କରୋନା ଓ କୁନ୍‌ମୁନି

କଥା କାହାଣୀ - ରବୀନ୍ଦ୍ର ମାଝୀ

ସ୍କୁଲ ଛୁଟି। କେବେ ଖୋଲିବ ଜଣା ନାହିଁ। ଖେଳିବାକୁ ବାହାରିବାରୁ ବୋଉ କହିଲା ତୁ ବାହାରକୁ ଯିବୁ ନାହିଁ। ସରକାର ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ବାହାରକୁ ଯିବା ମନା।

କୁନ୍‌ମୁନି ପଚାରିଲା କ’ଣ କକବାୟ‌ା ଆସିଛି? ବୋଉ ହସିଲେ, ତାଙ୍କର ମନେ ପଡ଼ିଲା କୁନ୍‌ମୁନି ରାତିରେ ନ ଶୋଇଲେ ସେ ତାକୁ କକବାୟା‌ ଆସିବ, କହି, ଶୁଆଇ ପକାନ୍ତି। ସେ ଏବେ ବଡ଼ ହୋଇଗଲାଣି। ମାତ୍ର କକବାୟାକୁ ମ‌େନ ରଖିଛି।

ବୋଉ ବୁଝେଇ କହିଲେ, ନାଇଁରେ ଝିଅ କକବାୟା ନୁହେଁ କରୋନା ମାତିଛି। ତାହା ଭୂତାଣୁଟାଏ। ଆଖିକୁ ଦିଶେ ନାହିଁ। କେତେବେଳେ କାହାଠୁ ହାତକୁ ଡେଇଁପଡ଼େ। ଆମର ଏ ହାତ ନାକ ସଲସଲ ହେଲେ ନାକ ପାଖକୁ ଉଠିଆସେ। ଆଖି କୁଣ୍ଡେଇ ହେଲେ ଆଖିକୁ ମକଚି ଦିଏ। ଯେତେ ସାବଧାନ ହେଲେ ବି ମୁହଁର କେଉଁଠି ନା କେଉଁଠିକୁ ସେ ଛୁଇଁଥାଏ। ସେତିକିବେଳେ ଏ କରୋନା ଭୂତାଣୁ ନାକ କି ପାଟିରେ ପଶି ତଣ୍ଟି ପାଖରେ ଲୁଚି ବସେ। ତଣ୍ଟି ଖସ ଖସ ହୁଏ। କାଶ ହୁଏ, ଛିଙ୍କ ହୁଏ। ବଦମାସ କରୋନା ଯୋଗୁଁ ଜର ଆସେ।

ଜାଣିଛୁ କୁନ୍‌ମୁନି ଶେଷକୁ ସେ କରୋନା ପହଞ୍ଚିଯାଏ ଫୁସ୍‌ଫୁସ୍‌ ପାଖରେ। ଆମ ଦେହରେ ଏଇ ଫୁସ୍‌ଫୁସ୍‌ ପବନ ଛଣା କାମ କରେ। ଛଣା ପବନ ରକ୍ତରେ ମିଶେ। ତେଣୁ ଦେହ ଠିକ୍‌ ଥାଏ। କରୋନା ପଶିଗଲେ ଫୁସ୍‌ଫୁସ୍‌ର କାମ ବନ୍ଦ ହୋଇଯାଏ। ଫୁସ୍‌ଫୁସ୍‌ ବନ୍ଦ ହୋଇଗଲେ ସରିଲା କଥା।

କୁନ୍‌ମୁନିର ବୋଉ ତା’ ମୁଣ୍ତ ଆଉଁସି ଦେଇ କହେ ମୋ କଥା ମାନ ଘରେ ବସି, ଗପ ବହି ପଢ଼। ଛକଶୂନ ଖେଳ। ମୁଁ ତୋତେ ଛାଇ ଅ‌ାଲୁଅ ଖେଳ ଶିଖେଇ ଦେବି। କାଗଜରେ ଉଡ଼ାଜାହାଜ, ଚକ୍ରି ତିଆରି କରେଇ ଦେବି।

କୁନ୍‌ମୁନି ବୋଉ କଥା ଶୁଣି ବାହାରକୁ ଗଲାନି। ଘରେ ବସି କାଗଜ ତିଆରି ବେଙ୍ଗଟିଏ କରି ତା’ ସାଥେ ଖେଳିଲା। ଉଡ଼ାଜାହାଜ କରି ଉଡ଼େଇଲା।

କୁନ୍‌ମୁନି ଦିନେ ସ୍ବପ୍ନ ଦେଖିଲା। ରୁମୁରୁମିଆ ପେଣ୍ଡୁ ଆଖି ମିଟିମିଟି କରି ତା’ ଆଡ଼କୁ ଚାହିଁଛି। ଦେଖିବାକୁ ବଡ଼ ଅସନା । ସେ ଗଡ଼ି ଯାଉଛି, ଗଡ଼ି ଆସୁଛି। କୁନ୍‌ମୁନିର ସାଙ୍ଗ ପୁତୁଲି। ସେ ଯେମିତି ଘରୁ ବାହାରି ଆସିଛି ରୁମୁରୁମିଆ ପେଣ୍ଡୁଟା ତା’ ହାତକୁ ଡେଇଁ ପଡ଼ିଲା। ପୁତୁଲି କିଛି ଜାଣିପାରିଲା ନାହିଁ। ମାତ୍ର ଚିତ୍କାର କରି ଡାକିଲା ବୋଉ ବୋଉ ମୋ ଛାତି ଭିତରଟା କାଟୁଛି। ମୁଁ ନିଶ୍ବାସ ନେଇ ପାରୁ ନାହିଁ। ତାକୁ ଭାରି କଷ୍ଟ ହେଉଥାଏ। କୁନ୍‌ମୁନିର ନିଦ ଭାଙ୍ଗିଗଲା, ବଡ଼ ପାଟି କରି କହିଲା। ପେଣ୍ଡୁଟାକୁ ମାରି ଦେ’ ବୋଉ ମାରି ଦେ’।

କୁନ୍‌ମୁନି ବୋଉ ଦଉଡ଼ି ଆସିଲା। କୁନ୍‌ମୁନି ବୋଉକୁ ଦେଖି କୁଣ୍ଢେଇ ପକେଇଲା, ‘‘ବୋଉ ବାହାରକୁ ଜମା ଯିବିନି। ସେ କରୋନାଟା ପୁତୁଲି ଛାତିରେ ପଶିଗଲା। ସେ ଛାତିକୁ ଧରି କାନ୍ଦୁଛି।

ବୋଉ କୁନ୍‌ମୁନିକୁ ଆଉଁସି ଦେଇ କହିଲା ‘‘ମୋ ସୁନାଝିଅଟି ପରା, କଥା ମାନି ଚଳିବୁ। ନ ହେଲେ ବାହାରେ ‘କରୋନା’ କକମିନା ବସିଛି। ତାକୁ ସାବଧାନ।

କବିତା ଭବନ,
ପ୍ଲଟ୍‌ ନମ୍ବର- ୧୧୩/ ୩୩୯୫
ଜୟଦେବବିହାର, ଭୁବନେଶ୍ବର-୧୩

ସମ୍ବନ୍ଧିତ ଖବର