ନୂଆ ସମୟ ନୂଆ କଥା : ସ୍ମରଣ ଶକ୍ତି ବଢ଼ାଏ ଯୋଗ ଏବଂ ସମୁଦ୍ରରୁ ଭୂମିକମ୍ପ ସମ୍ପର୍କରେ ଜାଣିହେବ

ସ୍ମରଣ ଶକ୍ତି ବଢ଼ାଇବାର ଏକ ନୂଆ ଉପାୟ ରହିଛି। ଯଦି ଜଣେ ବ୍ୟକ୍ତି ନିୟମିତ କିଛି ସମୟ ଯୋଗ, ପ୍ରାଣାୟମ କରନ୍ତି ତେବେ ତାହାର ସୁପ୍ରଭାବ ମସ୍ତିଷ୍କ ଉପରେ ପଡ଼ିଥାଏ। କେବଳ ସେତିକି ନୁହେଁ, ଏହାଦ୍ବାରା ସଂପୃକ୍ତ ବ୍ୟକ୍ତିଙ୍କର ସ୍ମରଣ ଶକ୍ତି ଆହୁରି ପ୍ରଖର ହୋଇଥାଏ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି। ‘ସ୍ମରଣ ଶକ୍ତି ଓ ଯୋଗ’ ଶୀର୍ଷକ ବିଷୟକୁ ନେଇ ୟୁନିଭର୍ସିଟି ଅଫ୍‌ ଲଣ୍ଡନ୍‌ର ମନୋବିଜ୍ଞାନୀମାନେ ଏକ ସର୍ଭେ କରିଥିଲେ। ଏହାର ପରିସରଭୁକ୍ତ ବ୍ୟକ୍ତିମାନଙ୍କୁ ଦୁଇ ଭାଗରେ ବିଭକ୍ତ କରାଯାଇଥିଲା। ଗୋଟିଏ ଗ୍ରୁପ୍‌ରେ ଥିବା ବ୍ୟକ୍ତିମାନଙ୍କୁ ନିୟମିତ ଯୋଗ କରିବାକୁ ପରାମର୍ଶ ଦିଆଯାଇଥିବା ବେଳେ ଅନ୍ୟ ଗ୍ରୁପ୍୍ରେ ଥିବା ବ୍ୟକ୍ତିଙ୍କୁ ସାଧାରଣ ଜୀବନଯାପନ କରିବାକୁ କୁହାଯାଇଥିଲା। ନିର୍ଦ୍ଦିଷ୍ଟ ଦିନ ବ୍ୟବଧାନରେ ସେମାନଙ୍କର ସ୍ମରଣ ଶକ୍ତି କିପରି ଅଛି ତାହାକୁ ତନ୍ନ ତନ୍ନ କରି ବିଶ୍ଲେଷଣ କରିଥିଲେ ମନୋବିଜ୍ଞାନୀମାନେ। ଯେଉଁମାନେ ନିୟମିତ ଯୋଗ କରୁଥିଲେ ସେମାନଙ୍କର ସ୍ମରଣ ଶକ୍ତି ଅନ୍ୟମାନଙ୍କ ଅପେକ୍ଷା କେତେକାଂଶରେ ପ୍ରଖର ଥିବା ଜଣାପଡ଼ିଥିଲା।

ସମୁଦ୍ରରୁ ଭୂମିକମ୍ପ ସମ୍ପର୍କରେ ଜାଣିହେବ
ପ୍ରାକୃତିକ ବିପର୍ଯ୍ୟୟ ମଧ୍ୟରୁ ଭୂମିକମ୍ପ ଅନ୍ୟତମ। ଏହା କେତେବେଳେ ହେବ ତାହା କୁହାଯାଇପାରେନା। ତେବେ ଏ ସମ୍ପର୍କରେ ପ୍ର‌ାକ୍‌ ସୂଚନା ପାଇବା ପାଇଁ ବିଭିନ୍ନ ଦେଶର ବୈଜ୍ଞାନିକମାନେ ଗବେଷଣା ଜାରି ରଖିଛନ୍ତି। ଏ କ୍ଷେତ୍ରରେ ଗୋଟିଏ ପାଦ ଆଗେଇବାରେ ସକ୍ଷମ ହୋଇଛନ୍ତି ଜାପାନର ଭୂମିକମ୍ପ ବିଶେଷଜ୍ଞମାନେ। ସମୁଦ୍ର ଭିତର ଭାଗ ଉପରେ ଗବେଷଣା କରି ସେମାନେ ଏ ନେଇ କିଛି ତଥ୍ୟ ହାସଲ କରିଛନ୍ତି। ଏହି ତଥ୍ୟକୁ ତନ୍ନ ତନ୍ନ କରି ବିଶ୍ଲେଷଣ କରିବା ପରେ ସେମାନେ ଜାଣିପାରିଛନ୍ତି ଯେ, ସମୁଦ୍ରର ଭିତର ଭାଗରେ ଏପରି ତତ୍ତ୍ବ ରହିଛି ଯାହାକୁ ଆଧାର କରି ଭୂମିକମ୍ପ ବିଷୟରେ ପ୍ରାକ୍‌ ସୂଚନା ଦେଇହେବ। ଏହି ଉକ୍ତିକୁ ଦୃଢ଼ କରିବାପାଇଁ ୩ ବର୍ଷ ଲାଗିବ ବୋଲି ପ୍ରକାଶିତ ରିପୋର୍ଟରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର