ଯୁକ୍ତରାଷ୍ଟ୍ର ଆମେରିକା ଅନ୍ତର୍ଗତ ମିଚିଗାନ୍ର ପୋର୍ଟ୍ ଅଷ୍ଟିନ୍ରେ ଥିବା ହ୍ୟୁରନ୍ ହ୍ରଦ, ଅନେକ ପ୍ରକାରର ପ୍ରାକୃତିକ ସଂପଦରେ ଭରପୂର ଅଛି। ଅଧିକାଂଶ ସ୍ଥାନରେ ହ୍ରଦର ଜଳ ମଧ୍ୟ ଗଭୀର ଓ ସଫା। କିନ୍ତୁ, ହ୍ରଦର ଶଯ୍ୟା ପଥୁରିଆ। ଏଣୁ ପାଣିରେ ଚାଲିବା କଷ୍ଟକର ହୋଇଥାଏ। ଏଥିରେ କୌଣସି ବିପଜ୍ଜନକ ଜଳଚର ପ୍ରାଣୀ ରହୁ ନଥିବାରୁ ସନ୍ତରଣ ପାଇଁ ସ୍ଥାନୀୟ ଲୋକେ ଏବଂ ପର୍ଯ୍ୟଟକମାନେ ବିଶେଷ ଭାବେ ପସନ୍ଦ କରିଥା’ନ୍ତି। ଶୀତ ଋତୁରେ ଏହି ହ୍ରଦଟି ବରଫ ପାଲଟିଯାଏ। ଏହି ହ୍ରଦ ଭିତରେ ଏକାଧିକ ଛୋଟ ଛୋଟ ଟାପୁ ରହିଛି ଏବଂ ବିଶାଳକାୟ ପ୍ରସ୍ତର ଖଣ୍ଡ ମଧ୍ୟ ଅଛି। ଦୂରରୁ ଶାଲଗମ ଭଳି ଏବଂ ପାଣି ଉପରକୁ ମୁଣ୍ଡ ଟେକିଥିବା ଏହି ପଥରଗୁଡ଼ିକୁ ‘ଟରନିପ୍ ରକ୍ସ’ କୁହାଯାଏ। ଏଠାରେ କିଛି ସମୟ କଟାଇବା ପାଇଁ ପୂର୍ବରୁ ଅନୁମତି ନେବାକୁ ପଡ଼ିଥାଏ।
ଭୁଲିବା ମଣିଷକୁ ଅଧିକ ଚତୁର କରିଥାଏ
୨୦୧୩ ମସିହାରୁ ଫ୍ରାଙ୍କ୍ଲାଣ୍ଡ୍ ଓ ତାଙ୍କ ସାଥି ରିଚାର୍ଡସ୍ ମଣିଷଙ୍କ ମସ୍ତିଷ୍କ ଉପରେ ଗବେଷଣା କରୁଥିଲେ। ତାଙ୍କ ଗବେଷଣାର ମୂଳ ଲକ୍ଷ ଥିଲା ମଣିଷଙ୍କର ଭୁଲିଯିବା ପ୍ରକ୍ରିୟା। ଏ ବର୍ଷ ଏପ୍ରିଲ୍ ମାସରେ ତାଙ୍କର ଏ ଗବେଷଣା ସମାପ୍ତ ହୋଇଥିଲା। ସମସ୍ତ ବୈଜ୍ଞାନିକ ଓ ସାଧାରଣ ଲୋକ ବିଶ୍ବାସ କରନ୍ତି ଯେ ମଣିଷଙ୍କ ଭୁଲିଯିବା ପ୍ରକୃତି ହେଉଛି ତାଙ୍କ ମସ୍ତିଷ୍କର କାର୍ଯ୍ୟକାରିତାରେ ଏକ ଅଭାବ। ତେବେ ଏ ଦୁଇ ଗବେଷକ କିଛି ମୂଷାଙ୍କ ଉପରେ ଗବେଷଣା କରି ପାଇଥିଲେ ଯେ ଏହା ସମ୍ପୂର୍ଣ୍ଣ ଭାବେ ଭୁଲ। କାରଣ ମଣିଷ ପୁରୁଣା କଥା ଭୁଲିଯାଇ ନୂଆ କଥାକୁ ମନେ ରଖିଥାଏ। ଯାହା ତାଙ୍କୁ ନୂଆ କଥା ଶୀଘ୍ର ଶିଖିବାରେ ସାହାଯ୍ୟ ମଧ୍ୟ କରିଥାଏ। ସେମାନେ ଆହୁରି ପ୍ରକାଶ କରିଛନ୍ତି ଯେ ମସ୍ତିଷ୍କ ସବୁବେଳେ ଅଯଥା କଥାକୁୁ ଭୁଲି ଯାଇ ନୂଆ କଥା ଶିଖିବାରେ ସାହାଯ୍ୟ କରିଥାଏ। ଯାହା ମଣିଷକୁ ଅଧିକ ଚତୁର ଓ କୁଶଳ କରିଥାଏ।