ମହତସେବା

କଥା କାହାଣୀ - ଭାସ୍କର ଚନ୍ଦ୍ର ଦାସ

ଥରେ ଚାରିଜଣ ଲୋକଙ୍କର ମୃତ୍ୟୁ ଘଟିଲା। ଜଣେ ସାହୁକାର, ଦୁଇଜଣ ଚୋର ଓ ଆଉଜଣେ ଗୋପାଳ। ମୃତ୍ୟୁପରେ ଚାରି ଜଣଯାକ ଯାଇ ଯମରାଜଙ୍କ ପାଖରେ ପହଞ୍ଚି ନିଜ ନିଜ କର୍ମ କଥା କହି ସ୍ୱର୍ଗପ୍ରାପ୍ତି ନିମନ୍ତେ ଅନୁରୋଧ କଲେ। ତେଣୁ ଯମରାଜ ପାପ-ପୂଣ୍ୟର ବିଚାର କରିବାକୁ ଯାଇ ପ୍ରଥମେ ସାହୁକାରକୁ ତା’ ଜୀବନର ପାପ-ପୂଣ୍ୟ କଥା ପଚାରନ୍ତେ ସାହୁକାର କହିଲା;-‘‘ଯମରାଜ! ମୁଁ ମୋ ଜୀବନକାଳ ଭିତରେ ଅନେକ ଦାନ-ପୂଣ୍ୟ କରିଛି। ବହୁ ମନ୍ଦିର-ଦେବାଳୟ ତିଆରି କରିଛି। କୂଅ-ପୋଖରୀ ଆଦି ମଧ୍ୟ ଖୋଳାଇଛି। ତେଣୁ ମୋର ସ୍ୱର୍ଗପ୍ରାପ୍ତି ହେବା ଦରକାର।’’

ସାହୁକାର କଥା ଶୁଣି ଯମରାଜ କହିଲେ;‘‘ତୁମେ ଯାହା କହୁଚ ଅବଶ୍ୟ ସତ କଥା। ହେଲେ ତୁମେ ଯେଉଁ ସବୁ ଦାନ-ପୂଣ୍ୟ କରିଛ ତାହା ତ ତୁମ ଆବଶ୍ୟକତାଠାରୁ ଅଧିକ ଥିବା ଧନରେ ହିଁ କରିଛ। ତେଣୁ ତୁମେ ଅଧିକ କ’ଣ ଏମିତି କରିଛ ଯେ, ସ୍ୱର୍ଗପ୍ରାପ୍ତି ଆଶା କରୁଛ? ଏ କର୍ମ ପାଇଁ ତୁମକୁ ନର୍କକୁ ଯିବାକୁ ମୁଁ ଆଦେଶ ଦେଲି।’’

ଏହାପରେ ପ୍ରଥମ ଚୋର ତା’ ଜୀବନରେ କମେଇଥିବା ପାପ-ପୂଣ୍ୟ କଥା ବର୍ଣ୍ଣନା କରି କହିଲା; ‘‘ଯମରାଜ! ଏ କଥା ସତ ଯେ, ମୁଁ ଜୀବନସାରା ହିଁ ଖାଲି ଚୋରୀ କରିଛି। ମାତ୍ର; ଏଥିପାଇଁ ମୁଁ ଦାନ-ଧର୍ମ ଆଦି କରିବାରେ ଆଦୌ ଅବହେଳା କରି ନାହିଁ। ତେଣୁ ମୋତେ ସ୍ୱର୍ଗପ୍ରାପ୍ତି ଆଜ୍ଞା ହେଉ।’’

ପ୍ରଥମ ଚୋର କଥା ଶୁଣି ଯମରାଜ କହିଲେ; ‘‘ତୁ ପର ଧନ ଚୋରୀ କରି ହିଁ ପାପ କାର୍ଯ୍ୟ କରିଛୁ। କିନ୍ତୁ; ଚୋରୀ କରିବା ଯେ ମହାପାପ ଏ କଥା କ’ଣ ତୁ ଜାଣି ନାହୁଁ? ତେଣୁ ତୋର ସ୍ଥାନ ସେହି ନର୍କରେ।’’

