ବୁଢ଼ିଆଣୀ ଗୋଡ଼ ଏତେ ଲମ୍ବା କାହିଁକି?

କଥା କାହାଣୀ - ବିରଞ୍ଚି ନାରାୟଣ ବେହେରା

ପ୍ରକୃତିର ସୁନ୍ଦର ଜୀବଟିଏ ବୁଢ଼ିଆଣୀ। ନିଜ ଜାଲରେ ତା’ଠାରୁ ବଡ଼ ଜୀବଙ୍କୁ ମଧ୍ୟ ସେ ଶିକାର କରିବାରେ ଦକ୍ଷ। ବହୁଦିନ ତଳର କଥା, ଜନ୍ମବେଳେ ତା’ର ଛୋଟ ଛୋଟ ଆଠଟି ଗୋଡ଼ ଥିଲା। ସେ ଟିକେ ଖାଦ୍ୟ ଲୋଭୀ ଓ ବନ୍ଧୁ ପ୍ରିୟ। ବେଇମାନି କରେନି। ତେଣୁ ଅଧିକାଂଶ ଉଡ଼ନ୍ତା ପୋକ, ତା’ ସହିତ ସମ୍ପର୍କ ରକ୍ଷା କରନ୍ତି। ନିଜ ଘର ତରକାରୀ ତା’କୁ ଭଲ ଲାଗେନି ତେଣୁ ବହୁ ସମୟରେ ସେ ଅନ୍ୟଘରେ କୁଣିଆ ହେବାକୁ ଭଲପାଏ।

ଶୁଆ ବୁଢ଼ିଆଣୀର ଭଲ ବନ୍ଧୁ। ଦିନେ ତା’ ଘରେ ବୁଢ଼ିଆଣୀ ପହଞ୍ଚିଲା। ଶୁଆ ତରକାରୀ ରାନ୍ଧିବା ପାଇଁ ପନିପରିବା କାଟିଲା। ଡେରି ହେବା ଦେଖି ବୁଢ଼ିଆଣୀ କହିଲା, ‘‘ମୁଁ ଏତେ ସମୟ ରହିପାରିବିନି, ମୋର ସୂତାର ଅଭାବ ନାହିଁ, ତୁମ ଡେକ୍‌ଚି ସହ ମୋ ଗୋଡ଼କୁ ଗୋଟିଏ ସୂତାରେ ବାନ୍ଧି ଘରକୁ ଯାଉଛି, ରୋ‌େଷଇ ସରିଲେ ସୂତାକୁ ଟାଣିଦେବ ମୁଁ ସଙ୍ଗେ ସଙ୍ଗେ ଦୌଡ଼ିକରି ଚାଲି ଆସିବି।’’ ଶୁଆ ବି ହଁ କଲା। ତା’ପରେ ବୁଢ଼ିଆଣୀ ଶୁଆ ପାଖରୁ ଫେରି ମାଙ୍କଡ଼ଘରେ ପହଞ୍ଚିଲା। ମାଙ୍କଡ଼ ଫଳମୂଳ ସହ ମହୁ ପକାଇ ରୋଷେଇ କରୁଥିଲା। ବୁଢ଼ିଆଣୀର ମହୁମିଶା ଖାଦ୍ୟ ପାଇଁ ଲୋଭ ବଢ଼ିଗଲା। ବାଧ୍ୟ ହୋଇ ମାଙ୍କଡ଼କୁ ନିଜ ମନକଥା କହିଲା। ସେ ମଧ୍ୟ ହଁ ଭରିଲା। ରୋଷେଇ ଡେରି ଯୋଗୁଁ ମାଙ୍କଡ଼ର ଡେକ୍‌ଚି ସହ ବୁଢ଼ିଆଣୀ ସୂତାଟିଏ ବାନ୍ଧି ଘରକୁ ଚାଲିଗଲା। ସୂତାକୁ ଟାଣିଲେ ଦୌଡ଼ି ଆସିବ ବୋଲି କହି ସେଠାରୁ ପଳାଇ ଆସିଲା।

ବାଟରେ ଅନ୍ୟ ବଂଧୁ ଯଥା ଠେକୁଆ, କୋକିଶିଆଳି, ଗୁଣ୍ଡୁଚିମୂଷା, କପୋତ, ପାରା ପାଖରେ ପହଞ୍ଚି ସମସ୍ତଙ୍କ ଘରେ କୁଣିଆ ହେବାକୁ କହିଲା। ସମସ୍ତେ ହଁ ମାରିଲେ। ସମସ୍ତଙ୍କୁ ବୁଝାଇ ଘରକୁ ଫେରି ଆସିଲା। ମାତ୍ର ଘରକୁ ଫେରିଆସିଲାବେଳେ ସେମାନଙ୍କ ଡେକ୍‌ଚି ସହ ନିଜ ଗୋଡ଼କୁ ଏକ ସୂତାରେ ବାନ୍ଧିଦେଲା। ମଧ୍ୟାହ୍ନ ଭୋଜନ ସମୟ ପ୍ରାୟ ଦୁଇଟା ‌ବେଳକୁ ସମସ୍ତଙ୍କର ରୋଷେଇ ‌େଶଷ ହେଲା। ଏକା ସମୟରେ ସମସ୍ତେ ଡେକ୍‌ଚିରେ ଲାଗିଥିବା ସୂତାକୁ ଭିଡ଼ିଲେ। ବିଚରା କୁଆଡ଼େ ଯିବ? ଫଳରେ ଚିତ୍କାର କରିବାକୁ ଲାଗିଲା। ଏପଟେ ଗୋଡ଼ ମଧ୍ୟ ଲମ୍ବି ଲମ୍ବି ଚାଲିଲା। ବୁଢ଼ିଆଣୀର ଚିତ୍କାର କାହାକୁ ଶୁଭୁନଥାଏ।

ବେଶି ଡେରି ଦେଖି କପୋତ ବୁଢ଼ିଆଣୀ ପାଖରେ ପହଞ୍ଚିଲା। ସବୁ ହରକତ ବୁଝିସାରି କପୋତ ଉଡ଼ି ଉଡ଼ି ସୂତାକୁ ଅନୁସରଣ କରି ସମସ୍ତଙ୍କୁ ସୂତା ଟାଣିବାକୁ ମନା କଲା। ସୂତାଟଣା ବନ୍ଦ ହେଲାବେଳକୁ ବୁଢ଼ିଆଣୀର ଗୋଡ଼ ଲମ୍ବି ଯାଇଥିଲା। ଫଳରେ ସେହିଦିନଠାରୁ ବୁଢ଼ିଆଣୀର ଗୋଡ଼ ଶରୀର ତୁଳନାରେ ବହୁତ ବଡ଼ ହୋଇଯାଇଥିଲା।

ସହକାରୀ ନିର୍ଦ୍ଦେଶକ
ରାଜସ୍ୱ ଅଧିକାରୀ ପ୍ରଶିକ୍ଷଣ ପ୍ରତିଷ୍ଠାନ
ଗୋଠପାଟଣା, ଭୁବନେଶ୍ୱର

ସମ୍ବନ୍ଧିତ ଖବର