ଟୁନୁ ଓ କୁନୁ ରଥଯାତ୍ରା କରିବେ ବୋଲି ସ୍ଥିର କରିଛନ୍ତି। ଏପଟେ ସରକାର ସାରା ଦେଶରେ କଟକଣା ଲଗାଇଛନ୍ତି ଯେ ରଥ ଗଡ଼ିବ ନାହିଁ। ଯେଉଁଦିନ ଏ କଥା ଆସିଲା ଦିଦି କହିଲେ କ’ଣ କି ରେ ଟୁନୁ କୁନୁ, ଏଥର ତ ରଥ ଗଡ଼ିବ ନାହିଁ। ତୁ ଯେଉଁ ପନ୍ଦର ଦିନ ହେଲା ରଥ ତିଆରି କରୁଥିଲୁ ସେ ସବୁ ବେକାର ହୋଇଗଲା। ଟୁନୁ ଓ କୁନୁ ମାଟିକୁ କାଦୁଅ କରି ରଥର ଚକ କରିଥିଲେ । ପୁଣି ସେ ଇଟାଭଳି ଶକ୍ତ ହେବ ବୋଲି ରୋଷେଇ ଚୁଲିରେ ପକାଉଥିଲେ। ରଥର ଚାରୋଟି ଚକ ମଧ୍ୟ ନିଆଁରେ ପୋଡ଼ି ଶକ୍ତ ହୋଇ ଯାଇଥିଲା। ତାପରେ ସେମାନେ ବାପାଙ୍କୁ କହି ଆଠଟି ଛୋଟ ଛୋଟ ଲୁହାର ରଡ଼୍ ନେଇଥିଲେ। ତାକୁ ଅଖ କରିଥିଲେ। ମାଆ ଓ ଦିଦିର ରଙ୍ଗୀନ ଅବ୍ୟବହୃତ ଶାଢ଼ୀକୁ କାଟି ରଥରେ ଲଗେଇ ଥିଲେ। ଏ ସବୁ କାମରେ ତାଙ୍କ ସାଙ୍ଗମାନେ ମଧ୍ୟ ସାହାଯ୍ୟ କରିଥିେଲ।
ଜେଜେ କାଠରେ ଗୋଟିଏ ମହାପ୍ରଭୁ ଜଗନ୍ନାଥ ତିଆରି କରି ଦେଇଛନ୍ତି। ସେଥିରେ ସୁନ୍ଦର ରଙ୍ଗ ଦେଇଛନ୍ତି। ରଥରେ ଦଉଡ଼ି ମଧ୍ୟ ବନ୍ଧା ସରିଲାଣି। ମାଆ ଭୋଗ ଥାଳିଏ ଦେବେ କହିଛନ୍ତି ଓ ଜେଜେମା ଠାକୁର ଘରୁ ଘଣ୍ଟ ଘଣ୍ଟା ଶଙ୍ଖ ଦେବେ। ଦିଦି ଓ ତାର ସାଙ୍ଗମାନେ ଶଙ୍ଖ ବଜେଇ ଆଗରେ ଚାଲିବେ ବୋଲି କହିଛନ୍ତି। କାମ ସବୁ ବଣ୍ଟା ସରିଛି ଯେ ଏ କଥା ଆସିଲା। ଟୁନୁ ଓ କୁନୁ ଜଗନ୍ନାଥଙ୍କୁ ପୋଷାକ ପିନ୍ଧାଉ ଥିଲେ ସେତିକି ବେଳେ ରଥ ଗଡ଼ିବ ନାହିଁ ବୋଲି କଥାଶୁଣି ସେମାନେ କାନ୍ଦି ପକେଇଲେ।
ସେଦିନ ଭଲକରି ଖାଇଲେ ନାହିଁ ଟୁନୁ ଓ କୁନୁ। ଯିଏ ଯେତେ ବୁଝେଇଲେ ମଧ୍ୟ ବୁଝିଲେ ନାହିଁ। ଟୁନୁ ଓ କୁନୁ ଜଗନ୍ନାଥଙ୍କୁ ସାଥିରେ ନେଇ ବିଛଣାରେ ଶୁଆଇଲେ। କହିଲେ ହେ ଠାକୁର, କିଛି କର। ଆମ ରଥଯାତ୍ରା ବନ୍ଦ କରନାହିଁ।
