ବର୍ତ୍ତମାନ ଜଳବାୟୁର ପରିବର୍ତ୍ତନ ପରିବେଶବିତ୍ଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାର ସିଧାସଳଖ ପ୍ରଭାବ କେବଳ ମାନବ ସମାଜ ନୁହେଁ, ପଶୁପକ୍ଷୀ, ବୃକ୍ଷଲତାଙ୍କ ଉପରେ ମଧ୍ୟ ପଡ଼ିଥାଏ। ଯଦି ଜଳବାୟୁ ସ୍ବାେସ୍ଥ୍ୟାପଯୋଗୀ ନ ରହିଲା, ତେବେ ସେଥିଯୋଗୁ ଆମର ମାନସିକତା ପ୍ରଭାବିତ ହେବାର ଯଥେଷ୍ଟ ଆଶଙ୍କା ରହିଛି ବୋଲି ଲଣ୍ଡନ୍ ୟୁନିଭର୍ସିଟିର ପରିବେଶ ବିଜ୍ଞାନୀମାନେ ସତର୍କ କରାଇ ଦେଇଛନ୍ତି। ଏକ ସଦ୍ୟତମ ସର୍ଭେରୁ ସେମାନେ ଏପରି କଥା ଜାଣିପାରିଛନ୍ତି। ଜଳବାୟୁ ପ୍ରଦୂଷିତ ହେବା ଦ୍ବାରା ଏପରି ଅଞ୍ଚଳରେ ବସବାସ କରୁଥିବା କେତେଜଣ ବ୍ୟକ୍ତିଙ୍କର ମାନସିକତା କିପରି ରହୁଛି, ତାହାକୁ ତନ୍ନ ତନ୍ନ କରି ସେମାନେ ନିରୀକ୍ଷଣ କରିଥିଲେ। ଆଶର୍ଯ୍ୟଜନକ ଭାବରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ବ୍ୟକ୍ତିଙ୍କର ସ୍ବଭାବ ଚିଡ଼ିଚିଡ଼ା ଥିବାର ଲକ୍ଷ୍ୟ କରାଯାଇଥିଲା।
ବୋତଲ ଭିତରେ ୧୯ ବର୍ଷର ଚିଠି
ଆଧୁନିକ ସମୟରେ ଏବେ ଯୋଗାଯୋଗର ଅନେକ ମାଧ୍ୟମ ବାହାରିଲାଣି। ବିଂଶ ଶତାବ୍ଦୀରେ ବି କେହି ଜଣେ ହାତରେ ଚିଠି ଲେଖି ତାକୁ ପୁଣି ବୋତଲ ଭିତରେ ଭର୍ତ୍ତି କରି ସମୁଦ୍ର ପାଣିରେ ପଠାଇଛି। ଏପରି ଘଟିଛି ଆୟରଲ୍ୟାଣ୍ଡ୍ରେ। ୮୨ ବର୍ଷର ଜଣେ ବୃଦ୍ଧ ତାଙ୍କ କୁକୁରକୁ ଧରି ସମୁଦ୍ର କୂଳକୁ ଯାଇଥିବା ସମୟରେ ଏହାକୁ ପାଇ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରିଥିଲେ। ଏଥିରେ କେହିଜଣେ କିଛି ସନ୍ଦେଶ ପଠାଇଥିବାର ମନେ ହେଉଛି, କିନ୍ତୁ ବହୁ ଦିନ ଧରି ବୋତଲଟି ପାଣିରେ ରହିଥିବାରୁ କାଗଜର ଲେଖାଗୁଡ଼ିକ ନଷ୍ଟ ହୋଇଯାଇଛି। ଜଣାପଡ଼ିଛି ଯେ ୨୦୦୧ ମସିହାରେ ଏହି ଚିଠିିଟି ଲେଖାଯାଇଥିଲା। ଏଥିରେ ଇ-ମେଲ୍ ଆଇଡି ଓ ଠିକଣା ଥିଲେ ମଧ୍ୟ ତାହା ସ୍ପଷ୍ଟ ବାରି ହେଉନାହିଁ।