ଗଣେଶ ପୂଜା

କଥା କାହାଣୀ - ଜ୍ୟୋସ୍ନାମୟୀ ଦେଈ

ଚଗଲୁର ନାମଟି ଯେପରି ତା’ର କାମ ମଧ୍ୟ ସେହିପରି। ବଡ଼ ଜିଦିଆ। ସେ ଯାହା ଚାହିଁବ ତାହା ନ ପାଇବା ପର୍ଯ୍ୟନ୍ତ ମୁହଁ ଫୁଲାଇ ରୁଷି ବସିବ। ଖିଆ ପିଆ କରିବ ନାହିଁ। ମାଆ ଯେତେ ଡାକିଲେ ବି ଶୁଣିବ ନାହିଁ। ତା’ର ଏହି ଗୁଣ ଦେଖି ମାଆ ଚିନ୍ତିତ ହୁଅନ୍ତି। ଚଗଲୁ ଯେତେବେଳେ ଦୁଇବର୍ଷର ହୋଇଥିଲା ତା’ ବାପା ତା’କୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ବିଚାରୀ ମାଆ ପରଘରେ ପାଇଟି କରି ତାକୁ ମଣିଷ କରିବା ପାଇଁ କେତେ ଦୁଃଖ କଷ୍ଟ ସହି ପାଠ ପଢ଼ାଉଥାଆନ୍ତି। ହେଲେ ଚଗଲୁ ମା’ଙ୍କ କଥା ମୋଟେ ଶୁଣେ ନାହିଁ।

ରାତି ପାହିଲେ ଗଣେଶ ପୂଜା। ଚଗଲୁ ନୂଆ ଡ୍ରେସ୍‌ ପାଇଁ ଜିଦି କଲା। ମାଆ ଅଭାବ ଅସୁବିଧା ବିଷୟରେ ଯେତେ ବୁଝାଇଲେ ବି ସେ ଶୁଣିଲା ନାହିଁ। ରାତିରେ ଖିଆ ପିଆ ନ କରି ମୁହଁ ମାଡ଼ି ଶୋଇ ସ୍ୱପ୍ନ ଦେଖିଲା।

ସେ ଗଣେଶଙ୍କୁ ପୂଜା କରିବା ପାଇଁ ଯାଉଛି। ବାଟରେ ଗୋଟିଏ ମୂଷା ତା’ ବାଟ ଓଗାଳି କହୁଛି, ‘‘ଚଗଲୁ ଭାଇ ତୁମେ କାଲି ନ ଖାଇ ନ ପିଇ ଶୋଇ ପଡ଼ିଲ। ତୁମେ ତୁମ ମାଆଙ୍କ ମନରେ କେତେ କଷ୍ଟ ଦେଇଛ। ତୁମ ମାଆ ମଧ୍ୟ କାଲି ଖାଇ ନାହାନ୍ତି। ତୁମେ ଜାଣିଛ ଆମ ଗଣେଶ ବାବା କାହିଁକି ସର୍ବପ୍ରଥମେ ପୂଜା ପାଆନ୍ତି? ସେ ପରା ତାଙ୍କ ମାତା ପାର୍ବତୀଙ୍କ ଆଦେଶ ପାଳନ କରି ନିଜ ଜୀବନ ଦେଇଥିଲେ। ସେଥିପାଇଁ ସବୁଦେବତା ଖୁସୀ ହୋଇ ତା’ଙ୍କୁ ଆର୍ଶୀବାଦ କଲେ। ସେ ସର୍ବପ୍ରଥମେ ପୂଜାପାଇବେ ଆଉ ବିଦ୍ୟା ଓ ବୁଦ୍ଧିର ଠାକୁର ହେବେ। ତେଣୁ ସେହିଦିନଠାରୁ ସେ ସର୍ବପ୍ରଥମେ ପୂଜା ପାଆନ୍ତି। ଯେଉଁ ପିଲାମାନେ ମାଆ ବାପାଙ୍କ କଥା ମାନନ୍ତି ଆଉ ବାପା ମାଆଙ୍କୁ ଭକ୍ତି କରନ୍ତି ସେହି ପିଲାଙ୍କୁ ଗଣେଶ ବାବା ବହୁତ ବୁଦ୍ଧି ଆଉ ବିଦ୍ୟା ଦିଅନ୍ତି। ଖାଲି ନୂଆ ଡ୍ରେସ୍‌ ପିନ୍ଧି ପୂଜା କଲେ ଗଣେଶ ବାବା କେବେ ଖୁସୀ ହୁଅନ୍ତି ନାହିଁ।’’

ମୂଷା ସହିତ କଥାବାର୍ତ୍ତା ସରିବା ପୂର୍ବରୁ ଚଗଲୁର ନିଦ ଭାଙ୍ଗିଗଲା। ତା’ ପରଦିନ ଚଗଲୁ ଖୁସୀ ମନରେ ଯାଇ ଗଣେଶଙ୍କୁ ପୂଜା କଲା ଓ ତା’ର ଚଗଲା ଗୁଣ ଛାଡ଼ି ଦେଇ ସୁନା ପିଲା ହୋଇଗଲା। ଚଗଲୁର ଏ ପରିବର୍ତ୍ତନ ଦେଖି ମାଆଙ୍କ ଖୁସି କହିଲେ ନ ସରେ।

ରସମତଳା ନୋଡାଲ ଉ.ପ୍ରା.ବିଦ୍ୟାଳୟ
କରଂଜିଆ, ମୟୂରଭଞ୍ଜ

ସମ୍ବନ୍ଧିତ ଖବର