ ଶ୍ରେଷ୍ଠ କଳାକାରର ଆସନ ଲାଭ କରିବୁ।
ବୋଧପୁର, କଟକ