କାଠ କାଟିବା ପାଇଁ ବୁଢ଼ୀଟିଏ ଜଙ୍ଗଲକୁ ବାହାରିଲା। ତା’ର ନାତି ସିନୁ ମଧ୍ୟ ସାଙ୍ଗରେ ଜଙ୍ଗଲକୁ ଯିବା ପାଇଁ ଅଝଟ କଲା। ବୁଢ଼ୀ ଯେତେ ମନାକଲା, ମାନିଲା ନାହିଁ।
ଦୁହେଁ ଜଙ୍ଗଲରେ ପହଞ୍ଚିଲେ। ଚାରିଆଡ଼େ ବୁଲି କାଠ ଖୋଜୁଛନ୍ତି। ସିନୁ ଗୋଟିଏ ଗଛ ଉପରକୁ ଚଢ଼ିଗଲା। ଗଛର ଗୋଟିଏ ଡାଳକୁ ହାଣିଲା। ହଠାତ୍ ଶୁଣିଲା, ହେ ମୋତେ ହାଣନା। ଚମକି ପଡ଼ିଲା ସିନୁ। ଚାରିଆଡ଼େ ଦେଖିଲା, କେହି ନାହାନ୍ତି। ଆହୁରି କାଠ କାଟିବାରେ ଲାଗିଲା ସେ। ପୁଣି କାହାର ଡାକ ତା’ କାନରେ ବାଜିଲା। ଗଛ କହିଲା-
ସିନୁଭାଇ ହେ....ସିନୁ ଭାଇ, ମୋତେ ଜମା ତମେ କାଟ ନାହିଁ।
ସିନୁକୁୁ ଆଶ୍ଚର୍ଯ୍ୟ ଲାଗିଲା। ଡର ମଧ୍ୟ ଲାଗିଲା। ଗଛରୁ ଓହ୍ଲାଇ କୁରାଢ଼ିଟାକୁ ତଳେ ପକାଇ ଦେଲା। ଜଙ୍ଗଲରୁ ଧାଇଁ ପଳାଇବାକୁ ବସିଲା। ଗଛ ତାକୁ ପଛରୁ ଡାକିଲା..ଡରିଗଲ କି? ମୁଁ ପରା ଗଛ କହୁଛି!
ଯାଅ ନାହିଁ ହେ ଯାଅ ନାହିଁ..., କାହିଁକି ତୁମେ କାଟୁଚ ଗଛ, ସତ କଥା କହ ଭାଇ।
ଗଛ କଥା ଶୁଣି ସିନୁର ଆଉ ଡର ରହିଲା ନି। ସିନୁ କହିଲା-
ଗଛ ଭାଇରେ ଗଛ ଭାଇ, ଆସିଥିଲି କାଠ ଯୋଗାଡ଼ ପାଇଁ,
ରାନ୍ଧିବୁ କେମିତି କାଠ ନ ଜାଳିଲେ, ଭୋକରେ ରହିବୁ ଯାଇ?
ଗଛ କହିଲା- କାହିଁକି? ଶୁଖିଲା ଡାଳ ପତ୍ର ନେଉନ? ରୋଷେଇ କ’ଣ ସେତିକିରେ ହେବନି? କଞ୍ଚାଗଛକୁ କାଟିବା ଦରକାର କ’ଣ?
ଗଛ ପୁଣି ପଚାରିଲା- ତୁମେ ପଢ଼ୁଛ?
ସିନୁ ହଁ କଲା।
ଗଛ କହିଲା- ତା’ହେଲେ ତ ତୁମେ ନିଶ୍ଚୟ ଜାଣିଥିବ...ତୁମର ଯେମିତି ପ୍ରାଣ ଅଛି, ମୋର ମଧ୍ୟ ସେମିତି ପ୍ରାଣ ଅଛି। ତୁମକୁ ଫୁଲ, ଫଳ, ଛାଇ, ଅମ୍ଲଜାନ କିଏ ଦେଉଛି?
ସିନୁ କହିଲା- ଗଛ।
ଖାଲି ସେତିକି ନୁହେଁ। ପରିବେଶ ସୁରକ୍ଷା ମଧ୍ୟ କରୁଛି ଗଛ। ଯଦି ଗଛ ରହିବ ନାହିଁ ତା’ ହେଲେ ବର୍ଷା ହୋଇପାରିବ ନାହିଁ। ମାଟି ଫାଟି ଆଁ କରିବ। ସବୁ ପ୍ରାଣୀ ହାହାକାର କରି ଅକାଳରେ ମରିଯିବେ। ମୁଁ କ’ଣ ମିଛ କହିଲି? ଗଛ କହିଲା।
ଗଛଠାରୁ ଏପରି କଥାଶୁଣି ସିନୁ ନିଜର ଭୁଲ ବୁଝିପାରିଲା। କହିଲା-
‘‘ଗଛଭାଇରେ ଗଛଭାଇ, ତୋ’ କଥା ପଦକ ମାନିଲି,
ଜୀବନରେ କେବେ କାଟିବିନି ତୋତେ, ନିଜ ଭୁଲ କଥା ବୁଝିଲି।’’
କବି କୁଟୀର, ରେଢ଼ାଖୋଲ,
ସମ୍ବଲପୁର