ଦୁନିଆରେ ପ୍ରତିଭାର ଅଭାବ ନାହିଁ। ପ୍ରତ୍ୟେକ ମଣିଷ ଭିତରେ କିଛି ନା କିଛି ପ୍ରତିଭା ଲୁଚି ରହିଛି। କିନ୍ତୁ କିଛି ଲୋକଙ୍କ ପାଖରେ କିଛି ନିଆରା ପ୍ରତିଭା ରହିଛି ଯାହା ସମସ୍ତଙ୍କଠାରୁ ଅଲଗା। ସେମିତି ଜଣେ ହେଉଛନ୍ତି ଅମୌରି ଗୁଇଚୋନ୍। ପେସାରେ ସେ ଜଣେ ସେଫ୍ ବା ରୋଷେଇଆ। ସେ ଚକୋଲେଟ୍ରେ ଏମିତି ସବୁ ଜିନିଷ ତିଆରି କରନ୍ତି ଯାହାକୁ ଦେଖିଲେ କୌଣସି ଧାତୁରେ ଜିନିଷ ତିଆରି ହେବା ଭଳି ମନେହୁଏ। ତାଙ୍କ ଦ୍ବାରା ନିର୍ମିତ ୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଟେଲିସ୍କୋପ୍ ହେଉଛି ଏହାର ଏକ ବଡ଼ ଉଦାହରଣ। ଏହି ଟେଲିସ୍କୋପ୍କୁ ଦେଖିଲେ ଯେ କେହି ଭାବିବେ ତାହା ଧାତୁରେ ତିଆରି ସତ ସତିକା ଟେଲିସ୍କୋପ୍। ଏଥିରେ ପ୍ରେତ୍ୟକଟି ଅଂଶ ଚକୋଲେଟ୍ରେ ତିଆରି ହୋଇଛି। ଏହାଛଡ଼ା କିଙ୍ଗ୍କୋବ୍ରା, ଟେଲିଫୋନ୍, ଗୋରିଲା, ଆଦିକୁ ସେ ଚକୋଲେଟ୍ରେ ତିଆରି କରିଛନ୍ତି।
ହ୍ୟାରିପୋଟର୍ ଝାଡ଼ୁ
ହ୍ୟାରିପୋଟର୍ ଚଳଚ୍ଚିତ୍ର ଖୁବ୍ ମଜାଦାର। ସେଥିରେ ହ୍ୟାରିପୋଟର୍ ଝାଡ଼ୁରେ ବସି ଉଡ଼ି ବୁଲୁଥାଏ। ଅନେକ ପାଶ୍ଚାତ୍ୟ କାହାଣୀରେ ବି ଡାହାଣୀମାନେ ଝାଡ଼ୁ ଉପରେ ବସି ବୁଲୁଥାଆନ୍ତି ବୋଲି ଆମେ ଶୁଣିଛେ। ସେହିପରି ଟୋୟୋଟା କମ୍ପାନୀ ଏକ ଝାଡ଼ୁ ବାହାର କରିଛି ଯାହାର ନାମ ‘ଇ-ବ୍ରୁମ୍’। ଏହା ଉଡ଼ିବା ସକ୍ଷମ ନ ହୋଇପାରିଲେ ବି ଏଥିରେ ବସି ଦ୍ରୁତ ବେଗରେ ବାଇକ୍ ଭଳି ଗଡ଼ି ଗଡ଼ି ଜଣେ ଯାଇପାରିବେ। ଏଥିପାଇଁ ଗୋଡ଼ରେ ରୋଲର୍ ସ୍କେଟସ୍ ଲଗାଇବାକୁ ହେବ। ଏହି ଝାଡ଼ୁରେ ଇଲେକ୍ଟ୍ରିକାଲ୍ ମୋଟର ଓ ତଳଭାଗରେ ଚକ ଲାଗିଥାଏ। ଯଦିଓ ଏହା ଉଡ଼ିବାର ମଜା ଦେଇପାରିବନି, ଆଗାମୀ ଦିନରେ ଏହାଦ୍ବାରା ଧାଇଁବାର ସୁବିଧା ପାଇହେବ ବୋଲି କମ୍ପାନି ସୂଚନା ଦେଇଛି।