ଚିଙ୍କୁ ହାତୀର ବୁଦ୍ଧି
କଥା କାହାଣୀ - ଶରତ କୁମାର ନାୟକ
ଖରା ବଢ଼ିଲାଣି। ଚିଙ୍କୁ ହାତୀ ଚନ୍ଦକା ଅଭୟାରଣ୍ୟର ଉପରମୁଣ୍ଡ ଘାସ ପଡ଼ିଆକୁ ଉଠି ଆସୁ ଆସୁ ଦେଖିଲା, ପାଣି ପାଇପ୍ଟା ଖୋଲା। ବେଶ୍ ଜୋର୍ରେ ଫୁଆରା ମାରି ପାଣି ଉପରକୁ ଉଠୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ଚାରିଆଡ଼କୁ ଚାହିଁଲା ଚିଙ୍କୁ। କେହି ଦଳବଳ ପାଖରେ ନାହାନ୍ତି। ଡାଳପତ୍ର ଖାଇବା ପାଇଁ ଭିତର ଜଙ୍ଗଲ ଆଡ଼କୁ ଚାଲି ଗଲେଣି। ହାତୀପଲ ଭିତରେ ସେ ସବୁଠାରୁ ସାନ। ଆଜି ସକାଳେ ଅଧିକ ସମୟ ଶୋଇ ପଡ଼ିଥିଲା। ମାଆ ଯେତେ ଡାକିଲେ ବି, ତା’ର ନିଦ ଭାଙ୍ଗି ନଥିଲା। ଜଙ୍ଗଲ ଭିତରକୁ ଗଲେ ବଳକେ ସମସ୍ତଙ୍କ ସହିତ ଭେଟ ହୋଇଯିବ। ଏତିକି ଭାବି ଟିକେ ଆଗକୁ ଯାଇଛି, ପୁଣି ତା’ ମନ ପଛକୁ ଟାଣି ହୋଇଗଲା। ଭାବିଲା,‘ଏତେ ସୁନ୍ଦର ପାଣି ଫୁଆରା ଉଠୁଛି। ଟିକେ ଭଲ କରି ଗାଧୋଇ ପଡ଼ିଲେ, ହୁଅନ୍ତା’ନି?’ ସେ ପାଣି ପାଇପ୍ ପାଖକୁ ଆସିଲା। ନିଜ ଛୋଟ ଶୁଣ୍ଢରେ ଉଠାଇ ଧରିଲା। ମୁଣ୍ଡ, ପିଠି, ପେଟ ଗୋଡ଼ ସବୁରେ ପାଣି ଛାଟିବାକୁ ଲାଗିଲା। କିଛିି ପାଟିରେ ପୂରାଇ ମନଭରି ପିଇଦେଲା। କି ଆରାମ ଲାଗୁଛି ସତରେ! ମନେ ମନେ କହିଲା- ‘ଏ ପାଣି ଯେମିତି ଅମୃତ।’
ଜଙ୍ଗଲ ଭିତରକୁ ଯିବାକୁ ଭୁଲିଗଲା ଚିଙ୍କୁ। ସେତେବେଳକୁ ଅଭୟାରଣ୍ୟ ବାଡ଼ ବାହାର ପାଖରେ ଅନେକ ଲୋକ ରୁଣ୍ଡ ହୋଇଗଲେଣି। ଚିଙ୍କୁ ହାତୀ ନିଜ ଥୋଡ଼ ପାହାରରେ ପାଣି ପାଇପ୍ ଧରି ଗାଧୋଉଥିବାର ଦୃଶ୍ୟ ସମସ୍ତେ ଉପଭୋଗ କରୁଥାନ୍ତି। କେହି କେହି ମୋବାଇଲ୍ରେ ଫଟୋ ବି ଉଠାଉଥାନ୍ତି। ବେଶି ଖୁସି ହେଉଥାନ୍ତି ସାନସାନ ପିଲା। ପିଲାମାନଙ୍କ ମଧ୍ୟରେ ସୋନୁ ବି ବାପା-ମା’ଙ୍କ ସହିତ ଚିଙ୍କୁର ଗାଧୋଇବା ଦେଖୁଥାଏ।
ବାପା ଆଗକୁ ଯିବାକୁ କହିଲେ ବି ସୋନୁ ଜମା କିଛି ଶୁଣୁ ନଥାଏ। କିଛି ସମୟ ଗାଧୋଇବା ପରେ ଚିଙ୍କୁ ହାତୀର ମନ ଥଣ୍ଡା ହୋଇଗଲା। ସେ ଆଗକୁ ଚାଲିଲା। ହଠାତ୍ ସୋନୁ ପାଟି କରି ଉଠିଲା। ‘‘ଆରେ ହାତୀ ଭାଇ ଏ କ’ଣ? ମନଇଛା ତ ଗାଧୋଇଲ, ହେଲେ ଏ ପାଇପ୍ ପାଣି ବନ୍ଦ ନ କରି ଚାଲି ଯାଉଛ? ଆମେ ପରା ପଢ଼ିଛୁ- ‘ପାଣି ଅମୂଲ୍ୟ ସମ୍ପଦ’, ଏହାକୁ ନଷ୍ଟ କରିବନି?’’
