ପିଲାମାନେ ଭୁଲ୍ କରିଥିଲେ ଶୀଘ୍ର ମାନି ନ ଥାଆନ୍ତି। ଯଦି ମାନନ୍ତି ତେବେ ଆଉ କେବେ କରିବେ ନାହିଁ ବୋଲି କହି ସେ କଥାରୁ ଓହରି ଯାଆନ୍ତି। ଏହାକୁ ନଜରରେ ରଖି ମିସିଗାନ୍ ଷ୍ଟେଟ୍ ୟୁନିଭର୍ସିଟିର ମନସ୍ତତ୍ତ୍ବବିତ୍ ହାନସ୍ ସ୍କ୍ରଡର୍ ଓ ତାଙ୍କ ସାଥୀମାନେ ପିଲାଙ୍କ ମସ୍ତିଷ୍କ ଉପରେ ଗବେଷଣା କରିଥିଲେ। ତାଙ୍କ ଗବେଷଣାରୁ ଜଣା ପଡ଼ିଥିଲା ଯେ ଯେଉଁ ପିଲାମାନେ ନିଜ ଭୁଲ୍କୁ ଅତି ଗଭୀରତା ଓ ଗୁରୁତ୍ବ ସହ ଗ୍ରହଣ କରିଥାଆନ୍ତି ସେମାନେ ନିଜ ଭୁଲ୍କୁ ଏଡ଼ାଇ ଦେଉଥିବା ପିଲାମାନଙ୍କ ଅପେକ୍ଷା ଅଧିକ ଚାଲକ, ଚତୁର ଓ ଜ୍ଞାନୀ ହୋଇଥାଆନ୍ତି। ସେମାନେ ନିଜ ଭୁଲ୍କୁ ଗ୍ରହଣ କରିଥିବାରୁ ନୂଆ କଥା ଶିଖିଥାଆନ୍ତି ଯାହା ଫଳରେ ଅଧିକ ଜ୍ଞାନ ଅର୍ଜନ କରିଥାଆନ୍ତି।
ସ୍କ୍ରଡର୍ ୧ଶହ ୨୩ ଜଣ, ୫ରୁ ୮ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ଉପରେ ଏହି ଗବେଷଣା କରିଥିଲେ। ଏ ପିଲାଙ୍କ ଉପରେ ଗବେଷଣା କରିବା ପାଇଁ ସେମାନଙ୍କ ମୁଣ୍ଡରେ ଏକ ଟୋପି ପିନ୍ଧେଇ ଦେଇଥିଲେ। ଟୋପିରେ ୬୪ଟି ଇଲ୍କ୍ଟ୍ରୋଡ୍ ଖଞ୍ଜା ଯାଇଥିଲା। ଏହା ପରେ ସେମାନଙ୍କୁ ଏକ ଗେମ୍ ଖେଳିବା ପାଇଁ ଦିଆଯାଇଥିଲା। ସେ ଗେମ୍ ଖେଳିଲାବେଳେ ପିଲାମାନେ ଦୁଇଟି ଭୁଲ୍ କରିଥିଲେ। ତାଙ୍କ ମସ୍ତିଷ୍କର ସବୁ କାର୍ଯ୍ୟକଳାପକୁ ଟୋପି ରେକର୍ଡ କରି ରଖୁଥିଲା ଯାହାଦ୍ବାରା ପିଲାଙ୍କ ଭୁଲ୍କୁ ଗ୍ରହଣ କରିବା ଶକ୍ତି କେତେ ଓ ତାହା ତାଙ୍କ ଉପରେ କି ପ୍ରଭାବ ପକାଉଛି ଜଣା ପଡ଼ିଥିଲା।