ଗଙ୍ଗାନଦୀ କୂଳରେ ଛୋଟ ଗାଁଟିଏ ଥିଲା। ଲୋକସଂଖ୍ୟା ପ୍ରାୟ ଦୁଇଶହ ହେବ। ବିଭିନ୍ନ ଜାତିର ଲୋକ ସେଠାରେ ବାସ କରୁଥିଲେ। ରାମ ଦାସ ସେ ଗାଁର ଗୋଟିଏ ଗରିବ ଲୋକ। ମୋଚି କାମ କରି ପେଟ ପୋଷେ। ଜୋତା ସିଲାଇ କରି ଯାହା ଦୁଇ ପଇସା ପାଏ, ସେଥିରେ ପାଞ୍ଚ ଜଣ କୁଟୁମ୍ବ କଷ୍ଟେ ମଷ୍ଟେ ଚଳନ୍ତି।

Advertisment

ରାମ ଦାସ ଥିଲା ଅତି ସରଳ, ନିଷ୍କପଟ ଓ ଠାକୁର ଭକ୍ତ। ମା ଦୁର୍ଗାଙ୍କର ସେ ବଡ଼ ଭକ୍ତ। ପ୍ରତିଦିନ ଗାଧୋଇ ସାରି ଦୁର୍ଗାଙ୍କୁ ପୂଜା କରେ ଓ ତା’ପରେ ସକାଳେ କାମକୁ ବାହାରିଯାଏ। ଗାଁ ମୁଣ୍ଡ ରାସ୍ତାକଡ଼ରେ ଏକ ବରଗଛ ମୂଳେ ବସି ତା’ର ପସରା ମେଲାଇ ଦିଏ। ବାଟୋଇମାନେ ଜୋତା କିଣିବାଠାରୁ ମରାମତି ପର୍ଯ୍ୟନ୍ତ ଅତି ସୁବିଧା ଦରରେ କରାଇ ନିଅନ୍ତି। ରାମ ଦାସ କାହାକୁ କଟୁକଥା କହେ ନାହିଁ କି କାହାକୁ ପଇସା ପାଇଁ ଜୋର କରେ ନାହିଁ। ଦୋକାନ ଆଗରେ ଦୁର୍ଗାଙ୍କ ଫଟୋଚିତ୍ର ରଖିଥାଏ।

ଥରେ ଜଣେ ବାବାଜି ସେ ବାଟ ଦେଇ ଯାଉଥିଲେ। ରାମଦାସ ଜୋତା ମରାମତି କରୁଥିବାର ଦେଖିଲେ। ତାଙ୍କର ଜୋତା ଛିଣ୍ଡି ଯାଇଥିବାରୁ ରାମ ଦାସକୁ ମରାମତି କରିବାକୁ କହିଲେ। ରାମ ଦାସ ଅତି ସ୍ନେହ ଓ ଭକ୍ତିରେ ବାବାଜିଙ୍କୁ ପାଖରେ ବସାଇଲା ଓ ସଙ୍ଗେ ସଙ୍ଗେ ଜୋତା ମରାମତି କରିଦେଲା। ମରାମତି ବାବଦକୁ ବାବାଜି, ମଜୁରି ଦେଲେ ଗୋଟିଏ କଉଡ଼ି। ରାମ ଦାସ ଖୁସିରେ ତାହା ଗ୍ରହଣ କଲା। ବାବାଜି କହିଲେ ଆରେ, ତୁ ଜାଣିଛୁ ଗଙ୍ଗାନଦୀରେ ବୁଡ଼ ପକାଇ ସ୍ନାନ ପାଇଁ ମୁଁ ଯାଉଛି। ଗୋଟିଏ ମହାସ୍ନାନ ଯୋଗ ଅଛି। ସ୍ନାନକଲେ ପୂଣ୍ୟ ମିଳିବ। ତୁ କ’ଣ ଯିବୁ ନାହିଁ?

ରାମ ଦାସ କହିଲା, ‘‘ମହାଶୟ ଏତେବଡ଼ କଥା? ତା’ହେଲେ ଆପଣ ମୋ ପାଇଁ ଗୋଟିଏ କାମ କରିଦେବେ? ମୁଁ ତ ମୂରୁଖ ଲୋକ, ଗଙ୍ଗାବୁଡ଼ କ’ଣ, ଜାଣେ ନାହିଁ। ଏହି ବେଉସାରେ ଲାଗିଛି। ଆପଣ ମୋତେ ଦେଇଥିବା କଉଡ଼ିଟି ନିଅନ୍ତୁ ଓ ଏହାକୁ ଗଙ୍ଗା ନଦୀରେ ପକାଇ ଦେବେ, କହିବେ ରାମଦାସ ପଠାଇଛି।

ବାବାଜି ଜଣକ କଉଡ଼ିଟି ନେଇ ଗଙ୍ଗା ସ୍ନାନରେ ଚାଲିଗଲେ। ନଦୀ କୂଳରେ ପହଞ୍ଚି, ବାବାଜି ତାଙ୍କ ସ୍ନାନାଦି କାମ ସାରି, ରାମଦାସ ଦେଇଥିବା କଉଡ଼ିଟିକୁ ନଦୀରେ ପକାଇ ଦେଲେ।

ହଠାତ୍‌ ନଦୀ ଭିତରୁ ଦୁଇଟି ହାତ ଦେଖାଦେଲା ଓ କଉଡ଼ିଟି ସେ ହାତକୁ ଚାଲିଗଲା। ସେଇ ହାତରେ ଗୋଟିଏ ସୁନା କଙ୍କଣ ଦେଖାଦେଲା। ମା’ ଦୁର୍ଗା ବାହାରି କହିିଲେ, ବାବାଜି ଆପଣ, ଏହି କଙ୍କଣଟିକୁ ନେଇ ରାମ ଦାସକୁ ଦେବେ। ବାବାଜି ସଙ୍ଗେ ସଙ୍ଗେ ମା’ଙ୍କ ଆଦେଶ ପାଳନ କଲେ ଓ କଙ୍କଣଟିକୁ ନେଇ ରାମଦାସକୁ ଦେଇ ସବୁ କଥା କହିଲେ।

ରାମଦାସ କଙ୍କଣଟିକୁ ଧରି କେତେ ସମୟ ଯାଏ ଆଖିରୁ ଲୁହ ଗଡ଼େଇବାକୁ ଲାଗିଲା। ବାବାଜି ରାମଦାସକୁ ଧନ୍ୟ କଲେ।

ପଦ୍ମା ନିବାସ, ମାଧପୁର
କେନ୍ଦୁଝର