ଏହାପରେ ଦ୍ୱିତୀୟ ଚୋରର ପାଳି ପଡ଼ିଲା। ସେ କହିଲା; ‘‘ଯମରାଜ! ମୁଁ ଜୀବନରେ ବହୁତ ଅନ୍ୟାୟ ଓ ପାପ କରିଛି ସତ, ମାତ୍ର ମୁଁ ପ୍ରତିଦିନ ମନ୍ଦିର ଯାଇ ପ୍ରଭୁଙ୍କୁ ଦର୍ଶନ କରି ଅଧିକ ପୂଣ୍ୟ ଅର୍ଜନ କରିଛି। ତେଣୁ ସ୍ୱର୍ଗପ୍ରାପ୍ତିରେ ମୋର ଅଧିକାର ଅଛି।’’

ତା’ କଥା ଶୁଣି ଯମରାଜ କହିଲେ;-‘‘ରେ ମୁର୍ଖ! ତୁ କେବଳ ପ୍ରଭୁଙ୍କୁ ଦର୍ଶନ କରି ଚୋରି କାର୍ଯ୍ୟର ସଫଳତା କାମନା କରିଛୁ। ତେଣୁ ତୁ କର୍ତ୍ତବ୍ୟ ଠିକ୍‌ ଭାବରେ ପାଳନ କରି ନାହୁଁ। ସେଥିପାଇଁ ମୁଁ ତତେ ନର୍କକୁ ଯିବାକୁ ଆଦେଶ କଲି।’’

ଏଥରକ ଚତୁର୍ଥ ନମ୍ବରରେ ଗୋପାଳ ପାଳି ପଡ଼ିଲା। ସେ କହିଲା; ‘‘ହେ ମୃତ୍ୟୁ ଦେବତା! ମୁଁ ଜଣେ ଅତ୍ୟନ୍ତ ଗରିବ ଗୋପାଳ। ଦାନ ପୂଣ୍ୟ ବା କରିପାରିଥାନ୍ତି କେମିତି? ମୁଁ ଯେଉଁ ଗାଆଁରେ ରହେ ସେ ଗାଆଁରେ ମଧ୍ୟ ଭୟଙ୍କର ଦୁର୍ଭିକ୍ଷ। ଦିନେ ମୁଁ ବହୁ କଷ୍ଟରେ ଖାଇବା ପାଇଁ ଗଣ୍ଡେ ଭାତ ଯୋଗାଡ଼ କରିଥିଲି। ହେଲେ ଯୋଗକୁ ସେତିକିବେଳେ ଦେଖିଲି ମୋ ଆଗରେ ଗୋଟିଏ କୁକୁର ଭୋକରେ ଆଉଟୁ ପାଉଟୁ ହେଉଛି। ତେଣୁ ତା ପ୍ରତି ମୋର ଭାରି ଦୟା ଆସିଲା। ମୁଁ ସଙ୍ଗେ ସଙ୍ଗେ ସେତକ କୁକୁରଟିକୁ ଦେଇ ଦେଲି ଓ ନିଜେ ଭୋକରେ ଛଟପଟ ହୋଇ ମୃତ୍ୟୁ ବରଣ କଲି। ଏହି କର୍ମ ହିଁ ମୁଁ କରିଛି ମହାଭାଗ!’’

ଗୋପାଳ କଥା ଶୁଣି ଯମରାଜ କହିଲେ; ‘‘ହେ ମାନବ ଶ୍ରେଷ୍ଠ ଗୋପାଳ! ତୁମେ ତୁମ ଜୀବନକୁ ଜଳାଞ୍ଜଳି ଦେଇ ନିଃସ୍ୱାର୍ଥପର ଭାବରେ ଅନ୍ୟର ଜୀବନ ରକ୍ଷା କରି ମହତ୍‌କାମ କରିଥିବାରୁ ଯର୍ଥାଥରେ ତୁମେ ହିଁ ସ୍ୱର୍ଗପ୍ରାପ୍ତିର ଅଧିକାରୀ। ତେଣୁୁ ତୁମକୁ ସ୍ୱର୍ଗକୁ ଯିବା ପାଇଁ ଆଦେଶ କଲି।’’

ମେଘଡମ୍ବରୁ, କୁରୁଡ଼ା
ବାଲେଶ୍ୱର

ସମ୍ବନ୍ଧିତ ଖବର