ନୂଆ ସମୟ ନୂଆ କଥା : ସେନ୍‌ସରରୁ ଜାଣିହେବ ସ୍ବାସ୍ଥ୍ୟାବସ୍ଥା ଏବଂ  ଆଗୁଆ ମିଳିବ ଭୂମିକମ୍ପ ସୂଚନା

ସ୍ବାସ୍ଥ୍ୟ ସମ୍ପର୍କିତ କୌଣସି ସୂଚନା ଏଣିକି ସହଜରେ ଜାଣିହେବ। ନିକଟରେ ୟୁନିଭର୍ସିଟି ଅଫ୍‌ କାଲିଫର୍ଣ୍ଣିଆର ବିଶେଷଜ୍ଞମାନେ ଏକ କ୍ଷୁଦ୍ର ସେନ୍‌ସର ପ୍ରସ୍ତୁତ କରିଛନ୍ତି। ଏହାଦ୍ବାରା ଜଣେ ବ୍ୟକ୍ତିର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସହଜରେ ସୂଚନା ମିଳିପାରିବ। ଏହି ନୂଆ ସେନ୍‌ସରକୁ ‘ନ୍ୟୁରାଲ ଡଷ୍ଟ୍‌’ ନାମରେ ନାମିତ କରାଯାଇଛି। ଏହାର ଲମ୍ବ ହେଉଛି ମାତ୍ର ୩ ମିମି ଏବଂ ଉଚ୍ଚତା ମାତ୍ର ୧ ମିମି। ଏକ ରୋବୋଟିକ୍‌ ଡିଭାଇସ୍‌ ଦ୍ବାରା ଏହି ସେନ୍‌ସରକୁ ନିୟନ୍ତ୍ରଣ କରାଯାଇଥାଏ। ଏଥିରେ କୌଣସି ତାର କିମ୍ବା ବ୍ୟାଟେରି ସଂଯୋଗ କରାଯାଇନାହିଁ। କୌଣସି ବ୍ୟକ୍ତିଙ୍କ ଶରୀରରେ ଏହାକୁ ଲଗାଇ ଦେବା ପରେ ତାହା ଉକ୍ତ ବ୍ୟକ୍ତିଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ସୂଚନା ପ୍ରଦାନ କରିଥାଏ। ତେବେ ଏହାକୁ କିପରି ଆହୁରି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କରାଯାଇପାରିବ ସେ ନେଇ ଗବେଷଣା ଚାଲୁଛି।

 

ଆଗୁଆ ମିଳିବ ଭୂମିକମ୍ପ ସୂଚନା 
ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ୍‌ ଅନୁମାନ କରିବା ସହଜ ହୋଇ ନଥାଏ। ଏହି କମ୍ପ ହେବାର ଠିକ୍‌ ସମୟ ସମ୍ପର୍କରେ ସୂଚନା ଦେବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରି ନାହିଁ। ଫଳରେ ଅନେକ ସମୟରେ ଧନଜୀବନ ହାନି ହେଉଛି। କିନ୍ତୁ ‌ଏବେ ମୋବାଇଲ୍‌ଦ୍ବାରା ପ୍ରାକ୍‌ ସୂଚନା ପାଇହେବ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଏ କ୍ଷେତ୍ରରେ ସଫଳ ହୋଇଥିବା କିଛି ବ୍ୟକ୍ତି ହେଉଛନ୍ତି ୟୁନିଭର୍ସିଟି ଅଫ୍‌ ସିଡ୍‌ନିର ବୈଜ୍ଞାନିକମାନେ। ସେମାନେ ଏପରି ଏକ ଆପ୍‌ ପ୍ରସ୍ତୁତ କରିଛନ୍ତି, ଯାହାକୁ ମୋବାଇଲ୍‌ରେ ଡାଉନ୍‌ଲୋଡ୍‌ କରି ଭୂମିକମ୍ପ ସମ୍ପର୍କରେ ପ୍ରାକ୍‌ ସୂଚନା ପାଇହେବ। ତେବେ ଏହା ପଛରେ କେତେ ସତ୍ୟତା ରହିଛି ତାହା ଉପରେ କିଛି ବୈଜ୍ଞାନିକ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର