ଅନେକ ସମୟରେ ଆମେ ଚିହ୍ନା ମୁହଁକୁ ଅତି ସହଜରେ ଚିହ୍ନି ପାରିଥାଉ। ସେମାନଙ୍କ ମୁହଁ ଦୂରରୁ ଅସ୍ପଷ୍ଟ ଦେଖାଯାଉଥିଲେ ବି ଆମେ ଚିହ୍ନୁ। ଥରେ ଜଣଙ୍କୁ ଦେଖିଦେଇଥିଲେ ତା’କୁ ମନେ ରଖିଥାଉ। କିନ୍ତୁ ଏପରି କାହିଁକି ହୋଇଥାଏ? ଏହାର କାରଣ ଖୋଜିବାକୁ ପ୍ରୟାସ କରିଥିଲେ ରକ୍ଫେଲର ୟୁନିଭର୍ସିିଟିର ମନୋବିଜ୍ଞାନୀମାନେ। ସେମାନେ କହିଛନ୍ତି, ମସ୍ତିଷ୍କର ଏକ ନେଟ୍ୱାର୍କ ଏରିଆ ରହିଛି। ଏହା ଠିକ୍ ଭାବରେ କାର୍ଯ୍ୟ ସମ୍ପାଦନ କଲେ ତାହା ବ୍ୟକ୍ତି ଓ ନିଜେ ସବୁବେଳେ ବ୍ୟବହାର କରୁଥିବା ଜିନିଷକୁ ଅତି ସହଜରେ ମନେ ରଖିପାରେ। ତେଣୁ ଚିହ୍ନା ବ୍ୟକ୍ତିଙ୍କୁ ଆମେ ସହଜରେ ଜାଣିପାରିଥାଉ।
ରକ୍ଫେଲର ୟୁନିଭର୍ସିଟିର ଲାବୋରେଟୋରି ଅଫ୍ ନ୍ୟୁରାଲ୍ ସିଷ୍ଟମ୍ର ମୁଖ୍ୟ ୱିନ୍ରିଚ୍ ଫ୍ରିୱାଲ୍ଡ୍ ପ୍ରଥମେ ପଶୁମାନେ କିପରି ନିଜ ପରିଚିତ ପଶୁମାନଙ୍କୁ ଚିହ୍ନିପାରନ୍ତି ସେ ନେଇ ଗବେଷଣା କରିଥିଲେ। ଏ ସମ୍ପର୍କରେ ସେ କୁହନ୍ତି, ‘ପଶୁମାନଙ୍କର ମସ୍ତିଷ୍କକୁ ତିନି ଭାଗରେ ବିଭକ୍ତ କରି ତାହାକୁ ତନ୍ନତନ୍ନ କରି ପରୀକ୍ଷା କରାଯାଇଥିଲା। ସେମାନେ ନିଜର ପରିଚିତ ପଶୁଙ୍କୁ ଭଲ ଭାବେ ଚିହ୍ନି ପାରିଥାଆନ୍ତି କାରଣ ସେମାନଙ୍କର ମସ୍ତିଷ୍କର ନେଟ୍ୱାର୍କ ଏରିଆ ଖୁବ୍ ସକ୍ରିୟ ଥାଏ। ମଣିଷମାନଙ୍କ ମସ୍ତିଷ୍କରେ ଡିକ୍ଲାରେଟିଭ୍ ମେମୋରି ରହିଛି, ଯେଉଁଥିପାଇଁ ସେମାନେ ପରିଚିତ ଲୋକଙ୍କୁ ଚିହ୍ନି ପାରିଥାଆନ୍ତି।
ଖାଇବାଶୈଳୀ ଓ ବୁଦ୍ଧିମତ୍ତା
ଖାଇବାଶୈଳୀକୁ ଆଧାର କରି ଅନେକଙ୍କର ବୁଦ୍ଧିମତ୍ତାର ବିକାଶ ଘଟିଥାଏ। ଏମିତି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ତରତର ହୋଇ ଖାଇଥାଆନ୍ତି, ଯାହାର ପ୍ରଭାବ ଅନେକାଂଶରେ ବୁଦ୍ଧିମତ୍ତା ଉପରେ ପଡ଼ିଥାଏ। ଏଭଳି କଥା ପ୍ରକାଶ କରିଛନ୍ତି ଆମେରିକାର କାଲିଫର୍ନିଆ ୟୁନିଭର୍ସିଟିର ମନୋବିଜ୍ଞାନୀମାନେ। ‘ଖାଇବାଶୈଳୀ ଓ ବୁଦ୍ଧିମତ୍ତା’ ଶୀର୍ଷକ ବିଷୟକୁ ଆଧାର କରି ସେମାନେ ଏକ ସର୍ଭେ କରିଥିଲେ। ଏଥିରୁ ଜଣାପଡ଼ିଥିଲା ଯେ ଖାଦ୍ୟପେୟରେ ଅସନ୍ତୁଳନ ଦେଖାଦେଲେ ତାହା ବୁଦ୍ଧିମତ୍ତାକୁ ପ୍ରଭାବିତ କରିଥାଏ। ନିୟମିତ ଏଭଳି ସମସ୍ୟାର ସମ୍ମୁଖୀନ ହେଉଥିବା କିଛି ବ୍ୟକ୍ତିଙ୍କର ବୁଦ୍ଧିମତ୍ତାକୁ ଠିକ୍ ଭାବରେ ଖାଉଥିବା ବ୍ୟକ୍ତିଙ୍କ ବୁଦ୍ଧିମତ୍ତା ସହ ତୁଳନା କରାଯାଇଥିଲା। ଯେଉଁମାନଙ୍କ ଖାଦ୍ୟ ଖାଇବାଶୈଳୀରେ ତରବରଭାବ ଥିଲା ସେମାନଙ୍କର ବୁଦ୍ଧିମତ୍ତା କେତେକାଂଶରେ ଦୁର୍ବଳ ଥିଲା ବୋଲି ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।