ଗାଁ ଗହଳିଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସମସ୍ତଙ୍କ ଘରେ ଘରେ ବାଇକ୍, ସ୍କୁଟି ଆଦି ରହିଛି। କିନ୍ତୁ ଏମିତି ଏକ ସ୍ଥାନ ଅଛି ଆମେରିକାରେ ଯେଉଁଠି ପ୍ରାୟ ସବୁ ଘର ବାହାରେ କାର୍ କି ବାଇକ୍ ନୁହେଁ ବରଂ ଏରୋପ୍ଲେନ୍ ଦେଖିବାକୁ ମିଳେ। ଏହା ‘ଏୟାରପାର୍କ’ ବା ‘ଫ୍ଲାଏ ଇନ୍ କମ୍ୟୁନିଟି’ ନାମରେ ପରିଚିତ। ଅଞ୍ଚଳଟି ଏମିତି ଏକ କଲୋନି, ଯାହାକୁ ବ୍ୟକ୍ତିଗତ ଏରୋପ୍ଲେନ୍ ରଖିଥିବା ଲୋକଙ୍କ ପାଇଁ ଡିଜାଇନ୍ କରାଯାଇଛି।
ତେବେ କେବଳ ଆମେରିକା ନୁହେଁ, ପୃଥିବୀର ବିଭିନ୍ନ ସ୍ଥାନରେ ପ୍ରାୟ ୬୫୦ଟି ଏୟାରପାର୍କ ରହିଛି। ଯେହେତୁ ଏଠାରେ ରହୁଥିବା ସବୁ ଲୋକଙ୍କ ପାଖରେ ଏରୋପ୍ଲେନ୍ ତଥା ଲାଇଟ୍ ଏରୋପ୍ଲେନ୍ ଅଛି, ଏଠି ରହିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ। କାରଣ ଏଠି ଘରର ମୂଲ୍ୟ ୧.୫ ମିଲିୟନ ଡଲାର। ଏଠାକାର ଗଳି ବହୁତ ଓସାର ବିଶିଷ୍ଟ, ପ୍ରାୟ ୧୦୦ ଫୁଟ୍। ଯେମିତି କି ଏରୋପ୍ଲେନ୍ର ଲମ୍ବା ଡେଣା ଆରାମରେ ଏହି ରାସ୍ତା ଦେଇ ଯାଇପାରିବ। ରୋଡ୍ ସାଇନ୍ ଓ ମେଲ୍ ବକ୍ସଗୁଡ଼ିକ ବି ଏଠାରେ ବହୁତ ତଳୁଆ କରାଯାଇଥାଏ। ଯେମିତି କି ଏରୋପ୍ଲେନ୍ର ଡେଣା ସେଥିରେ ବାଜିବନି।