ଇଚ୍ଛା ମୃତ୍ୟକୁ ୟୁଥାନାସିଆ କୁହାଯାଏ। ଲୋକଙ୍କ ଏଭଳି ମୃତ୍ୟୁ ଧାରଣାକୁ ନେଇ ଡା.ଫିଲିପ୍ ନିଶ୍କେ ଏବେ ଚର୍ଚ୍ଚାରେ ଅଛନ୍ତି। ଫିଲିପ୍ କିଛି ବର୍ଷ ପୂର୍ବେ ଆମଷ୍ଟର୍ଡର୍ମର୍ ଫ୍ୟୁନେରାଲ ମେଳାରେ ଏକ ମୃତ୍ୟୁ ମେସିନ୍ ଲଞ୍ଚ୍ କରିଥିଲେ। ଏହି ମେସିନ୍ରେ ସେ ଏକ ସ୍ବତନ୍ତ୍ର କଥା ଯୋଡ଼ିଛନ୍ତି। କେବଳ ଇଚ୍ଛା ମୃତ୍ୟୁ ଚାହଁୁଥିବା ଲୋକଙ୍କ ପାଇଁ ମେସିନ୍ ପ୍ରସ୍ତୁତ ହୋଇଥିଲା। ନୂଆ ଭର୍ଚୁଆଲ କୌଶଳ ଜରିଆରେ ଲୋକେ ଏଥିରେ ନିଜ ମୃତ୍ୟକୁ ଦେଖିପାରିବେ। ଏହା ଏପରି ଏକ କମ୍ପ୍ୟୁଟର କୌଶଳ, ଯାହା ସାହାଯ୍ୟରେ ଏକ କୃତ୍ରିମ ବାତାବରଣ ଗଢ଼ାଯାଇଛି। ଏହି କୌଶଳରେ ଶରୀରର ମହତ୍ତ୍ବପୂର୍ଣ୍ଣ ଭାବନାକୁ ପ୍ରଭାବିତ କରି ଏକ ବାସ୍ତବ ବାତାବରଣ ପ୍ରସ୍ତୁତ କରିବାକୁ ଚେଷ୍ଟା କରାଯାଏ।
୯୦ ଦଶକରେ ଫିଲିପ୍ ନିଜର ୪ ରୋଗୀଙ୍କୁ ଏଭଳି ଇନ୍ଜେକ୍ସନ୍ ଦେଇଥିଲେ, ଯେଉଁମାନେ କେବେ ଆରୋଗ୍ୟ ଲାଭ କରିପାରିବେ ନାହିଁ। ସେମାନେ ଜୀବନ ସହ ସଂଘର୍ଷ କରି ଥକି ଯାଇଥିଲେ। ଆଇନ୍ଗତ ଭାବେ ଫିଲିପ୍ ଏମାନଙ୍କୁ ମୃତ୍ୟୁ ଦେଇଥିଲେ। ଏହା ପରଠାରୁ ତାଙ୍କ ମନକୁ ଏକ କଥା ଆସିଥିଲା। ସାର୍କୋ ନାମକ ଏକ ମେସିନ୍ ଉପରେ ସେ କାମ କଲେ। ସାର୍କୋ ୱେବ୍ସାଇଟ୍ ଅନୁସାରେ, ବ୍ୟକ୍ତି ଏହି ମେସିନ୍ରେ ବସିବା ମାତ୍ରେ ଅକ୍ସିଜେନ୍ ଦ୍ରୁତଗତିରେ ହ୍ରାସ ପାଇଥାଏ। କାର୍ବନ୍ ଡାଇଅକ୍ସାଇଡ୍ର ମାତ୍ରା ମଧ୍ୟ କମ୍ କିନ୍ତୁ ସ୍ଥାୟୀ ରହେ। ତେଣୁ ଅନେକ ଦିଗରୁ ଏହାକୁ ଯନ୍ତ୍ରଣାରହିତ ବା ଖୁସିର ମୃତ୍ୟୁ ବୋଲି କୁହାଯାଏ। ସେ କହିଛନ୍ତି ଦୁନିଆରୁ ବିଦାୟ ନେବାକୁ ଚାହଁୁଥିବା ଲୋକଙ୍କ ପାଇଁ ଏହି ମେସିନ୍ ଉପଯୁକ୍ତ। ପ୍ରଥମେ ମାନସିକ ସନ୍ତୁଳନ ମପାଯାଏ, ଯଦି ସେଥିରେ ପାସ୍ କଲେ, ତେବେ ଏକ କୋଡ୍ ଦିଆଯାଏ। ଏହି କୋଡ୍ ଦ୍ବାରା ମେସିନ୍ଟି କାମ କରିବ। ଏଥିରେ ଶ୍ବାସରୁଦ୍ଧ ଭଳି ଅନୁଭବ ହେବ ନାହିଁ। ଏହାପରେ ଜୈବବିଘଟନଯୋଗ୍ୟ କ୍ୟାପ୍ସୁଲ୍ ଅଲଗା ହୋଇଯାଏ ଓ ମାଟିରେ ମିଶିଯାଏ। ଏହାଦ୍ବାରା ଶାନ୍ତିପୂର୍ଣ୍ଣ ଭାବେ ମୃତ୍ୟୁ ହୋଇଥାଏ।