କୌଣସି ବ୍ୟକ୍ତିଙ୍କର ହସ୍ତାକ୍ଷରକୁ ଅନୁକରଣ କରି ତାହାର ଅବିକଳ ନକଲ କରିହେବ। ନିକଟରେ ଏପରି ଏକ ସଫ୍ଟୱେର୍‌ ବିକଶିତ ହୋଇଛି। ୟୁନିଭର୍ସିଟି କଲେଜ ଅଫ୍‌ ଲଣ୍ଡନ୍‌ର ବିଶେଷଜ୍ଞମାନେ ଏଭଳି ପ୍ରୟାସ କରି ସଫଳ ହୋଇଛନ୍ତି। ପ୍ରତ୍ୟେକ ମଣିଷର ହାତଲେଖାରେ ଭିନ୍ନତା ରହିଛି। ସେଥିପାଇଁ ଜଣେ ବ୍ୟକ୍ତିଙ୍କର ହସ୍ତାକ୍ଷର ହିଁ ତାଙ୍କୁ ଚିହ୍ନାଇବାରେ ସାହାଯ୍ୟ କରିଥାଏ। ତେବେ ନୂତନ ଭାବରେ ବିକଶିତ ହୋଇଥିବା ସଫ୍ଟୱେର୍‌ ଜଣେ ବ୍ୟକ୍ତିର ଅକ୍ଷରଶୈଳୀକୁ ଅନୁଧ୍ୟାନ କରି ପୁଣି ଥରେ ଅବିକଳ ଭାବରେ ସେହିପରି ଲେଖିପାରିବ। କେବଳ ସେତିକି ନୁହେଁ, ଏଭଳି ପ୍ରଣାଳୀଦ୍ବାରା ଐତିହାସିକ ଲେଖକଙ୍କ ଲେଖା-ନମୁନାକୁ ଅବିକଳ ନକଲ କରାଯାଇପାରିବ ବୋଲି ସଫ୍ଟୱେର୍‌ର ପ୍ରସ୍ତୁତକାରୀ ୟୁନିଭର୍ସିଟି ପକ୍ଷରୁ ପ୍ରକାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।

Advertisment

publive-image

ଚୁଇଙ୍ଗମ୍‌ ଓ ବ୍ୟାକ୍ଟେରିଆ

ଚୁଇଙ୍ଗମ୍‌ ଚୋବାଇବା ଆଜିକାଲି ଅନେକଙ୍କର ଏକ ଅଭ୍ୟାସ ପାଲଟି ଗଲାଣି। ହେଲେ ଏହାର ଏକ ଭଲ ଗୁଣ ରହିଛି ବୋଲି ପ୍ରକାଶ କରିଛନ୍ତି ଟୋକିଓ ୟୁନିଭର୍ସିଟିର ବିଶେଷଜ୍ଞମାନେ। ଏକ ଗବେଷଣାରୁ ସେମାନେ ଜାଣିବାକୁ ପାଇଛନ୍ତି ଯେ, ଚୁଇଙ୍ଗମ୍‌ ଚୋବାଇବା ଦ୍ବାରା ପାଟି ଭିତରେ ଥିବା କେତେକ ବ୍ୟାକ୍ଟେରିଆ ‌ନଷ୍ଟ ହୋଇଯାଇଥାଆନ୍ତି। ସେମାନଙ୍କ ଦ୍ବାରା ପ୍ରକ‌ାଶିତ ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଯଦି ଜଣେ ବ୍ୟକ୍ତି ଅତିକମ୍‌ରେ ୧୦ ମିନିଟ୍‌ ଚୁଇଙ୍ଗମ୍‌ ଚୋବାନ୍ତି ତାହାହେଲେ ତାଙ୍କ ପାଟି ଭିତରେ ଥିବା ପ୍ରାୟ ୧୦୦ ମିଲିୟନ୍‌ ବ୍ୟାକ୍ଟେରିଆ ନଷ୍ଟ ହୋଇଯାଇଥାଆନ୍ତି। ଏହି ଗବେଷଣା ସମୟରେ ସେମାନେ କିଛି ବ୍ୟକ୍ତିିଙ୍କୁ ପାଖାପାଖି ୧୦ ମିନିଟ୍‌ ଚୁଇଙ୍ଗମ୍‌ ଚୋବାଇବାକୁ ପରାମର୍ଶ ଦେଇଥିଲେ। ତାପରେ ସେମାନେ ଚୋବାଇଥିବା ଚୁଇଙ୍ଗମ୍‌କୁ ନେଇ ଜୀବାଣୁ ବିହୀନ ପାଣିରେ ପକାଇ ସ୍କାନିଂ ଇଲେକ୍ଟ୍ରୋ ମାଇକ୍ରୋସ୍କୋପି ଦ୍ବାରା ସେଥିରେ ଶତାଧିକ ବ୍ୟାକ୍ଟେରିଆ ଥିବା ଦେଖିବାକୁ ପାଇଥିଲେ।