ରାତି ଅନେକ ହେଲାଣି। ସମସ୍ତେ ଶୋଇଲେଣି। ଗାଁର ଦାଣ୍ଡ ମଧ୍ୟ ଖାଲି ପଡ଼ିଛି। ଟୁନୁ ଓ କୁନୁ ଦେଖିଲେ ରଥରେ ଜଗନ୍ନାଥ ଆସି ବସିଲେ। କହିଲେ, ମୋତେ ଟାଣିକରି ନେଇଚାଲ। ଟୁନୁ, କୁନୁ ଖୁସି ହୋଇଗଲେ। ସମସ୍ତଙ୍କୁ ଡାକିଲେ। ଟୁନୁ କହିଲା, ଆମେ ସରକାରଙ୍କର କଥା ମାନିବୁ। ସାମାଜିକ ଦୂରତା ରଖି ରଥ ଟାଣିବୁ। ମୁହଁରେ ରୁମାଲ ବାନ୍ଧିବୁ। ଦୁଇ ଗଜରୁ ଅଧିକ ଦୂରରେ ରହି ରଥକୁ ଟାଣି ଟାଣି ନେଇଯିବୁ। ସରକାର ତ ଏତିକି ଚାହୁଁଛନ୍ତି। କିଛି ଲୋକ ମାନୁ ନାହାଁନ୍ତି ବୋଲି ଏ କଟକଣା। ଖୁସି ହୋଇ ଟୁନୁ ଉଚ୍ଚ ସ୍ୱରରେ କହିଲା, ଜୟ ମହାପ୍ରଭୁ ଜଗନ୍ନାଥ। ଚାଲରେ ରଥ ଚାଲ, ମାଉସୀ ମନ୍ଦିର ଚାଲ, ବୁଝି ନେ ହାଲଚାଲ।
ତା’ର ଏହି ଜୟ ଜୟକାରରେ ଘରର ସମସ୍ତଙ୍କ ନିଦ ଭାଙ୍ଗିଗଲା। ଟୁନୁ କୁନୁ ଶୋଇଥିବା ଘରକୁ ଆସି ଦେଖିଲେ ଟୁନୁ ନିଦରେ ଏମିତ ଜୟକାର କରୁଛି।
ରାତି ପାହିଲା। ଏତିକିବେଳେ ଟୁନୁ ଓ କୁନୁ ତାଙ୍କ ଶୋଇବା ଘରୁ ଚିତ୍କାର କଲେ। କ’ଣ ହେଲା ବୋଲି ସମସ୍ତେ ଦଉଡ଼ି ଗଲେ। ଟୁନୁ ଓ କୁନୁ କହିଲେ ଆମ ଜଗନ୍ନାଥଙ୍କୁ କିଏ ନେଇଗଲା। ଆମେ ଏହି ବିଛଣାରେ ରଖି ଶୋଇଥିଲୁ। ହଁ ତ, ମାଆ କହିଲେ, ସତ କଥା।
ଏତିକିବେଳେ ଜେଜେ ଆସି କହିଲେ ଆରେ ଟୁନୁ କୁନୁ, ତୁମ ଜଗନ୍ନାଥ ମହାପ୍ରଭୁ ତ ରଥରେ ବସି ସାରିଲେଣି। ସମସ୍ତେ ଯାଇ ଦେଖିଲେ ହଁ, ବସିଛନ୍ତି ମହାପ୍ରଭୁ।
ଜେଜେ କହିଲେ, ଶୁଣ ସମସ୍ତେ, ଏବେ ସରକାରୀ ଘୋଷଣା ହେଲାଣି ଯେ, ରଥଯାତ୍ରା ହେବ। ହେଲେ ମନେରଖ, ସବୁ କଟକଣା ମାନି, ଦୂରତା, ମାସ୍କ୍ ପିନ୍ଧା ଓ ହାତ୍ ଧୁଆ କଥାକୁ ମନେରଖି କାରବାର କରିବ।
ପରଦିନ ପିଲାମାନେ ସମସ୍ତ ନିୟମ ମାନି ରଥ ଟାଣିଲେ ଗାଁ ଦାଣ୍ଡରେ। ଟୁନୁ କୁନୁଙ୍କ ରଥଯାତ୍ରା ଦୂରରୁ ଦେଖି ସମସ୍ତେ ଆନନ୍ଦିତ ହେଲେ ।
ରଟିଲ, ରେଞ୍ଚ, ପୁରୀ