କମ୍ପୁଟର ପାଣିରେ ଚାଲିବ ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିବ। କିନ୍ତୁ ଏହା ସତ। ଦୀର୍ଘ ୫ ବର୍ଷ ଧରି ଗବେଷଣା କରିବା ପରେ ଆମେରିକାସ୍ଥିତ ଷ୍ଟାନ୍ଫୋର୍ଡ ୟୁନିଭର୍ସିଟିର ବିଶେଷଜ୍ଞମାନେ ଏଭଳି ଏକ ହାଇଟେକ୍ କମ୍ପୁଟର ପ୍ରସ୍ତୁତ କରିଛନ୍ତି। ଗୋଟିଏ ଇଲେକ୍ଟ୍ରୋନିକ୍ କମ୍ପୁଟର୍ ଯେତିକି କାମ କରିପାରିବ ଏହି ନୂଆ କମ୍ପୁଟର୍ ମଧ୍ୟ ଠିକ୍ ସେତିକି କାମ ଅନାୟସରେ କରିପାରିବ ବୋଲି ସେମାନେ କହିଛନ୍ତି। ଏହି କମ୍ପୁଟରର ନାମ ‘ଡ୍ରପ୍ଲେଟ୍ କମ୍ପୁଟର’ ଦିଆଯାଇଛି। ଏହା ଭିତରେ ଥିବା ଜଳବିନ୍ଦୁର ଚୁମ୍ବକୀୟ ଗୁଣ ରହିଛି, ଯାହା କମ୍ପୁଟର୍ ଚଳାଇବାକୁ ଶକ୍ତି ଯୋଗାଇଥାଏ।
ସ୍ମାର୍ଟ ହେଲ୍ମେଟ୍
ଏଣିକି ହେଲ୍ମେଟ୍ ବାଟ ଦେଖାଇପାରିବ। ଏପରି ଏକ ସ୍ମାର୍ଟ ତଥା ହାଇଟେକ୍ ହେଲମେଟ୍ ପ୍ରସ୍ତୁତ କରାଯାଇଛି। ଏଭଳି ଏକ ପ୍ରୟାସ କରି ରୁଷିଆର ବିଶେଷଜ୍ଞମାନେ ସଫଳ ହୋଇଛନ୍ତି। ଉକ୍ତ ନୂଆ ହେଲ୍ମେଟ୍ରେ ଅତ୍ୟାଧୁନିକ ଜ୍ଞାନକୌଶଳବିଶିଷ୍ଟ ଡିଭାଇସ୍ ସଂଯୋଗ କରାଯାଇଛି। ଫଳରେ ଏହାକୁ ପିନ୍ଧି ଗାଡ଼ି ଚଳାଇଲେ ତାହା ଜଣେ କେଉଁ ବାଟରେ ଯିବେ ସେ ସମ୍ପର୍କରେ ସୂଚନା ଦେଇପାରିବ। ତା’ ସହ ଭୁଲ ବାଟରେ ଗାଡ଼ି ଚଳାଇଲେ ସଙ୍ଗେ ସଙ୍ଗେ ଏହି ହେଲ୍ମେଟ୍ରୁ ଏକ ସ୍ବର ଶୁଣାଯିବ ଯାହାକୁ ଅନୁସରଣ କରି ବାଇକ୍ ଚାଳକ ଠିକ ବାଟରେ ଗାଡ଼ି ଚଳାଇପାରିବେ ବୋଲି ରିପୋର୍ଟରେ ସୂଚନା ଦିଆଯାଇଛି। ତେବେ ଏହି ହେଲ୍ମେଟ୍କୁ ଆହୁରି ଉନ୍ନତ ଜ୍ଞାନକୌଶଳବିଶିଷ୍ଟ କରିବାକୁ ଆଉ କିଛି ବର୍ଷ ଲାଗିବ ବୋଲି ବିଶେଷଜ୍ଞଙ୍କଠାରୁ ଜଣାପଡ଼ିଛି।