ଏକଥା ଚିଙ୍କୁ ହାତୀର କାନରେ ପଡ଼ିଲା। ସେ ମନେ ମନେ ଭାବିଲା- ‘ଆରେ ସତ କଥା ତ! ମୁଁ କେଡ଼େ ଭୁଲଟାଏ କରିଛି।’ ପଛକୁ ଫେରିଲା ସେ। ଦେଖିଲା ପାଇପ୍ରୁ ସେମିତି ଅନବରତ ପାଣି ବାହାରୁଛି। କ’ଣ କରିବ? କେମିତି ପାଣି ବନ୍ଦ ହେବ? କିଛି ବୁଦ୍ଧି ପଶିଲା ନାହିଁ। ଚଙ୍ଗମଙ୍ଗ ହୋଇ ଶେଷରେ ସେ କ’ଣ କଲା ନା, ପାଣି ପାଇପ୍ର ମୁହଁକୁ ନିଜ ଶୁଣ୍ଢରେ ମୋଡ଼ି ମାଡ଼ି ଜାବୁଡ଼ି ଧରିଲା। ପାଣି ବାହାରିବା ଅନେକାଂଶରେ କମିଗଲା ହେଲେ କିଛି କିଛି ପାଣି ବାହାରିବାରେ ଲାଗିଥାଏ।
ଏମିତି କେତେ ସମୟ ଚାଲିଗଲା। ସୋନୁ ବି ଅଧୈର୍ଯ୍ୟ ହୋଇ ପଡ଼ୁଥାଏ। ମନେମନେ କହୁଥାଏ-‘ଆରେ! କେଡ଼େ ବୁଦ୍ଧିଆ ହାତୀ ଛୁଆଟା। ମୋ କଥା ମାନି ପାଣି ବଞ୍ଚାଇବାକୁ ଚେଷ୍ଟା କରୁଛି।’ ଏମିତି ଭାବୁ ଭାବୁ ସେ ଦେଖିଲା ଖଣ୍ଡେ ଦୂରରେ ବାଡ଼ କଡ଼ରେ ଗୋଟାଏ ପାଣି ପାଇପ୍ର ଚାବି ଦିଶୁଛି। ସୋନୁ ଧାଇଁ ଯାଇ ଚାବିକୁ ଘୂରାଇ ଘୂରାଇ ବନ୍ଦ କରିଦେଲା। ସତକୁ ସତ ପାଇପ୍ରୁ ପାଣି ବୋହିବା ପୂରାପୂରି ବନ୍ଦ ହୋଇଗଲା।
ଯେମିତି ପାଣି ବନ୍ଦ ହୋଇଛି, ଚିଙ୍କୁ ଚଟ୍କରି ଉଠି ପଡ଼ିଲା। ସୋନୁ ମୁହଁରେ ହସ ଫୁଟିଲା ବେଳକୁ ଚିଙ୍କୁ ତା’ର ଛୋଟ ଶୁଣ୍ଡ ଟେକି ଖୁସି ଜାହିର୍ କରୁଥାଏ। ସୋନୁ ହାତ ହଲାଇଲା। ଚିଙ୍କୁ ବି ତା’ ଶୁଣ୍ଢ ହଲାଇ ହଲାଇ ଜଙ୍ଗଲଆଡ଼କୁ ଚାଲିଗଲା। ଯେତେ ଯିଏ ସେଠାରେ ଉପସ୍ଥିତ ଥିଲେ, ଖୁସିମନରେ ତାଳିମାରିଲେ।
ଏଫ୍-୨୪, ଇନ୍ଫୋସିଟି ଏରିଆ
ଭୁବନେଶ୍ୱର