ଆମ ପାଟିରେ କେତେକ କାରଣରୁ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି। ଏପରି କି ଏମାନେ ବଂଶବିସ୍ତାର କଲେ ଆମେ ପାଟିଜନିତ ରୋଗର ସମ୍ମୁଖୀନ ହୋଇଥାଉ। ଏହାକୁ ନଷ୍ଟ କରିବାର ଏକ ସହଜ ଉପାୟ ରହିଛି। ଆଜିକାଲି ତ ଚୁଇଙ୍ଗମ ଚୋବାଇବା ଅନେକଙ୍କର ଏକ ଅଭ୍ୟାସ ପାଲଟି ଗଲାଣି କହିଲେ ଭୁଲ୍ ହେବ ନାହିଁ। ତେବେ ଏହି ଚୁଇଙ୍ଗମ୍ରେ ହିଁ ପାଟିଭିତରେ ଥିବା ବ୍ୟାକ୍ଟେରିଆକୁ ନଷ୍ଟ କରିବାର ଶକ୍ତି ରହିଛି ବୋଲି ଏକ ଗବେଷଣାରୁ ଜଣାପଡ଼ିଛି।
ଏପରି ରୋଚକ ତଥ୍ୟ ଲୋକଲୋଚନକୁ ଆଣିଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଉକ୍ତ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ, ଚୁଇଙ୍ଗମ୍ ଚୋବାଇବା ଦ୍ବାରା ପାଟି ଭିତରେ ଥିବା କେତେକ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଆନ୍ତି। ସେମାନଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଅତିକମ୍ରେ ୧୦ ମିନିଟ୍ ଚୁଇଙ୍ଗମ୍ ଚୋବାନ୍ତି, ତା’ହେଲେ ତାଙ୍କର ପାଟି ଭିତରେ ଥିବା ପ୍ରାୟ ୧୦୦ ମିଲିୟନ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାନ୍ତି।