ନୂଆ ସମୟ ନୂଆ କଥା : ଟୁଥ୍‌ବ୍ରଶ୍‌ରେ ରହିଥାଏ ଅନିଷ୍ଟକାରୀ ଜୀବାଣୁ ଏବଂ ପ୍ଲାଷ୍ଟିକ୍‌କୁ ନଷ୍ଟ କରିବ କୃମି

ପ୍ରତିଦିନ ବ୍ରଶ୍‌ କରିବାଦ୍ବାରା ଦାନ୍ତ ସଫା ରହିଥାଏ। ଫଳତଃ ଦାନ୍ତଜନିତ ସମସ୍ୟାକୁ ଆମେ ଅନେକାଂଶରେ ଏଡ଼ାଇ ପାରିଥାଉ। ଦିନକୁ ଦୁଇଥର ଦାନ୍ତ ଘଷିଲେ ତାହା ସ୍ବାସ୍ଥ୍ୟ ପାଇଁ ଲାଭପ୍ରଦ ହୋଇଥାଏ। ଏହାକୁ ଖୋଲା ରଖିଲେ ସେଥିରେ ବ୍ୟାକ୍ଟେରିଆ ନିଜର ବଂଶ ବୃଦ୍ଧି କରିଥାଆନ୍ତି। ତେଣୁ ବ୍ରଶ୍‌କୁ ବାହାରର ଧୂଳି ଏବଂ ବ୍ୟାକ୍ଟେରିଆଠୁ ଦୂରେଇ ରଖିବା ଲାଗି ସେଥିରେ କଭର ଦେଇଥାଆନ୍ତି। ହେଲେ ବ୍ରଶ୍‌ କଭର୍‌ ଏହାକୁ ଜୀବାଣୁମୁକ୍ତ ରଖି ନ ଥାଏ, ବରଂ ଓଦା ବ୍ରଶ୍‌କୁ କଭର୍‌ ଭିତରେ ରଖିବାଦ୍ବାରା ସେଥିରେ ବ୍ୟାକ୍ଟେରିଆଙ୍କ ସଂଖ୍ୟା ଆହୁରି ବଢ଼ିଯାଇଥାଏ। ନିକଟରେ ଆମେରିକୀୟ ବିଶେଷଜ୍ଞମାନେ ଏକ ଗବେଷଣାରୁ କିଛି ତଥ୍ୟ ଜାଣିପାରିଛନ୍ତି। କେବଳ ସେତିକି ନୁହେଁ, କଭର ଲାଗିଥିବା ବ୍ରଶ୍‌ ଅଧିକ ଦିନ ଧରି ବ୍ୟବହାର କରିବାଦ୍ବାରା ସେଥିରେ ଏମ୍‌ଆର୍‌ଏସ୍‌ଏ ନାମକ ଏକ ଅନିଷ୍ଟକାରୀ ଜୀବାଣୁ ସୃଷ୍ଟି ହୋଇଥାଆନ୍ତି। ଏହି ଜୀବାଣୁ ଶରୀରରେ ବିଭିନ୍ନ ରୋଗ ସଂକ୍ରମଣର କାରଣ ସାଜିଥାଏ। ବିଶେଷକରି ଜଣଙ୍କ ଟୁଥ୍‌ବ୍ରଶ୍‌କୁ ଅନ୍ୟ କେହି ବ୍ୟବହାର କରୁଥିଲେ ଏହି ଆଶଙ୍କା ଅଧିକ ବୋଲି ଗବେଷଣାର ମୁଖ୍ୟ ଡ.ଲରେନ୍‌ ଆବେର୍‌ ପ୍ରକାଶ କରିଛନ୍ତି।

ପ୍ଲାଷ୍ଟିକ୍‌କୁ ନଷ୍ଟ କରିବ କୃମି
ପରିବେଶ ପ୍ରଦୂଷଣର ଅନ୍ୟ ଏକ ପ୍ରମୁଖ କାରଣ ହେଉଛି ପ୍ଲାଷ୍ଟିକ୍‌। ଅଦରକାରୀ ପ୍ଲାଷ୍ଟିକ୍‌ ସହଜରେ ମାଟିରେ ମିଶୁ ନଥିବା ଯୋଗୁ ପରବର୍ତ୍ତୀ ସମୟରେ ତାହା ବାୟୁମଣ୍ଡଳକୁ ପ୍ରଦୂଷିତ କରିଥାଏ। ଫଳସ୍ବରୂପ ଏଥିଯୋଗୁ ଅନେକ ସ୍ବାସ୍ଥ୍ୟ ସମସ୍ୟା ଉପୁଜିଥାଏ। ବର୍ତ୍ତମାନ ଏହି ପ୍ଲାଷ୍ଟିକ୍‌ ପ୍ରଦୂଷଣ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାର ସମାଧାନ କରିବାକୁ ଯାଇ ଆମେରିକାସ୍ଥିତ ଷ୍ଟାନ୍‌ଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏପରି ଏକ କ୍ଷୁଦ୍ର କୃମିକୁ ଖୋଜି ବାହାର କରିଛନ୍ତି, ଯାହା ପ୍ଲାଷ୍ଟିକ୍‌କୁ ନଷ୍ଟ କରିବାରେ ସାହାଯ୍ୟ କରିବ। ଏହି କୃମି ଶରୀରରେ ଥିବା ଏକ ସୂକ୍ଷ୍ମ ଜୀବାଣୁ ପ୍ଲାଷ୍ଟିକ୍‌କୁୁ ପଚାଇବାରେ ସାହାଯ୍ୟ କରିବ। ଗବେଷଣା ସମୟରେ ଏହି କୃମିମାନଙ୍କୁ ପ୍ରତିଦିନ ୩୪ରୁ ୩୯ ମିଲିଗ୍ରାମ୍‌ ଷ୍ଟାଇରୋଫମ୍‌ ଖାଇବାକୁ ଦିଆଯାଉଥିଲା। ପ୍ରତିଦିନ କୃମିଗୁଡ଼ିକ ଏହାକୁ ଅଙ୍ଗାରକାମ୍ଲରେ ପରିଣତ କରିଦେଉଥିଲେ। ଏହାଦ୍ବାରା ବାୟୁମଣ୍ଡଳରୁ ପ୍ରଦୂଷଣକୁ କିଛି ପରିମାଣରେ କମା ଯାଇପାରିବ ବୋଲି ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର