ମହାକାଶ ଯିବାକୁ ଅନେକଙ୍କର ଇଚ୍ଛା। ସେଠାରେ କ’ଣ ଅଛି ସମସ୍ତଙ୍କର ଦେଖିବାକୁ ଆଗ୍ରହ। ସେଥିପାଇଁ ଏକ ଅଲଗା ପୋଷାକ ମଧ୍ୟ ପିନ୍ଧିକରି ଯିବାକୁ ପଡ଼ିଥାଏ। ଭର୍ଜିନ୍ ଗାଲାକଟିନ୍ ନାମକ କମ୍ପାନି ଯାତ୍ରୀଙ୍କୁ ମହାକାଶ ପଠାଇବା ପାଇଁ ଷ୍ଟାଇଲିସ୍ ପୋଷାକ ପ୍ରସ୍ତୁତ କରିଛି। ରିଚାର୍ଡ ବ୍ରାନସନ୍ଙ୍କ ଦ୍ବାରା ସ୍ଥାପିତ ଏହି କମ୍ପାନି ମହାକାଶ ଯାତ୍ରୀଙ୍କ ପାଇଁ ପୋଷାକର ଏକ ପୂରା ପ୍ୟାକେଜ୍ ଡିଜାଇନ୍ କରିଛି। ଏଥିରେ ଗୋଟିଏ ଜମ୍ପ୍ସୁଟ୍, ମ୍ୟାଚିଙ୍ଗ୍ ଜ୍ୟାକେଟ୍ ଓ ବୁଟ୍ ରହିଛି। ୯୦ ମିନିଟ୍ର ଏହି ଯାତ୍ରା ପାଇଁ ୨୫୦,୦୦୦ ଡଲାର ଦେଇ ଟିକେଟ୍ କିଣିବାକୁ ପଡ଼ିବ। ଭ୍ରମଣ ପରେ ଏହି ପୋଷାକ ଫେରାଇବାକୁ ପଡ଼ିବ। ଯାତ୍ରା ଏହି ବର୍ଷ ଆରମ୍ଭ ହେବ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି। ଏଥିରେ ୨ ଜଣ ପାଇଲଟ୍ଙ୍କ ସହିତ ୬ ଜଣ ଯାତ୍ରୀ ଯାଇପାରିବେ। ଯାନଟି ପ୍ରାୟ ୫ରୁ ୧୦ ମିନିଟ୍ ପର୍ଯ୍ୟନ୍ତ କକ୍ଷପଥରେ ରହିବ। ତାହା ପ୍ରାୟ ୫୦ ମାଇଲ୍ରୁ ଅଧିକ ଉଚ୍ଚକୁ ନିଆଯିବ। ଏହାପରେ ସେମାନେ ପୃଥିବୀପୃଷ୍ଠକୁ ଫେରି ପାରିବେ ବୋଲି କମ୍ପାନି ପକ୍ଷରୁ କୁହାଯାଇଛି।

ୱାସିଂମେସିନ୍ ଭଳି କାର୍
ଫ୍ରାନ୍ସ୍ର ଅଟୋମୋବାଇଲ୍ ଡିଜାଇନର୍ ସିଥୋଏନ୍ ୱାସିଂ ମେସିନ୍ ଭଳି ଏକ ଗାଡ଼ି ତିଆରି କରିଛନ୍ତି। ଏହାର ନାମ ‘ଏମି’। ଅନ୍ୟ ସାଧାରଣ କାର୍ ଅପେକ୍ଷା ଏହା ଆକାରରେ ଛୋଟ। ସେଥିପାଇଁ ଏଥିରେ ଦୁଇଜଣ ହିଁ ବସିପାରିବେ। ଏହାର ବଜାର ମୂଲ୍ୟ ୬୬୦୦ ଡଲାର ବା ୪ ଲକ୍ଷ ୭୬ ହଜାର ଟଙ୍କା। ବିଦ୍ୟୁତ୍ଚାଳିତ ଏହି କାର୍ ଘଣ୍ଟା ପ୍ରତି ୪୫ କିଲୋମିଟର ବେଗରେ ଗତି କରିପାରୁଛି। ସିଥୋଏନ୍ ଏହି ଗାଡ଼ିକୁ ‘ନନ୍ କନ୍ଫର୍ମିଷ୍ଟ ମୋବିଲିଟି ଅବ୍ଜେକ୍ଟ୍’ ବୋଲି କହିଛନ୍ତି। ଏଥିରେ ୬ କିଲୋୱାଟ୍ ବ୍ୟାଟେରି ପାୱାର୍ ରହିଛି। ଏଥିପାଇଁ ଗାଡ଼ିରେ ୮ ହର୍ସପାୱାର୍ ମୋଟର ଲଗାଯାଇଛି। ତିନି ଘଣ୍ଟା ମଧ୍ୟରେ ଏମି ପୂର୍ଣ୍ଣ ଚାର୍ଜ ହୋଇପାରୁଛି। ଥରେ ଚାର୍ଜ କଲେ, ପ୍ରାୟ ୭୦ କିଲୋମିଟର ଗତି କରୁଛି। ପ୍ରଥମେ ସ୍ପେନ୍, ଇଟାଲି, ପର୍ତ୍ତୁଗାଲ, ବେଲଜିୟମ୍ ଓ ଜର୍ମାନୀରେ ଏହା ବିକ୍ରି ହେବ। ୧୪ ବର୍ଷୀୟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ଗାଡ଼ି ଚଲାଇପାରିବେ। ୟୁରୋପୀୟ ମୋଟର ଆଇନ୍ ନିୟମ ଅନୁସାରେ ଗାଡ଼ିର ବେଗ ଓ ଆକାରକୁ ଦେଖି ଏହାକୁ ସାଇକେଲ ଶ୍ରେଣୀରେ ଅର୍ନ୍ତଭୁକ୍ତ କରାଯାଇଛି।