କରୋନାରେ କାଉ, କୁକୁର

କଥା କାହାଣୀ - ସୁ‌ବ୍ରତ ଦାସ

ବିଚରା କାଉଟା ବୁଲିବୁଲି ଦାନା ଟିକିଏ କେଉଁଠି ପାଇଲାନି। ଶେଷ‌ରେ ନିରାଶ ହୋଇ ଗୋଟିଏ ନଳକୂପ ତଳେ ଜମିଥିବା ପାଣିରୁ ଥଣ୍ଟରେ ନେଇ ଶୋଷ ମେଣ୍ଟାଇଲା। ସେହି ସମୟରେ ଗୋଟିଏ ବୁଲାକୁକୁର ଆସି ପହଞ୍ଚି କାଉକୁ ପଚାରିଲା; ‘‘ଆରେ ଏତେଦିନ ହେଲା ଦେଖା ନାହିଁ! ଆଜି ଏହିଠାରେ କେମିତି!’’ କାଉଟି କହିଲା; ‘‘ମୋତି ଭାଇ, କ’ଣ କରିବା! ଆମର ଭାଗ୍ୟ ତ ସେଇଆ।’’ ସକାଳ ହେଲେ ବଜାରର ନିଧି ବୁଢ଼ା ଦୋକାନର ଆଂଚରୁ ଧୂଆଁ ବାହାରିଲେ ଆମେ ପହଞ୍ଚିଯାଉଥିଲୁ। ବୁଢ଼ାଟି ଆମକୁ ବାସି ପୁରି ଛିଡ଼ାଇ ଦେଉଥିଲା ଆଉ ବଳକା ଖାଦ୍ୟ ମଧ୍ୟ ଖାଇବାକୁ ଦେଉଥିଲା। ଆଜି ବୁଢ଼ାର ଦୋକାନ ବନ୍ଦ ଓ ଭାଟି ବି ବନ୍ଦ। ଲକ୍‌ଡାଉନ୍‌ ପାଇଁ ଦୋକାନ ଖୋଲା ହେଉ ନାହିଁ କି କିଛି ଖାଦ୍ୟ ପ୍ରସ୍ତୁତ ହେଉନାହିଁ। ତୁମେ ତ ମୋତି ଭାଇ, ଘରୋଇ ବନ୍ଧା। ବିଶ୍ବସ୍ତ ପ୍ରାଣୀ, ତେଣୁ ତୁମର ପ୍ରଭୁ ତୁମକୁ ବିଭିନ୍ନ ସୁସ୍ବାଦୁ ଖାଦ୍ୟ ଦେଉଥିବ। ତୁମେ ବି ସକାଳେ ଆସୁନ ତେଣୁ ଭେଟ ହେଉନାହିଁ। ମୋତି କହିଲା, ହଁ ସେଇଟା ତ ସତକଥା, ହେଲେ କ’ଣ କରିବା! ଅନ୍ୟର ଦୟାରେ ବଂଚିବା କଥା, ମାଲିକ ମନକୁ ପାଇଲେ ଦେବ ନ ହେଲେ ନାହିଁ।

ଏହି ମହାମାରୀ ସମୟରେ ଅଭାବ ପାଇଁ ତ ଅଧିକ ସମୟ ଝଗଡ଼ା ହେଉଛି। ରୋଷେଇ ବି ହେଉନାହିଁ। ଅର୍ଥ ନାହିଁ। ଯାହା ରନ୍ଧା ହେଉଛି ତାହା ସରିଯାଉଛି। ଆଉ ବଳକା ରହିଲେ ସିନା ଆମକୁ ଦେବେ? ଆମେ ବି ବାରଦୁଆର ବୁଲାବୁଲି କରି ଖାଇବା ଦୁଇଟା ଖାଉଛୁ। ବେ‌େଳବେଳେ ସେତିକି ବି ମିଳୁନି। ଯେମିତି ହେଲେ ବଞ୍ଚିବାକୁ ହେବ। ଏବେ ପୁଣି ବାତ୍ୟା ବି ଯାଇଛି ଯାହାଫଳରେ କେତେ କ’ଣ କ୍ଷତି କରି ଦେଇ ଯାଇଛି। ଆମେ ଜୀବନସାରା ଅଳିଆ ଆବର୍ଜନା ସଫା କରି ପରିବେଶ ରକ୍ଷା କରିଥାଉ। ଦେହର ରଙ୍ଗ କଳା ବୋଲି ଆମକୁ କେହି ଭଲ ପାଆନ୍ତି ନାହିଁ। ଆମର ସ୍ବର ବି ମଧୁର ନୁହେଁ। ତେଣୁ ମଣିଷ ପେଟକୁ ଅଭାବ ହେଲେ, ଆମକୁ ଦାନା କ’ଣ ଦେବ ବରଂ ଦେଖିଲେ ଘଉଡ଼ାଇ ବିଦା କରିଦେବ। ମୋତି କହିଲା, କାଉ ଭାଇ, ମୁଁ ବୁଝୁଛି ତୁମେ ସିନା ପରିବେଶ ସଫାସୁତରା ରଖୁଛ, ଅଳିଆ ଆବର୍ଜନା ସଫା କରୁଛ ହେଲେ ଆମେ ରାତିସାରା ଘର ଜଗି ଜଗି ପଡ଼ି ରହିଥାଉ। ବାହାର ଶତ୍ରୁକୁ ପ୍ରବେଶ କରାଇ ଦେଉନା। ତଥାପି ବିଶ୍ବସ୍ତ ହୋଇପାରୁନା। ଆମକୁ ବାଡ଼େଇ ଘରୁ ତଡ଼ି ଦିଅନ୍ତି କାରଣ ଆମେ ବାର ଦୁଆର ବୁଲୁଥାଉ। ହେଲେ କାଉ ଭାଇ ତମେ ଆଦୌ ମନଦୁଃଖ କରନି। କାରଣ ଆମେ ସମସ୍ତେ କରୋନା ଯୋଦ୍ଧା। ଆମେ ବାହାର ଲୋକଙ୍କୁ ଦେଖିଲେ ଗାଁରେ ପୂରାଇ ଦେଉନା। ପରିବେଶକୁ ସଫା ସୁତରା ରଖିବା ପାଇଁ ଆମେ ମଧ୍ୟ ଚେ‌ଷ୍ଟା କରୁଛେ। ଲୋକମାନଙ୍କୁ ଭୁକି, ରାବ ଦେଇ ସଚେତନ କରେଇ ଦଉଛୁ ଯେ ଅପରିଚିତ ଅଜଣା ଲୋକ ପ୍ରତି ସତର୍କ ରୁହ। ଲୋକମାନେ ସିନା ସାମାଜିକ ଦୂରତା ମାନୁ ନାହାନ୍ତି ହେଲେ ଆମେ ଦୂରରେ ରହି ମନର କଥା ପ୍ରକଟ କରୁ। କାଉ କହିଲା, ହଁ ମୋତି ଭାଇ- ‘‘ଏଇଟା ଠିକ୍‌କଥା। ପ୍ରଥମେ ଜୀବନ ରକ୍ଷା ହେଉ, ଏ ମହାମାରୀ କରୋନା ହଟୁ। ତା’ପରେ ପୁଣି ଏକାଠି ହେବା।’’

କାଉଟି କା- କା- ରାବ ଦେଇ ଆକାଶକୁ ଉଡ଼ିଗଲା।

ରାଜେନ୍ଦ୍ରପୁର, ବାରିକପୁର ବଜାର, ଭଦ୍ରକ

ସମ୍ବନ୍ଧିତ ଖବର